ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୋଟଚୋରୀ ଓ ଚାକିରି ବିକ୍ରି ବିରୁଦ୍ଧରେ ବିକ୍ଷୋଭ

ଭୁବନେଶ୍ୱର, ୯/୧୦ : ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଭୋଟ ଚୋରି ଓ ଚାକିରି ବିକ୍ରୀ ବିରୁଦ୍ଧରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ଉଦୟ ଭାନୁ ଚିବ୍ ଯୋଗଦେଇଥିଲେ । ଉଦୟ ଭାନୁ ଚିବ୍ଙ୍କୁ ସତ୍ୟନଗର ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଚିବ୍ କହିଥିଲେ ଯେ, ମୋଦି ସରକାର ଓ ମୋହନ ସରକାର ନିର୍ବାଚିତ ସରକାର ନୁହଁନ୍ତି । ସାଧାରଣ ଲୋକଙ୍କ ଭୋଟକୁ ଚୋରି କରାଯାଇ ଏହି ସରକାର ଗଠନ କରାଯାଇଛି । ଆଜିର “ପ୍ରତାରଣା ପ୍ରତିବାଦ ସମାବେଶ” ମାଧ୍ୟମରେ ଓଡ଼ିଶାର ଯୁବ ସମାଜ କେବଳ ଭୋଟଚୋରି ଓ ଚାକିରି ବିକ୍ରୀ ନୁହେଁ ଓଡ଼ିଶାରେ ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ସେମାନଙ୍କର ଅସନ୍ତୋଷକୁ ବ୍ୟକ୍ତ କରିଛନ୍ତି ।
ଭୋଟ ଗ୍ରହଣ ଦିନ ସନ୍ଧ୍ୟା ୫ଟାରୁ ରାତି ୯ ଟା ମଧ୍ୟରେ ଓଡ଼ିଶାରେ ୪୨ ଲକ୍ଷ ଭୋଟ ଗ୍ରହଣ କରାଯାଇଥିବା ଆଶ୍ଚର୍ଯ୍ୟଜନକ ଘଟଣା । ଏହା ଭୋଟ ଚୋରିକୁ ପ୍ରମାଣିତ କରୁଛି । ସେହିଭିଳି ବିଜେଡ଼ି ସରକାରରେ ଥାଇ ମଧ୍ୟ ୨୧ଟ ଲୋକସଭା ଆସନରୁ ଗୋଟିଏବି ଆସନରେ ଜୟଲାଭ କରିପାରିଲା ନାହିଁ । କଂଗ୍ରେସ ଗୋଟିଏ ଆସନ ଜିତିଥିବା ବେଳେ ବାକି ୨୦ଟି ଆସନ ବିଜେପି ପୋଛିନେଲା । ୫୧ଟି ବିଧାନସଭା ଆସନରେ ବିଜୟଲାଭ କରିମଧ୍ୟ ବିଜେଡ଼ି ଗୋଟିଏ ଲୋକସଭା ସିଟ ପାଇପାରିଲା ନାହିଁ । ବ୍ୟାପକ ଭୋଟ ଚୋରୀ ହୋଇଥିବାର ପ୍ରମାଣ ପାଇ ମଧ୍ୟ ବିଜେଡ଼ି ନୀରବ ରହିବା, ଏ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ନକରିବା ଅର୍ଥ ଭୋଟି ଚୋରିକୁ ସମର୍ଥନ ଜଣାଇବା । ଜନନାୟକ ରାହୁଲ ଗାନ୍ଧୀ ଭୋଟ ଚୋରି ବାବଦରେ ଯେଉଁ ସପ୍ରମାଣ ଉଦାହରଣ ଦେଇଛନ୍ତି ତାହା ସାର ଦେଶରେ ଭୋଟର ମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଗୋଟିଏ ଠିକଣାରେ ଶତାଧିକ ଭୋଟର, ଗୋଟିଏ ଠିକଣାରେ ବିଭିନ୍ନ ଧର୍ମର ଶତାଧିକ ଭୋଟର, ଫରଜି ଫଟୋ ଥିବା ଭୋଟର, ଫରଜି ଠିକଣା ଥିବା ଭୋଟର, ଶୂନ୍ୟ ଠିକଣାରେ ଶତାଧିକ ଭୋଟର ପ୍ରଭୃତି ସାରା ଦେଶଷର ବହୁ ବାସ୍ତବ ଉଦାହରଣ ଦେଇ ରାହୁଲଜୀ ନିର୍ବାଚନ କମିଶନର ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକାର ଖୋଲାସା