ଶ୍ମଶାନ କାନ୍ଦୁଛି ଶବକୁ ଦେଖି

ବାମ ବାବୁ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି।ସହରର କେନ୍ଦ୍ର ରେ ତାଙ୍କର ପାଞ୍ଚ ମହଲା ବିଶିଷ୍ଟ ପ୍ରାସାଦ। ପ୍ରତିପତ୍ତି ତାଙ୍କର କହିଲେ ନ ସରେ। ସେ ଜଣେ ସଫଳ ବ୍ୟବସାୟୀ। ଘର ସାମନାରେ ପାଞ୍ଚ ଟି ଚାରି ଚକିଆ ଗାଡ଼ି ଥୁଆ ହୋଇଛି। ଧନ ସମ୍ପତ୍ତି ପ୍ରବଳ। ମନେ ହୁଏ ମା' ଲକ୍ଷ୍ମୀ ସତେ ଯେମିତି ତାଙ୍କ ଘରେ ବାସ କରୁଛନ୍ତି। ତାଙ୍କ ସ୍ତ୍ରୀ ଦେଖିବାକୁ ଭାରି ସୁନ୍ଦରୀ। ସେ ଜଣେ ଉତ୍ତମ ଗୃହିଣୀ। ସେ ପତିବ୍ରତା ଏବଂ ଧର୍ମପରାୟଣା। ଘର ତାଙ୍କ ପାଇଁ ସର୍ବସ୍ୱ।ତାଙ୍କର ପାଞ୍ଚ ପୁଅ । ସ୍ବାମୀ ସ୍ତ୍ରୀ ମିଶି ଭାରି ଯତ୍ନରେ ଏ ଘର ପାରିବାର ଗଢ଼ିଛନ୍ତି। ତାଙ୍କ ଘରକୁ ଯିଏ ବି ଆସୁ ସିଏ କେବେବି ଖାଲି ପେଟରେ ଫେରିନି। ଦୁହେଁ ଭାରି ଯତ୍ନରେ ଅତିଥି ସେବା କରନ୍ତି। ବାମ ବାବୁ ଭାରି ଆନନ୍ଦ ଅନୁଭବ କରନ୍ତି ତାଙ୍କ ପରିବାରକୁ ଦେଖି। ତାଙ୍କର ଇଚ୍ଛା ପିଲାମାନଙ୍କୁ ପାଠ ପଢ଼େଇ କେମିତି ବଡ଼ ମଣିଷ କରିବେ। ସେଥି ପାଇଁ ସିଏ ଲାଗି ପଡିଛନ୍ତି।
ପ୍ରଚୁର ସମ୍ପତ୍ତି କୁ ପାଞ୍ଚ ଟି ପୁଅ, ତାଙ୍କ ଖୁସି କହିଲେ ନ ସରେ। ପିଲାମାନେ ସମସ୍ତେ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ତାଙ୍କର ବହୁତ୍ ଇଚ୍ଛା ଥିଲା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼େଇବା ପାଇଁ, ଆଉ ଆଜି ତାଙ୍କ ଆଶା ପୂରଣ ହେଇଛି। ମନରେ ବହୁତ୍ କିଛି ଭାବିଛନ୍ତି ପିଲାମାନଙ୍କୁ ନେଇ। ସିଏ ତାଙ୍କ ବ୍ୟବସାୟରେ ବ୍ୟସ୍ତ ରହିଲେ ବି ପିଲାମାନଙ୍କୁ ବାରମ୍ବାର ତାଗିଦ୍ କରନ୍ତି ପାଠ ପଢ଼ି କିଛି କରିବା ପାଇଁ। ତାଙ୍କର ବିଶ୍ବାସ ଅଛି ପିଲାମାନେ ନିଶ୍ଚୟ ଜୀବନରେ କିଛି କରିବେ। ଏଥି ପାଇଁ ତାଙ୍କ ସହ ଧର୍ମିଣୀ ତାଙ୍କୁ ସହଯୋଗ କରନ୍ତି। ସେ ପିଲାମାନଙ୍କର ସମସ୍ତ କଥା ବୁଝିବା ସହ ଉତ୍ତମ ଉପଦେଶ ସବୁ କଥା ଛଳରେ ଦେଇଥାନ୍ତି। ସିଏ ସବୁବେଳେ ଚେଷ୍ଟା କରନ୍ତି ପିଲାମାନେ ପାଠ ସହ ସାଠ ଶିଖିବେ ଓ ସଂସ୍କାରି ହେବେ। ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଲେ ବି ପିଲାମାନେ ଭାରି ଭଦ୍ର ଓ ନମ୍ବ୍ର। ପିଲା ଗୁଡ଼ିଙ୍କୁ ଦେଖିଲେ ମନ ଭରି ଯାଏ। ଯାହା ହେଉ ପ୍ରଭୁଙ୍କ କୃପାରୁ ବଡ଼ ପୁଅଟି ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ଦ୍ଵିତୀୟ ପୁଅ ସରକାରୀ ବିଭାଗରେ ଯନ୍ତ୍ରୀ ଭାବରେ କାର୍ଯ୍ୟରତ। ତୃତୀୟ ପୁଅ ଡାକ୍ତର। ଚତୁର୍ଥ ପୁଅ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରେ। ପଞ୍ଚମ ପୁଅ ବାପାଙ୍କ ପାଖରେ ରହି ତାଙ୍କର ବ୍ୟବସାୟ ସମ୍ଭାଳୁଛି। ପିଲାମାନେ ମଣିଷ ହେଇ ଯାଇଛନ୍ତି। ବାମ ବାବୁ ବର୍ତ୍ତମାନ୍ ଚିନ୍ତା କଲେ ପିଲାମାନଙ୍କୁ ବିଭା ଦେବା ପାଇଁ। ବଡ଼ ପୁଅ ପାଇଁ ଭଲ ଝିଅଟେ ଖୋଜି ଵିଵାହ ଦେଲେ। ବିବାହ ର କିଛି ଦିନ ପରେ ପୁଅ ଅଧିକ କିଛି କରିବାର ଆଶା ନେଇ ବିଦେଶ ପଳେଇଲା। ଦ୍ଵିତୀୟ ଓ ତୃତୀୟ ପୁଅ ସ୍ଵ ଇଚ୍ଛା ରେ ବିବାହ କଲେ ଏବଂ ସେମାନେ ତାଙ୍କ ନିଜ ନିଜ କର୍ମସ୍ଥଳିରେ ରହିଲେ। ଶେଷରେ ସାନ ପୁଅ ର ବିଭାଘର ହେଲା। ସିଏ ବାପା ମା ଙ୍କ ପାଖରେ ରହି ବ୍ୟବସାୟ ଦେଖିଲା। ଏମିତି କିଛି ଦିନ ଚାଲିଗଲା। ବାମ ବାବୁ ଆଉ ସ୍ତ୍ରୀ ବସି ଆତ୍ମସନ୍ତୋଷ ଲାଭ କଲେ ଯେ ସେମନେ ପିଲାମାନଙ୍କୁ ମଣିଷ କରି ପାରିଛନ୍ତି। ଯିଏ ତାଙ୍କୁ ପିଲାମାନଙ୍କ କଥା ପଚାରନ୍ତି ସିଏ ଭାରି ଗର୍ବରେ କହନ୍ତି ହଁ ମୋର ପାଞ୍ଚ ପୁଅ ଯୋଗ୍ୟ ଅଟନ୍ତି। ନିଜ କର୍ତ୍ତବ୍ୟ କୁ ସୁଚାରୁ ରୁପେ ତୁଲାଇ ପାରିଛନ୍ତି ବୋଲି ସମସ୍ତଙ୍କଠୁ ପ୍ରଶଂସା ସାଉଁଟନ୍ତି। ଏକୁଟିଆ ବସିଲା ବେଳେ ପୁଅ ବୋହୁ ଭରା ପରିବାର କଥା ଭାବି ଭାରି ଖୁସି ହୁଅନ୍ତି। ଆଉ ମନରେ ତାଙ୍କର ଟିକେ ଆତ୍ମ ଗର୍ବ ଆସି ଯାଏ। ଏହା ବି ସ୍ବାଭାବିକ।
ଏମିତି କିଛି ଦିନ ବିତି ଯାଆନ୍ତେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇଗଲେ। ଏମିତି ହେଲା ଯେ ସେ ବିଛଣାରୁ ଉଠି ପାରିଲେନି।ଘରେ ଚାକର ଚାକରାଣୀ ଭର୍ତ୍ତି। ସାନ ପୁଅ ବୋହୁ ଅଛନ୍ତି। ବାମ ବାବୁ ସ୍ଥିର କଲେ ତାଙ୍କ ସ୍ତ୍ରୀ ଙ୍କ ଚିକିତ୍ସା ଘରେ ରଖି କରିବେ। ସିଏ ଭାବିଥିଲେ ଏତେ ଲୋକ ତାଙ୍କ ସ୍ତ୍ରୀ ଙ୍କ ଯତ୍ନ ଭଲରେ ନେଇ ହେବ। କିନ୍ତୁ ଠିକ୍ ତା ବିପରୀତ ଘଟିଲା। ଚାକର ଚାକରାଣୀ ଆଉ ନର୍ସ ଯାହା ଟିକେ ଦେଖିଥାନ୍ତି ହେଲେ ଦିନେ ତାଙ୍କ ସାନ ବୋହୁ ନା ପାଖକୁ ଆସିଲା ନା ଦେହରେ ମୁଣ୍ଡରେ ଟିକେ ହାତ ମାରିଲା। ବାମ ବାବୁ ଙ୍କ ସ୍ତ୍ରୀ ବିଛଣାରୁ ଉଠି ପାରୁ ନଥିଲେ ସତ କିନ୍ତୁ ସେ ସବୁ ଜାଣି ପାରୁଥିଲେ। ତାଙ୍କୁ ଭାରି ବାଧୁ ଥିଲା। ଏତେ ପୁଅ ବୋହୁ। ଯେ ଯାହା ବାଟରେ ବ୍ୟସ୍ତ। ବାହାରେ ଥିବା ପିଲାମାନେ ନା ତାଙ୍କୁ ଦେଖିବାକୁ ଆସୁଛନ୍ତି ନା ପାଖରେ ଥିବା ସାନ ବୋହୁ ଆସୁଛି। ସାନ ବୋହୁ କହୁଛି ମତେ ଇନ୍ଫେକ୍ସନ୍ ହେଇଯିବ। ସିଏ କେମିତି ଛୁଇଁବ। କିନ୍ତୁ ସେ ତାଙ୍କ ଶାଶୁ ଶ୍ୱଶୁର ଙ୍କର କେତେ କରିଛନ୍ତି, ତାର ହିସାବ କିଏ ରଖିଛି। ବାମ ବାବୁ ଭାରି ଦୁଃଖ କଲେ। ବାହାରେ ଥିବା ପୁଅ ମାନଙ୍କୁ କହିଲେ ମା କୁ ଟିକେ ଆସି ଦେଖି ଯାଅ। ହେଲେ କେହି ଆସିଲେନି। ଶେଷରେ ମା ଙ୍କ ପ୍ରାଣ ବାୟୁ ଉଡ଼ିଗଲା। ସେଇଠୁ ପୁଅ ମାନଙ୍କୁ ଖବର ଦିଆ ହେଲା