୫୦ଦିନରେ ପହଞ୍ଚିଲା "ଅନନ୍ତା", ପ୍ରେକ୍ଷାଳୟରେ ହେଲା ସେଲିବ୍ରେସନ୍

୫୦ଦିନରେ ପହଞ୍ଚିଲା "ଅନନ୍ତା", ପ୍ରେକ୍ଷାଳୟରେ ହେଲା ସେଲିବ୍ରେସନ୍

ଭୁବନେଶ୍ବର, ୩୧/୭ : ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତା ଅବଲମ୍ବନରେ ନିର୍ମାଣ ହୋଇଥିବା "ଅନନ୍ତା" ଚଳଚ୍ଚିତ୍ରକୁ ସାରା ଓଡ଼ିଶାରେ ଦର୍ଶକ ଅହେତୁକ ଭଲ ପାଇବା ଦେଇଥିବାରୁ ପ୍ରେକ୍ଷାଳୟରେ ୫୦ ଦିନ ଅତିକ୍ରମ କରିଛି l ଆଜି ଅନନ୍ତା ଟିମ୍ ସ୍ବାତୀ ପ୍ରେକ୍ଷାଳୟରେ କେକ୍ କାଟି ପାଳନ କଲା ସଫଳତାର ୫୦ଦିନ ।

ଏହି ଅବସରରେ ଅଭିନେତା ସବ୍ୟସାଚୀ ମିଶ୍ର, ତାପସ ସରଘରିଆ , ଅଭିନେତ୍ରୀ ସୂର୍ଯ୍ୟମୟୀ ଆମର ମ୍ୟୁଜିକର ପ୍ରଯୋଜକ ସୁରଜ୍ ମହନତ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ମାଟିର ନିଚ୍ଛକ କାହାଣୀ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶର ଦୃଶ୍ୟ ଏବଂ ବିଶେଷ ଭାବରେ ଅନନ୍ତା ଓରଫ ସବ୍ୟସାଚୀ ମିଶ୍ରଙ୍କ ନିଖୁଣ ଅଭିନୟ ପ୍ରତି ବେଶ ଆକୃଷ୍ଟ ହୋଇଥିଲେ ଦର୍ଶକ l ବହୁ ଅଭିଜ୍ଞ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ବଳିଷ୍ଠ ନିର୍ଦ୍ଦେଶନାକୁ ଦର୍ଶକ ଢେର ପ୍ରଶଂସା କରିଛନ୍ତି l ଚଳଚ୍ଚିତ୍ର ଅନନ୍ତାକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମହନତ ଏବଂ ଅର୍ଚ୍ଚିତା ସାହୁ ।

କାହାଣୀ ଅନୁଯାୟୀ ଅନନ୍ତା ଚରିତ୍ରକୁ ସଠିକ ଭାବେ ଚିତ୍ରଣ କରିବା ପାଇଁ ନାୟକ ସବ୍ୟସାଚୀ ମିଶ୍ର ଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିଥିଲା l ଏଥିରେ ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ ଙ୍କ ସମେତ ପ୍ରଥମଥର ବଡ଼ ପରଦାରେ ମାଆ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ ଜ୍ୟୋତିର୍ମୟୀ ପଣ୍ଡା l ତାଙ୍କ ବ୍ୟତୀତ ଅନେକ ମଞ୍ଚ କଳାକାର ଙ୍କୁ ମଧ୍ୟ ଅନନ୍ତା ଚଳଚ୍ଚିତ୍ର ରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ l ସଂଳାପ ରଚନା କରିଥିଲେ ଡଃ ରଜନୀ ରଞ୍ଜନ l ଚିତ୍ରତ୍ତୋଳନ କରିଛନ୍ତି ହୁଏତସାଙ୍ଗ ମହାପାତ୍ର ।

ଏହି କାଳଜୟୀ ଗପ ବର୍ତ୍ତମାନ ସମୟରେ ନିଶ୍ଚିତ ଭାବେ ସମାଜ ପ୍ରତି ସୁ ପ୍ରଭାବ ପକାଇବ ଏବଂ ପ୍ରେକ୍ଷଳୟରେ ଏକ ଶହ ଦିନରେ ପହଞ୍ଚିବ ବୋଲି ଅନନ୍ତାର ପ୍ରଚାର ଓ ପ୍ରସାର ମୁଖ୍ୟ ତଥା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି l