୧୧୫ଲିଟର ବିଦେଶୀ ମଦ ଜବତ, ୫ ଗିରଫ

ରାଉରକେଲା,୫/୯ : ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଶେଖ୍ ଆସିଫ୍ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଡିଏସ୍ଇ ଅର୍ଚ୍ଚନା ବାରିକ୍ ଏବଂ ଅବକାରୀ ଆଇଆଇସି ମୋହନ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଛେଣ୍ଡ କଲୋନୀର ଧାମରା ବସ୍ତି ନିକଟସ୍ଥ ସୈନିକ ଭବନଠାରେ ଚଢଉ କରି ଏକ ଅତୁଲ ଜିଇଏମ୍ ଅଟୋରିକ୍ସା (ଓଡି-୧୪ଏଲ୍ ୧୬୩୫), ଗୋଟିଏ ହିରୋ ଗ୍ଲେମୋର ମୋଟର ସାଇକେଲ୍ (ଓଡି-୧୪ପି ୧୧୫୩), ଗୋଟିଏ ହୋଣ୍ଡା ଆକ୍ଟିଭା (ଓଡି-୧୪କେ ୮୧୯୫) ସହ ୧୨୦ ବୋତଲ (୧୧୫ଲିଟର) ଏମ୍ପେରିଆଲ ଗୋଲ୍ଡ ହୁଇସ୍କି ଜବତ କରିବା ସହିତ ୫ ଜଣ ଆସାମୀଙ୍କୁ ଗିରଫ କରିଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ଯରେ ଗୋପବନ୍ଧୁ ପଲ୍ଲୀର ହମିଦ୍ ଖାନ୍ (୪୪ ବର୍ଷ), ସେକ୍ଟର-୧୯ର ଦୀପକ ଗୌଡ (୪୨ ବର୍ଷ), ବାସନ୍ତୀ କଲୋନୀ ବର୍ତ୍ତମାନ ଛେଣ୍ଡ ଏଲସିଆର-୩୨୧ରେ ରହୁଥିବା ଶିବ ହିଣ୍ଡୋଚା (୪୩ ବର୍ଷ), ଉଦିତନଗରର ଅଭତାର୍ ସିଂହ (୩୪ ବର୍ଷ) ଏବଂ ସି୩ଏଲ୍-୨ ଛେଣ୍ଡର ଦିଲ୍ଲୀପ ବେହେରା (୫୪ ବର୍ଷ)ଙ୍କୁ ଗିରଫ କରିଛନ୍ତି।
ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଶେଖ୍ ଆସଫ ଅଲ୍ଲୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଚିକିଟି ମଦମୃତ୍ୟୁ ଘଟଣା ପରେ ଗତ ୧୫ ଦିନ ମଧ୍ୟରେ ରାଉରକେଲା ଅବକାରୀ ବିଭାଗ ସ୍ପେଶାଲ ଡ୍ରାଇଭରେ ୭ହଜାର ମଦ ସହ ଦେଢ ହଜାର ପୋଚ ସହିତ ୫ ଲକ୍ଷରୁ ୬ ଲକ୍ଷ ଟଙ୍କାର ମଦ ଜବତ କରିଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ ଜାରି ରହିବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।