ସେମାନେ ଆସିଲେ ମା ର ଅନ୍ତେଷ୍ଟି କ୍ରିୟା ହେବ। ହେଲେ ବଡ଼ ପୁଅ ଆସି ପାରିବନି। କାରଣ ସେ ଏକ ନୂତନ ଗବେଷଣା ରେ ବ୍ୟସ୍ତ ଅଛି। ତାକୁ ଅଧାରେ ଛାଡ଼ି ଆସି ପାରିବନି। ଯାହା ହେଉ ଦ୍ଵିତୀୟ ପୁଅ କୁ ବୁଝେଇ ସୁଝେଇ କୁହା କୁହି କଲାଠୁ ସିଏ ମୁଖାଗ୍ନି ଦେବାକୁ ରାଜି ହେଲା। ଯାହା ହେଉ ମା'ଙ୍କର ସମସ୍ତ କର୍ମ ସରିଗଲା। ଚଉଦ ଦିନ ପୁଅମାନେ ଯେ ଯାହା କର୍ମସ୍ଥଳି କୁ ଫେରିଗଲେ। ବର୍ତ୍ତମାନ୍ ବାମ ବାବୁ ସମ୍ପୂର୍ଣ୍ଣ ଏକୁଟିଆ ହେଇଗଲେ। ସିଏ ଆଉ କାହାକୁ ସାଥୀ ବୋଲି ଭାବିବେ। କାହାକୁ ନିଜ ମନ କଥା କହିବେ। କାହା ସହିତ ବସି ଦୁଃଖ ସୁଖ ହେବେ। ଭାରି ବାଧିଲା ତାଙ୍କୁ। ଆଉ ପିଲା ମାନଙ୍କ କଥା ଭାବି ଭାବି ଦିନ କୁ ଦିନ ଭାଙ୍ଗି ପଡ଼ିଲେ। ଶରୀର କ୍ଷୀଣ ହେଇଗଲା। ଏଇ ସମୟରେ ସାନ ପୁଅ ବଡ଼ ଭାଇ ପାଖକୁ ବୁଲି ଯିବା ପାଇଁ ଯୋଜନା କଲା। ବାମ ବାବୁ ଙ୍କୁ ଆସି କହିଲା। ବାମ ବାବୁ ସହମତି ଦେଲେ ଯିବା ପାଇଁ। କାରଣ ସାନ ପୁଅ ତାଙ୍କୁ ଅନୁମତି ମାଗି ନଥିଲା କେବଳ ଜଣେଇଲା।ସେ ହଁ ନକହିଲେ ବି ସିଏ ଯିବ। ତେଣୁ ତା କଥାରେ ସହମତ ହେବା ଉଚିତ୍ ମନେ କରି ସେ ହଁ ଯାଅ ବୋଲି କହିଲେ। ସାନ ପୁଅ ବୋହୁ ବିଦେଶ ବୁଲିବାକୁ ଗଲା ପରେ, ବାମ ବାବୁ ଆଉ ଖିଆ ପିଆ କଲେନି କେବଳ ଚୁପ୍ ହେଇ ବସିଲେ। ଏହା ଦେଖି ତାଙ୍କ ଭୃତ୍ୟ ହରିଆ ତାଙ୍କୁ ଖାଇବା ପାଇଁ କହିଲା। ହେଲେ ନା ଖାଇଲେ ନା କାହା ସହିତ କଥା ହେଲେ। କେବଳ ଚୁପ୍ ହେଇ ବସିଲେ। ସାନ ପୁଅ ଯିବାର ଚାରି ଦିନରେ ଦିନେ ରାତିରେ ଶୋଇଲେ ଯେ ତା ପରଦିନ ସକାଳେ ଆଉ ଉଠିଲେନି। ହରିଆ କେତେ କବାଟ ବାଡ଼େଇଲା, ହେଲେ ଭିତରୁ କିଛି ଶବ୍ଦ ଶୁଭିଲାନି। ତେଣୁ ବାଧ୍ୟ ହେଇ କବାଟ ଭାଙ୍ଗି ଦେଖିଲା ବେଳକୁ ବିରାଟ ଖଟ ଉପରେ କେବଳ ନିସ୍ତେଜ ଶରୀର ଟି ପଡ଼ିଛି। ହରିଆ ଦେଖି ବିଚଳିତ ହେଇଗଲା। ବାବୁ ବାବୁ କହି ଶରୀରଟାକୁ ହଲେଇ ପକେଇଲା। ବିକଳ ହୋଇ କାନ୍ଦିବାକୁ ଲାଗିଲା। ଟିକେ ପ୍ରକୃତିସ୍ଥ ହୋଇ ସବୁ ପୁଅଙ୍କୁ ଖବର ଦେଲା। ଅପେକ୍ଷା କଲା ପୁଅମାନଙ୍କ ଆସିବା ବାଟକୁ। ସଂନ୍ଧ୍ୟା ହେଇଗଲା କେହି ଆସିଲେନି। ମନେ ମନେ ବିଚାର କଲା କେହି ନ ଆସନ୍ତୁ। ମୁଁ ବାବୁ ଙ୍କ ଶବ କୁ ବାସି ମଡ଼ା, କରି ପାରିବିନି। ମୁଁ ତାଙ୍କ ଅନ୍ନ ଖାଇଛି। ଆଜି ସମୟ ଆସିଛି ମତେ ମୋ କର୍ତ୍ତବ୍ୟ କରିବା ପାଇଁ। ମୁଁ ନିଶ୍ଚୟ କରିବି। ଏହା ସ୍ଥିର କରି ସେଇ ଘରର ସମସ୍ତ ଲୋକଙ୍କୁ ଏକାଠି କରି ବାମ ବାବୁ ଙ୍କ ଶବକୁ ନେଇ ଶ୍ମଶାନ ପଳେଇଲା। ହେଲେ ମୂଖାଗ୍ନି ଦବ କିଏ। ପ୍ରଶ୍ନ ଉଠିଲା। ହରିଆ କଣ କରିବ।ସେ ଶ୍ମଶାନ ର ଚାରି ଆଡ଼କୁ ଚାହିଁଲା ଚିନ୍ତା କଲା ଏଠି କେହି କାହାର ନୁହଁ। ମୁଁ ବି ତ ଦିନେ ନା ଦିନେ ଯିବି। ମତେ କିଏ ମୁଖାଗ୍ନି ଦେବ। ଏମିତି ଚିନ୍ତା କରୁ କରୁ ଯେମିତି ଅନ୍ତରାତ୍ମା କହିଲା ଯାରେ ହରିଆ ଆଜି ସମୟ ତତେ ସୁଯୋଗ ଦେଇଛି ତୋ ବାବୁଙ୍କ ପାଇଁ କିଛି କରିବା ପାଇଁ। ତାପରେ ସେ ଆଉ କିଛି ନ ଭାବି ମୁଖାଗ୍ନି ଦେଲା। ମନେ ମନେ କହି ହେଲା ଆଜି ମୁଁ ଋଣ ମୁକ୍ତ।
ହେଲେ ଶ୍ମଶାନ ଯିଏ ହେଉଛି ଜୀବନ୍ତ ସାକ୍ଷୀ,ଏଇ ଅଗ୍ନିରେ ଜଳୁଥିବା ଶବର। କେତେ ଶବ ଦେଖୁଛି। କେତେ ଅଭିଜ୍ଞତା ତାର। ସିଏ ବି ବିଳାପ କରୁଛି ଶବ କୁ ଦେଖି, ଆଉ କହୁଛି ରେ ମଣିଷ ଦେଖ ତୋ ପ୍ରାଣ ବାୟୁ ଉଡ଼ିଗଲା ପରେ ଆଜି କେମିତି ତୁ ଜଡ଼ ହେଇ ପଡ଼ିଛୁ। ତତେ ଶବ ବୋଲି କହି କେହି ଛୁଇଁବାକୁ ଚାହୁଁ ନାହାଁନ୍ତି।