ବନ୍ୟା ପ୍ରଭାବିତ ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ ହେଲା "ଥିଲେ ଦିଅନ୍ତୁ, ନ ଥିଲେ ନିଅନ୍ତୁ"

କେନ୍ଦ୍ରାପଡ଼ା, ୧/୮ : ଓଡିଶାର ଉପକୂଳବର୍ତ୍ତି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ୟତମ ଅଟେ । କେନ୍ଦ୍ରାପଡ଼ାରେ ଏବେ ବନ୍ୟାର ତାଣ୍ଡବ ବଢ଼ି ଚାଲିଛି । ବ୍ରାହ୍ମଣୀ ନଦୀ ଠୁ ଆରମ୍ଭ କରି ଅନ୍ୟ ନଦୀମାନଙ୍କର ବର୍ଦ୍ଧିତ ଜଳ ପ୍ରଭାବରେ ଆଳି, ପଟ୍ଟାମୁଣ୍ଡାଇ ବ୍ଲକ ସହ ଅନ୍ୟାନ୍ୟ ଅଞ୍ଚଳ ଜଳମଗ୍ନ । କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଏହି ଅଞ୍ଚଳରେ ଜଳର ବହୁଳତା ପାଇଁ ଜନ ଜୀବନ ଆଜି ପ୍ରଭାବିତ । ଖାଦ୍ୟଠୁ ଆରମ୍ଭ କରି ବସ୍ତ୍ର ଓ ବାସଗୃହ ସବୁ ପ୍ରଭାବିତ ।
ଏହି ବିଭୀଷିକାକୁ ଲକ୍ଷ୍ୟ ରଖି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କପଡା ଗୃହ "ଥିଲେ ଦିଅନ୍ତୁ, ନ ଥିଲେ ନିଅନ୍ତୁ" କୁ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଯେଉଁ ବ୍ୟକ୍ତିମାନଙ୍କର ବସ୍ତ୍ରର ଆବଶ୍ୟକତା ରହିଛି ସେମାନେ ବିନା ଦ୍ୱିଧାରେ ଆସି କପଡ଼ା ନେଇପାରିବେ । ଏହି କପଡା ଗୃହଟି କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବଜୀଉ ମନ୍ଦିର ନିକଟସ୍ଥ ଯାତ୍ରୀ ନିବାସ ନିକଟରେ ରହିଛି । ସବୁବେଳେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଭିନ୍ନ ଭିନ୍ନ ସେବା ସାଧାରଣ ଜନତା ପାଇଁ ଯୋଗାଇ ଆସିଥାଏ । ଆଜି ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ କପଡ଼ା ଗୃହଟି ଉଦ୍ଦିଷ୍ଟ ବୋଲି ଟ୍ରଷ୍ଟର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ ମତ ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଟ୍ରଷ୍ଟର ଏହି ସେବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନୀତି ଓ ଆଦର୍ଶରେ ପ୍ରଭାବିତ । ଆଜିର କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କପଡା ଗୃହ "ଥିଲେ ଦିଅନ୍ତୁ, ନ ଥିଲେ ନିଅନ୍ତୁ"ର କାର୍ଯ୍ୟକାରୀ ସଭାପତି ମନୋଜ ରାଉତ ଓ ସମାଜସେବୀ ଦିଲୀପ ସାହୁ ରହି ପରିଚାଳନା କରିଥିଲେ ।