ମୁହଁରେ ଇଟା ଛେଚି ଯୁବକଙ୍କୁ ହତ୍ୟା
ଖୁଣ୍ଟା, ୨୮/୧୧ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଡ଼ଖୁଣ୍ଟା ଗ୍ରାମ ନିକଟ ଖୁଣ୍ଟା -ବାଲିଡ଼ିହା ରାସ୍ତା ପାର୍ଶ୍ଵରୁ ଜନୈକ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତେବେ ହତ୍ୟାକାରୀ ଜଣଙ୍କ ମୃତକଙ୍କ ମୁହଁକୁ ଇଟା ସାହାଯ୍ୟରେ ଛେଚି ହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବଡ଼ଖୁଣ୍ଟା ଗ୍ରାମ ନିକଟସ୍ଥ ତଥା ପିକେ ଜୟପୁର ରାସ୍ତାପାର୍ଶ୍ଵରେ ଜଣେ ଯୁବକଙ୍କୁ ଇଟା ଛେଚି ହତ୍ୟା କରାଯାଇଥିବା ନେଇ ଖୁଣ୍ଟା ପୋଲିସକୁ ସୂଚନା ମିଳିଥିଲା ।
ଖବରପାଇ ଆଇଆଇସି ପଞ୍ଚାନନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ତେବେ ହତ୍ୟାକାରୀ ଅତି ଅମାନୁଷିକ ଭାବେ ମୃତକଙ୍କ ମୁହଁ ଓ ମୁଣ୍ଡକୁ ଇଟା ସାହାଯ୍ୟରେ ଛେଚି ହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ତେବେ ତଦନ୍ତ ସମୟରେ ମୃତକ ଜଣକ ଉକ୍ତ ଥାନା ଅଧିନ ଖପରାପାଳ ଗ୍ରାମର ସୁରେଷ ହେମ୍ବ୍ରମଙ୍କ ପୁଅ ଗଣେଷ ବୋଲି ଜଣାପଡ଼ିଥିଲା । ଗଣେଷ ଗୁରୁବାର ଅପରାହ୍ନରେ ଖୁଣ୍ଟାରେ ଅନୁଷ୍ଠିତ ସାପ୍ତାହିକ ହାଟକୁ ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିବାବେଳେ ଶୁକ୍ରବାର ଗଣେଷଙ୍କ ରକ୍ତାକ୍ତ ମୃତଦେହ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ତାଙ୍କର ବଡ଼ ଭାଇ ସୁରଜ ହେମ୍ବ୍ରମ ଜାଣିବା ପରେ ଘଟଣା ସଂପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଥାନାରେ କେଶ୍ ନମ୍ବର ୩୮୦/୨୫ରେ ଏକ ହତ୍ୟା ମାମଲା ରୁଜ କରାଯିବା ସହ ମୃତଦେହକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି । ହତ୍ୟାକାଣ୍ତରେ ବ୍ୟବହୃତ ଦୁଇଟି ରକ୍ତ ଲଗା ଇଟାକୁ ଜବତ କରାଯାଇଛି । ତେବେ କିଏ ? ଓ କେଉଁ କାରଣରୁ ? ଗଣେଷଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା ତାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ I

Editor 