ଯୋଉଠି ଦିନେ ତତେ ହାତ ଯୋଡ଼ି ପ୍ରଣାମ କରୁଥିଲେ ଆଜି ସେଇଠି ହାତ ହଲେଇ ମନା କରି ଦେଉଛନ୍ତି। ଯୋଉ ଘର ଦ୍ବାର, କୋଠା ବାଡ଼ି, ପୁଅ ଝିଅ, ବନ୍ଧୁ ବାନ୍ଧବ ସମସ୍ତଙ୍କୁ ମୋର ମୋର ବୋଲି କହି ଆବୁରି ବସୁଥିଲୁ ଦେଖ ଆଜି ତୋ ପାଖରେ କେହି ନାହାନ୍ତି। ତୁ ସମ୍ପୂର୍ଣ୍ଣ ଏକୁଟିଆ। ତୋ ସାଥିରେ ନା କେହି ଯିବେ ନା ତତେ କିଛି ଦେବେ ବରଂ ଯାହା ପିନ୍ଧି ଥିବୁ ତାକୁ ବି କାଢ଼ି ରଖିବେ। ଆରେ ତତେ ବିଦା କଲା ବେଳକୁ ପୁରୁଣା ନୁଣ୍ଡି ଛାଞ୍ଚୁଣି ଖୋଜିବେ। ପୁରୁଣା ବାସନ ଖୋଜିବେ। ଚାରି କାନ୍ଧ ତତେ ଦେବେ କି ନାହିଁ ବୋଲି ଭାବିବେ। ପୁଣି କିଏ ତତେ ମୁଖାଗ୍ନି ଦେବେ ବୋଲି ଖୋଜା ପଡ଼ିବ। ତୋ ପାଇଁ କେହି ଆଖିରୁ ଲୁହ ଝରେଇବା ପାଇଁ ନାହିଁ। ତୁ ଅଯଥାରେ ନିଜର ନିଜର କହି ସର୍ବସ୍ୱ ସାରୁଛୁ। ମିଛ ରେ ଅନ୍ୟ ପଛରେ ଗୋଡ଼ଉଛୁ। ଦିନେ ହରି ନାମ ନେଲୁ ନାହିଁ। ଦିନେ ପରୋପକାର କଲୁ ନାହିଁ। ଆରେ ଆଜି ଶବ ହେଇ ପଡ଼ିଛୁ। ଦିନେ ତୁ କାହା ପାଇଁ ଶୁଭ ଥିଲୁ ଆଉ ଆଜି ଶବ ହେଇ ଅଶୁଭ ହୋଇଗଲୁ। ମୁଁ ନିରୁପାୟ। ମୁଁ ମୋ କର୍ତ୍ତବ୍ୟରେ ବନ୍ଧା। ମୁଁ ହେଉଛି ତୋର ଶେଷ ଠିକଣା। ତୁ ଯାହାବି ହେଲେ ଶେଷରେ ମୋ ପାଖକୁ ହିଁ ଆସିବୁ। ଯେତେ ଠିକଣା ତୁ ଯାହାକୁ ଦେଲେବି ଶେଷରେ ତତେ ଏଇଠି ହିଁ ପାଇବେ। ତୁ କାହା ପାଇଁ ଏତେ ଆତୁର। ବାମ ବାବୁ ଙ୍କ ଅବସ୍ଥା ଦେଖି ରେ ମଣିଷ କିଛି ଶିଖ୍। କାଳ ପୁରିବା ପୂର୍ବରୁ ସାବଧାନ ହେଇଯା।ନହେଲେ ବୃଥା ଖାଲି ଭ୍ରମିବୁ। ମୁଁ କେବଳ ତତେ ବୁଝେଇ ପାରିବି। ତୋ ପାଇଁ ଦୁଃଖ କରି ପାରିବି। ମୁଁ ଆଜି ଖାଲି ତୋ ପାଇଁ କାନ୍ଦୁଛି। ମୁଁ ଅନାନ୍ୟୋପାୟ।
ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା
ଅର୍ଥନୀତି ବିଭାଗ
ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ
କଟକ
ମୋ: ୯୯୩୭୪୩୪୯୨୨