୨୭ତମ ବିଡିଏ ଉପାଧ୍ୟକ୍ଷ ପଦ ସମ୍ଭାଳିଲେ ଚଞ୍ଚଳ ରାଣା ; ପ୍ରଥମ ଦିନରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ଚର୍ଚ୍ଚା
ଭୁବନେଶ୍ୱର,୧୭/୧୦: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ୨୭ତମ ଉପାଧ୍ୟକ୍ଷ ଭାବେ ଶୁକ୍ରବାର ଚଞ୍ଚଳ ରାଣା, ଭା.ପ୍ର.ସେ ଦାୟିତ୍ବ ଗ୍ରହଣ କରିଛନ୍ତି। ପଦଗ୍ରହଣର ପ୍ରଥମ ଦିନରୁ ହିଁ, ସେ ବିଡିଏର ଅଧିକାରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ବୈଠକ କରିଛନ୍ତି। ଏହା ସହିତ ଆଗାମୀ ଦିନରେ ଭୁବନେଶ୍ୱରର ବିକାଶ ପ୍ରକ୍ରିୟାକୁ ନୂତନ ଦିଗନ୍ତ ପ୍ରଦାନ କରିବା ପାଇଁ କେଉଁ କ୍ଷେତ୍ରମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ସେ ବିଷୟରେ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ବିଡିଏ କାର୍ଯ୍ୟାଳୟରେ ପଦଗ୍ରହଣ ପରେ ଶ୍ରୀ ରାଣା ଅଧିକାରୀମାନଙ୍କୁ କହିଛନ୍ତି ଯେ, ଭୁବନେଶ୍ୱରକୁ ଏକ ଆଧୁନିକ, ସ୍ମାର୍ଟ ଏବଂ ସ୍ବଚ୍ଛ ସହରଭାବେ ଗଢ଼ିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବେ । ଉକ୍ତ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏହି ଅବସରରେ ସହରର ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା କରିବା ସହ ରାଜଧାନୀର ବିକାଶ କ୍ଷେତ୍ରମାନଙ୍କୁ ପ୍ରାଧାନ୍ୟ ଦେବା ଉପରେ ଜୋର ଦିଆଯାଇଛି। ଅଧିକାରୀମାନେ ମଧ୍ୟ ଏହି ବୈଠକରେ ନିଜର ମତାମତ ରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କ ନୀତି ଅନୁସାରେ କାର୍ଯ୍ୟ କରିବାକୁ କହିଛନ୍ତି । ତାଙ୍କ ଅଭିଜ୍ଞତା ଓ ଦୃଷ୍ଟିଭଙ୍ଗୀ ଭୁବନେଶ୍ୱରର ବିକାଶ କାର୍ଯ୍ୟକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି । ବୈଠକରେ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଶ୍ରୀ ରାଣାଙ୍କୁ ବିଏମ୍ସି କମିସନର ସହ ବିଡିଏର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି। ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ରହିବେ।

Editor 


