୭୯ବର୍ଷରେ ନବୀନ ପଟ୍ଟନାୟକ

୭୯ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ବର,୧୬/୧୦ : ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମିତ ନବୀନ ଜୀବନର ୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ରାଜନୀତିରୁ ଦୂରରେ ଥିଲେ। ବାପା ବିଜୁ ବାବୁଙ୍କ ମୃତ୍ୟୁ ପରେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ବିଜେଡି ଗଠନ ହୋଇଥିଲା। ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିବା ପରେ ନବୀନ ଲଗାତର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ଼ କରିଥିଲେ।

୨୪ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା। ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ଜିତିଥିଲେ ବି କଣ୍ଟାବାଞ୍ଜି ଆସନରୁ ପରାଜିତ ହୋଇଥିଲେ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ଅପରାଜେୟ ନେତା ଭାବେ ପରିଗଣିତ ହେଉଥିବା ନବୀନଙ୍କୁ ପ୍ରଥମଥର ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ଏବେ ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଓ ନବୀନ ବିରୋଧୀ ଦଳ ନେତା।