ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ,୪/୯ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଶ୍ରୀ ଚୌହାନ ଅମୃତସର, କପୁରଥାଲା ଓ ଗୁରୁଦାସପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେଥିସହିତ, ଜଳମଗ୍ନ କ୍ଷେତଗୁଡ଼ିକୁ ଯାଇ ଫସଲର କ୍ଷୟକ୍ଷତିର ଆକଳନ ମଧ୍ୟ କରିଥିଲେ। ଏହି ସମୟରେ କୃଷକମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଫସଲର ବ୍ୟାପକ କ୍ଷୟକ୍ଷତି ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଶିବରାଜ ସିଂହ କହିଥିଲେ ଯେ କୃଷକ ଭାଇ ଓ ଭଉଣୀମାନେ ଚିନ୍ତା କରନ୍ତୁ ନାହିଁ, ସରକାର ସେମାନଙ୍କ ସହିତ ଅଛନ୍ତି।

କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ସକାଳେ ଅମୃତସର ପହଞ୍ଚିବା ପରେ, ପଞ୍ଜାବର ରାଜ୍ୟପାଳ ଗୁଲାବଚାନ୍ଦ କଟାରିଆ ବିମାନବନ୍ଦରରେ ବନ୍ୟା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହିତ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଗୁରୁତର ବନ୍ୟା ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ଏହାପରେ ଶ୍ରୀ ଚୌହାନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କହିଥିଲେ ଯେ, ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର, ସଙ୍କଟ ଭୟଙ୍କର। ବନ୍ୟା ଯୋଗୁଁ ଫସଲ ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାୟ ୧୪୦୦ ଗ୍ରାମ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଅଗଷ୍ଟ ୨୬ରୁ ଏଠାକାର ଜମି ଗୁଡ଼ିକ ଜଳମଗ୍ନ ହୋଇ ରହିଛି । ରାବି ନଦୀର ପାଣି ଚାଷ ଜମି ଉପରେ ପ୍ରବାହିତ ହେଉଛି । ପାଦ ତଳେ ମାଟି ନୁହେଁ, କାଦୁଅ ଜମା ହୋଇଛି । ଏହି ଫସଲ ନଷ୍ଟ ହୋଇଯାଇଛି, ପରବର୍ତ୍ତି ଫସଲ ମଧ୍ୟ ସଙ୍କଟରେ ଅଛି । ଯନ୍ତ୍ରଣା ଏବଂ କ୍ଷତିର ପୂର୍ବାନୁମାନ କରାଯାଇପାରିବ ନାହିଁ । ସେ କହିଥିଲେ ଯେ, ଏହି ପରିସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ, କିନ୍ତୁ ଏହା ନିଶ୍ଚିତ ଭାବେ ତାଙ୍କ କୃଷକ ଭାଇ ଓ ଭଉଣୀମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବୁ। ଏହା ଆହ୍ୱାନପୂର୍ଣ୍ଣ କିନ୍ତୁ ସମସ୍ତ ପ୍ରୟାସ କରାଯିବ ଏବଂ ରିଲିଫ୍ ପ୍ରଦାନ କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ପଞ୍ଜାବ ପରିସ୍ଥିତିର ଆକଳନ କରିବା ପାଇଁ କୃଷି, ଗ୍ରାମୀଣ ବିକାଶ, ସଡ଼କ, ଶକ୍ତି, ଅର୍ଥ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଦୁଇଟି ଉଚ୍ଚସ୍ତରୀୟ ଟିମ୍‍ ପଠାଇଛନ୍ତି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏହି ଦଳଗୁଡ଼ିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଆକଳନ କରିବେ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କର ରିପୋର୍ଟ ଦାଖଲ କରିବେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କଲେ ବାସ୍ତବ ସ୍ଥିତି ବୁଝି ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ । ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଆକଳନ କରିବେ । କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଦେଶ ପଞ୍ଜାବ ପାଇଁ ଗର୍ବିତ । ସଙ୍କଟ ସମୟରେ ରାଜ୍ୟ ସର୍ବଦା ଦେଶର ଢାଲ ଭାବରେ ଛିଡ଼ା ହୋଇଛି । ମୁଁ କହିବାକୁ ଚାହେଁ ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଛି ଏବଂ ଏହି ସଙ୍କଟ ସମୟରେ ଆମେ ପଞ୍ଜାବର ମୋର କୃଷକ ଭାଇ ଓ ଭଉଣୀ ତଥା ପଞ୍ଜାବର ଲୋକଙ୍କ ସହିତ ଦୃଢତାର ସହ ଛିଡା ହୋଇଛୁ । ସରକାର ନିଶ୍ଚିତ ଭାବେ କୃଷକମାନଙ୍କୁ ଏହି ବିପର୍ୟ୍ୟହୟରୁ ବାହାର କରିବେ। ଏଭଳି ସମୟରେ ସେବା କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ରହିଥିବାରୁ ସେ ପଞ୍ଜାବର ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କରିଥିଲେ ।