ରଙ୍ଗର ପର୍ବ ହୋଲି
ଶୀତର ପ୍ରକୋପରେ ଜଡ଼ ପାଲଟି ଯାଇଥିବା ପ୍ରକୃତି, ବସନ୍ତର ସ୍ପର୍ଶରେ ଜୀବନ୍ତ ହୋଇ ଉଠେ । ସାତ ରଙ୍ଗକୁ ସାଥିରେ ନେଇ ପ୍ରକୃତିକୁ ରଙ୍ଗୀନ କରି ଦେଇଥାଏ ବସନ୍ତ । ସେହି ବସନ୍ତରେ ପାଳନ ହୁଏ ହୋଲି ପର୍ବ । ଆମ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବର ପାଳନ ଆମ ହିନ୍ଦୁ ଧର୍ମରେ ହୋଇଥାଏ। ସେଥି ମଧ୍ୟରୁ ହୋଲି ହେଉଛି ଏମିତି ଏକ ଗଣ ପର୍ବ, ଯାହା ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି। ବିଶେଷତଃ ହୋଲିର ଆଗମନରେ ପିଲାମାନଙ୍କର ଆନନ୍ଦ ଅବର୍ଣ୍ଣନୀୟ। ରଙ୍ଗ ବେରଙ୍ଗର ଅବିର ସାଙ୍ଗକୁ ରଙ୍ଗ ପିଚକାରୀର ମଜା ସତେ ଯେମିତି ସେମାନଙ୍କୁ ଅନ୍ୟ ଏକ ଦୁନିଆକୁ ନେଇ ଯାଇଥାଏ। ନା ସେଠାରେ ଥିବ ପାଠର କୌଣସି ଚିନ୍ତା ନା ମାଆ ବାପାଙ୍କର ଆକଟ।
ଖାଲି ପିଲାମାନେ କାହିଁକି, ଆବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ହୋଲି ହେଉଛି ନିଆରା ପର୍ବ। ସବୁ ଭେଦଭାବକୁ ଭୁଲି ସମସ୍ତେ ଖୁସିକୁ ଆଲିଙ୍ଗନ କରିନେଇଥାନ୍ତି, ସତେ ଯେମିତି ଆନନ୍ଦ ଉଲ୍ଲାସର ଏକ ବାତାବରଣ ସୃଷ୍ଟି କରିଦେଇଥାଏ ଏହି ପର୍ବ ଟି। ତେବେ ହୋଲି କେବଳ ଏକ ପାଳନର ପର୍ବ ନୁହେଁ ବରଂ ଭକ୍ତିର ପର୍ବ ମଧ୍ୟ ଅଟେ। ହରି ହରଙ୍କର ମିଳନକୁ ନେଇ ଦୋଳ ପର୍ବରେ ଫଗୁ ଖେଳି ରଙ୍ଗର ବର୍ଷାରେ ସଭିଏଁ ମଗ୍ନ ହୋଇ ଦୋଳ ବିମାନକୁ କାନ୍ଧରେ ଧରି ଝୁମି ଉଠନ୍ତି। ଏଥି ସହିତ ରାଧାକୃଷ୍ଣଙ୍କର ପ୍ରେମର ବାର୍ତ୍ତାକୁ ବିଭିନ୍ନ ରଙ୍ଗର ସୌନ୍ଦର୍ଯ୍ୟରେ ରଙ୍ଗାୟତ କରି ସମାଜକୁ ଭକ୍ତି ପ୍ରେମର ମାର୍ଗରେ ଚାଲିବା ନିମନ୍ତେ ଅଗ୍ରଣୀ କରିଥାନ୍ତି।
ଏହି ପର୍ବର ଅନ୍ୟ ଏକ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି। ହୋଲି ପର୍ବକୁ ଏକ ପ୍ରକାରର ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ, ଅଧର୍ମ ଉପରେ ଧର୍ମ, ଅତ୍ୟାଚାର ଉପରେ ସଦାଚାର ଏବଂ ମଳିନ ଉପରେ ନିର୍ମଳ ସ୍ୱଭାବର ବିଜୟ ଦିବସ ରୂପରେ ଗଣନା ମଧ୍ୟ କରାଯାଏ। ପୁରାଣରେ ରହିଛି ଯେବେ ଭକ୍ତ ପ୍ରହଲ୍ଲାଦ ବିଷ୍ଣୁ ନାମ ଜପ କରି ବିନମ୍ର ଭକ୍ତିରେ ବୁଡ଼ି ରହିଥାନ୍ତି, ଏସବୁକୁ ତାଙ୍କ ପିତା ହିରନ୍ୟକଷ୍ୟପୁ ସହ୍ୟ ନ କରିପାରି ନିଜର ଭଉଣୀ ହୋଲିକାକୁ ଆମନ୍ତ୍ରିତ କରିଥିଲା। ହୋଲିକା ବରପ୍ରାପ୍ତ ଥିଲା ଯେ କୌଣସି ପ୍ରକାରର ଅଗ୍ନି ତାର ଶରୀରକୁ ସ୍ପର୍ଶ କରିପାରିବ ନାହିଁ କିମ୍ବା କ୍ଷତି କରିପାରିବ ନାହିଁ। ତେବେ ଏହା ପଛରେ ଥିଲା ତାଙ୍କର ଚକ୍ରାନ୍ତ। ହୋଲିକା ଭକ୍ତ ପ୍ରହଲ୍ଲାଦଙ୍କୁ ନିଜ କୋଳରେ ବସାଇ ଅଗ୍ନି ଉପରେ ବିରାଜମାନ କରିବ ଏବଂ ସେହି ଅଗ୍ନିରେ ଭକ୍ତ ପ୍ରହଲ୍ଲାଦଙ୍କର ବଧ ହୋଇଯିବ। କିନ୍ତୁ କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, ତାକୁ କି ପାରେ ବଳବନ୍ତ’; ଯେଉଁ ଅଗ୍ନିରେ ଭକ୍ତ ପ୍ରହଲ୍ଲାଦ ଦାହ ହେବାର ଚକ୍ରାନ୍ତ ହୋଇଥିଲା, ଭଗବାନ ବିଷ୍ଣଙ୍କର କୃପାରୁ ତାଙ୍କ ଭକ୍ତ ସୁରକ୍ଷିତ ରହି ହୋଲିକା ଦାହ ହୋଇଯାଇଥିଲା।
ତେବେ ଏସବୁ ତ ପୁରାଣ ପରମ୍ପରାର ବର୍ଣନା, କିନ୍ତୁ ଏହି ଆନନ୍ଦର ପର୍ବ ମଧ୍ୟରେ କେବେ କେବେ ଦୁଃଖର ବାତାବରଣ ମଧ୍ୟ ସୃଷ୍ଟି ହୋଇଯାଇଥାଏ। ଏଇ ଯେମିତି ରାସାୟନିକ ରଙ୍ଗ କିମ୍ବା ଅପମିଶ୍ରିତ ରଙ୍ଗର ବ୍ୟବହାରରୁ ଶାରୀରିକ କ୍ଷତି ଘଟିବା। ସରକାରଙ୍କ ଅନେକ ଚେଷ୍ଟା ସତ୍ତ୍ଵେ ଏହି ବିଷାକ୍ତ ରଙ୍ଗ କେଉଁଠି ନା କେଉଁଠି ବଜାରକୁ ଆସିଯାଉଛି ଏବଂ ଏହାର ଶିକାର ହେଉଛନ୍ତି ଅଧିକ ଅର୍ଥ ଖର୍ଚ୍ଚ ନ କରି ପ୍ରାକୃତିକ ରଙ୍ଗ ବଦଳରେ କମ୍ ଅର୍ଥରେ ଅଧିକ ରଙ୍ଗ କିଣୁଥିବା ଲୋକେ। ସରକାର ଯେତେ ନାକ ଘସିଲେ କଣ ହେବ, ଯଦି ସମାଜରେ ବାସ କରୁଥିବା ନାଗରିକ ମାନେ ହିଁ ସଚେତନ ନୁହନ୍ତି। ଏହା ଛଡା ରଙ୍ଗ କିମ୍ବା ରଙ୍ଗ ପିଚକାରୀ ନିରୀହ ପଶୁ ମାନଙ୍କ ଉପରେ ପ୍ରୟୋଗ କରିବା, ଏଥି ପ୍ରତି ମଧ୍ୟ ମାତା ପିତା ମାନେ ନିଜ ପିଲାମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି।
ତେବେ ଆସନ୍ତୁ ଏହି ହୋଲିର ପର୍ବରେ ଆମେ ଏକ ପ୍ରଣ କରିବା, ରଙ୍ଗର ଏହି ପର୍ବରେ ନିଜର ଏବଂ ଆମ ପ୍ରୀୟଜନ ମାନଙ୍କ ସୁରକ୍ଷାକୁ ଗୁରୁ ଦାୟିତ୍ବ ଭାବରେ ତୁଲାଇବା, ଏବଂ ଏକ ସୁନ୍ଦର ସୁରକ୍ଷିତ ପରିବେଶରେ ଏହି ପର୍ବଟିକୁ ପାଳନ କରିବା।
ଜୟ ଜଗନ୍ନାଥ!
ସଂଯୁକ୍ତା ଦାଶ
କଳିଙ୍ଗ ବିହାର, ଭୁବନେଶ୍ବର

Editor 