କରିଛନ୍ତି । ସୁତରାଂ ଏ ଦେଶର ଭୋଟର ମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ନିର୍ବାଚନ କମିଶନର ଅପହରଣ କରିନେଇଛନ୍ତି । ବିଜେପି ଓ ମୋଦିଙ୍କ ହାତରେ ନିର୍ବାଚନ କମିଶନର ଜଣେ କାଠ କଣ୍ଢେଇ ଭଳି କାମ କରିଛନ୍ତି । ଶ୍ରୀ ଚିବ୍ କହିଲେ ଯେ ବିଜେପି ଏବଂ ଏହାର ଛାମୁଆ ସଂଗଠନ ଦେଶରେ ଓ ଓଡ଼ିଶାରେ ବିଷମଞ୍ଜି ବୁଣିବାପାଇଁ ଲଗାତାର ହୀନ ଚକ୍ରାନ୍ତ କରୁଛନ୍ତି । ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଉପରକୁ ଯୋତା ଫୋପାଡ଼ିବା ଅର୍ଥ ଗଣତନ୍ତ୍ର, ସମ୍ବିଧାନ ଏବଂ ଏ ଦେଶରେ ସାଧାରଣ ଜନତାଙ୍କ ଉପରକୁ ଯୋତା ଫୋପାଡ଼ିବା ସହ ସମାନ । ବିଜେପି ଏବଂ ଏହାରେ ସହଯୋଗୀ ଗୈରିକ ସଂଗଠନ ଗୁଡ଼ିକ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସାଂଘାତିକ ଅସମ୍ମାନିତ କରୁଛନ୍ତି ।
ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ଶ୍ରୀ ଚିବ୍ ଉଦବେଗ ପ୍ରକାଣ କରିଥିଲେ । ସେ କହିଥିଲେ ଏଠି ଦିନକୁ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୬୫ ହଜାର ମହିଳା ନିଖୋଜ ଅଛନ୍ତି । ମୋହନ ସରକାରରେ ମହିଳାମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କେନ୍ଦୁଝର ଆଦିବାସୀ ମହିଳା ଦୁଷ୍କର୍ମ ଓ ହତ୍ୟା, ତାଳଚେର ମହିଳା ଦୁଷ୍କର୍ମ ଓ ହତ୍ୟା, ଗୋପାଳପୁର ସମୁଦ୍ରକୂଳ ମହିଳା ଦୁଷ୍କର୍ମ, ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଆତ୍ମହତ୍ୟା କରିବା ଚାପ ପ୍ରୟୋଗ ଘଟଣାରୁ ଏଠିକାର ମହିଳା ମାନଙ୍କର ଅବସ୍ଥା କଣ ତାହା ସ୍ପଷ୍ଟ ହୋଇପଡ଼ୁଛି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ସରକାରୀ ଦପ୍ତରରେ ମହିଳାମାନେ ସୁରକ୍ଷିତ ନାହାନ୍ତି । ଏପରିକି ମହିଳା ପୋଲିସ ମଧ୍ୟ ସୁରକ୍ଷିତ ନାହାନ୍ତି । ହତ୍ୟା ଏବଂ ଡ୍ରଗ୍ସ କାରବାର ଦିନକୁ ଦିନ ବଢ଼ି ଚାଲିଛି । ଗୃହ ବିଭାଗ ସଂପୂର୍ଣ୍ଣଭାବେ ଅପାରଗ ଓ ଅକ୍ଷମ ।
ମୋଦି ସରକାର ଓ ମୋହନ ସରକାରରେ ସରକାରୀ ଚାକିରି ସବୁ ପରୀକ୍ଷା ପୂର୍ବରୁ ନିଲାମ ହୋଇଯାଉଛି । ଦୁଇ ସରକାର ବିଭିନ୍ନ ସରକାରୀ ପଦବୀର ବଜାର ଦର ନିରୁପଣ କରୁଛନ୍ତି । ଓଡ଼ିଶାରେ ପୋଲିସ ଏସଆଇ ପଦବୀକୁ ୨୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବାର ଲୋକଲୋଚନକୁ ଆସିଛି । ପୋଲିସ ଏସଆଇ ପଦବୀ ବିକ୍ରୀ ପାଇଁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ ହୋଇଥିବାର ଅଭିଯୋଗ ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଏବଂ ସେହି ସଂସ୍ଥା ପକ୍ଷରୁ ଯେଉଁ ପ୍ରାଇଭେଟ ସଂସ୍ଥାକୁ ପୋଲିସ ଏସଆଇ ପରୀକ୍ଷା କରିବାକୁ ଦିଆଯାଇଥିଲା ସେହି ସଂସ୍ଥା ୧୧୪ ଜଣଙ୍କୁ ପରୀକ୍ଷାର ପ୍ରଶ୍ନପତ୍ର ବସ ଯୋଗେ ଆନ୍ଧ୍ର ନେଇଯାଉଥିଲେ । ସେମାନଙ୍କ ଠାରୁ ଅଗୀମ ୧୦ଲକ୍ଷ ଅଗ୍ରୀମ ନିଆଯାଇଥିବାର ଅଭିଯୋଗ ହୋଇଛି । ଏଥିରେ ଶତାଧି କକୋଟି ଟଙ୍କାର ଡିଲ ହୋଇଥିବାର ଜଣାପଡ଼ୁଛି । ମାତ୍ର କାଇମବ୍ରାଞ୍ଚ ତଦନ୍ତ ଲୋକ ଦେଖାଣିଆ ଭାବେ ଦିଆଯାଇଛିି । ପୋଲିସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଏହି ଦୁର୍ନୀତିର ପରିସର ଭିତରକୁ ଆସୁଥିବାରୁ କ୍ରାଇବ୍ରାଞ୍ଚ ଏହାର ତଦନ୍ତ କରିବାକୁ ସକ୍ଷମ ହେବ ନାହିଁ । ସୁତରାଂ ଯୁବ କଂଗ୍ରେସ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି ।
ଓଡ଼ିଶା ରତ୍ନଗର୍ଭା ହୋଇଥିଲେ ବି ଓଡ଼ିଶାର ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ୧୧ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରି ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ଓଡ଼ିଶାରେ ବିଜେପି ଦଳ ୫ ବର୍ଷରେ ସାଢ଼େ ତିନି ଲକ୍ଷ ନିଯୁକ୍ତି ଦେବାପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ବେଳେ ଦେଢ଼ ବର୍ଷରେ ଏହି କାମ ଆରମ୍ଭ କରିପାରି ନାହିଁ । ଏହି ସରକାର ନିଯୁକ୍ତି ଦେବ କ’ଣ କେବଳ ସରକାରୀ ଚାକିରିକୁ ବିକ୍ରୀ କରିବାପାଇଁ ଷଡଯନ୍ତ୍ର କରୁଛି । ସୁତରାଂ ଆଜିର ଆନ୍ଦୋଳନ ଭୋଟ ଚୋରି ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଓଡ଼ିଶାରେ ଚାକିରି ବିକ୍ରୀ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଆୟୋଜିତ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ମହେଶ ଦେଶମୁଖ ଯୋଗଦେଇ ଭୋଟ ଚୋରି ଓ ଚାକିରି ବିକ୍ରୀ ବିରୋଧରେ ନିର୍ବାଚନ କମିଶନର ଓ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ଓଡ଼ିଶ।।ର ଯୁବକ ଯୁବତୀମାନଙ୍କର ଅଧିକାର ପାଇଁ ଯୁବ କଂଗ୍ରେସ ଲଢ଼େଇ ଜାରି ରଖିବ । ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଶାଣିତ ଓ ବେସାଲିସ ସ୍ୱର । ଆମେ ପ୍ରତି ଗାଁରେ ଘର ଘର ବୁଲି ଭୋଟ ଚୋରି ବାବଦରେ ଜନସଚେତନତା କାର୍ଯ୍ୟ ଚାଲୁ ରଖିଛୁ । ଓଡ଼ିଶାର ବେକାର ଯୁବକଯୁବତୀ ମାନଙ୍କର ନିଯୁକ୍ତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ନିର୍ଯାତନା ଓ ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଯୁବ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ । ଏଥି ସହ କଟକରେ ଭାଇଚାରା ବଜାୟ ରଖିବା ପାଇଁ ଶ୍ରୀ ପାତ୍ର ବିନ୍ରମ ନିବେଦନ କରିଥିଲେ । ବିକ୍ଷୋଭ ପରେ ଯୁବ କଂଗ୍ରେସର କର୍ମୀ ଓ କର୍ମକର୍ତ୍ତାମାନେ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଉଥିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ପଥ ଅବରୋଧ କରିଥିଲା । ଯୁବ କଂଗ୍ରେସ ପକ୍ଷରୁ ୨ଟା ବାରିକେଡ ଭଙ୍ଗା ଯାଇଥିଲା । ପୋଲିସ ସହିତ ସେଠାରେ ବହୁ ସମୟ ଧରି ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଓ ଅନ୍ୟମାନଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରିଫ କରିଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ରମେଶ ଜେନା, ଅଖିଳ ଭାରତ ଯୁବ କଂଗ୍ରେସର ସମ୍ପାଦକ ରିୟାନା ରାଜୁ ଓ ସହ ସମ୍ପାଦିକା ଖୁସି ଟିଗା, ମନୋଜ ଜେନା, ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ଜାତୀୟ ଯୁବ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଦିପ ସାମଲ, ଅଭିଳାଷ ମାଣିଆ, ଇଂ. ଅମରେଶ ପରିଡ଼ା, କୃଷ୍ଣ ମହାନ୍ତି, ଗଣେଶ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ନିହାର ବେହେରା, ଗୋପନ ମାର୍ଥା, ଅଭିଜିତ ଜେନା, ସ୍ୱାଗତ କର, ମହମ୍ମଦ ଗୁଲଫାମ, କେଦାର ଦଳାଇ, ଲକ୍ଷ୍ମିପ୍ରିୟା ନାୟକ, ଲିପିକା ପାତ୍ର, ସୁଶ୍ରୀ ବେହେରା, ସୃଜନିକା ରାଉତ, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, ବିରଞ୍ôଚ ବାରିକ, ଆଲୋକ ଦାସ, ସୁନେଶ ଧିର, ବିପ୍ଳବ ଶିଲାଦିତ୍ୟ, ମୋହନ ନାୟକ, ଅମିତ ଆଚାର୍ଯ୍ୟ, ଅଙ୍କିତ ସାହୁ, ନିରଞ୍ଜନ ଦାସ, ଜ୍ଞାନ ରଞ୍ଜନ ରାଉତ, ସାହାରୁଖ ଖାନ, କାର୍ତ୍ତିକେଶ୍ୱର କାଣ୍ଡି, ମହମ୍ମଦ ପରଭେଜ, ରାହୁଲ ମହାନ୍ତି, ସୁରଜ ରାଉତ, ବଳରାମ ନନ୍ଦ, ରଣଜିତ ସେନାପତି, ସନ୍ଦୀପ ରାଉତରାୟ, ପବିତ୍ର ସେଠୀ, ସୌରଭ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।