କରାଟେରେ ରାଜେଶଙ୍କୁ ସ୍ୱର୍ଣ୍ଣ ପଦକ

କରାଟେରେ ରାଜେଶଙ୍କୁ ସ୍ୱର୍ଣ୍ଣ ପଦକ

ଟାଙ୍ଗୀ,୧/୯ : ବାଲେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟସ କମ୍ପେ୍ଲକ୍ସରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ୨ଟି ପଦକ ଜିଣି ଟାଙ୍ଗୀ କୋଟସାହିର ରାଜେଶ ସାହୁ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଛତିଆ ଓ ଟାଙ୍ଗୀ ସ୍ଥିତ ଟ୍ରାଡିଶନାଲ କରାଟେ ଏକାଡେମୀର ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ୧୨ଟି ସ୍ୱର୍ଣ୍ଣ ସହ ୩୩ଟି ପଦକ ଜିତିଥିଲେ ।

ସେମାନଙ୍କ ମଧ୍ୟରେ ଟାଙ୍ଗୀ କରାଟେ ଏକାଡେମୀର ରାଜେଶ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ସଫଳତା ହାସଲ କରିଛନ୍ତି । ଏଥିରେ ସାଇ ସନକ କୁମାର ଦେଓ, ସତ୍ୟରଞ୍ଜନ ପଟ୍ଟନାୟକ ଓ ଗୋପାଳକୃଷ୍ଣ ନାୟକ ରେଫରୀ ଦାୟିତ୍ୱ ତୁଲାଇଥିଲେ । ରାଜେଶ ବର୍ତ୍ତମାନ ମଣିଆସ୍ଥିତ ଡିଏଭି ପବ୍ଲିକ ସ୍କୁଲର ନବମ ଶ୍ରେଣୀରେ ପଢୁଛନ୍ତି । ଏହି ସଫଳତା ପାଇଁ ବିଭିନ୍ନ ସଙ୍ଗଠନ ସମେତ ସମ୍ପର୍କ ଅନୁଷ୍ଠାନର ମୁଖ୍ୟ ଯୋଗେଶ ଚନ୍ଦ୍ର ସ୍ୱାଇଁ ରାଜେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।