ଗୁଡ୍ଡା ଗୁଡ୍ଡି ବିବାହରେ ରଙ୍ଗିଲା କୁମାର ପୂର୍ଣ୍ଣିମା

ଗୁଡ୍ଡା ଗୁଡ୍ଡି ବିବାହରେ ରଙ୍ଗିଲା କୁମାର ପୂର୍ଣ୍ଣିମା

ଭୁବନେଶ୍ବର,୧୦/୧୦ : ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମରେ ଆନନ୍ଦ ଉଲ୍ଲାସରେ କୁମାର ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଅବିବାହିତ ଝିଅମାନେ ଉପବାସ କରି ଚନ୍ଦ୍ରଙ୍କୁ ପୂଜା କରିବା ସହ ନୂତନ ବସ୍ତ୍ର ପିନ୍ଧି ଗୀତ, ନୃତ୍ୟ ଓ ପାରମ୍ପରିକ ଖେଳକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ପୂଜା କରାଯାଇଥିଲା। କୁମାରୀମାନେ କାକରା ପିଠା ଓ ଚାନ୍ଦ ଖାଇ ଉପବାସ ଭାଙ୍ଗିଥାନ୍ତି। ମହାନ୍ତିପାଟଣା ଗ୍ରାମରେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଗୁଡ୍ଡା ଗୁଡ୍ଡିଙ୍କ ବିବାହ କରାଯାଇଥାଏ ।

ଏହି ଆୟୋଜନରେ ଶିଶୁମାନେ ସକ୍ରିୟ ଭାବେ ଯୋଗଦେଇ ସମଗ୍ର ପରିବେଶକୁ ଆନନ୍ଦ ଉଲ୍ଲାସମୟ କରିଥାନ୍ତି। ଗୁଡ୍ଡା ଗୁଡ୍ଡି ଏକ ମିଛିମିଛିକା ବିବାହ ଉତ୍ସବ ଯାହା ଏହି ପର୍ବରୁ ଖୁସିକୁ ଦ୍ବୁଗୁଣିତ କରିଥାଏ। ଏହି କାର୍ଯ୍ୟକ୍ରମ ଓଡ଼ିଆ ପରମ୍ପରାର ସ୍ମୃତି ପୁନର୍ଜୀବିତ କରିଥାଏ। ଏହି ବିବାହ କାର୍ଯ୍ୟକ୍ରମରେ କୁନି କୁନି ବର କନ୍ୟାଙ୍କ ବିବାହ ହୋଇଥିଲା। ବର ସହ ବରଯାତ୍ରୀମାନେ ରୋଷଣି କରି ଯାଇଥିଲେ। କନ୍ୟାପକ୍ଷରୁ ସ୍ବାଗତ କରାଯିବା ସହ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଗ୍ରାମର ଲୋକେ ଆସି ଏହି ବିବାହରେ ସାମିଲ ହୋଇ ବରକନ୍ୟାକୁ ଆଶୀର୍ବାଦ ଦେବା ସହ ଭୋଜିଭାତର ଆନନ୍ଦ ନେଇଥିଲେ। ପ୍ରାୟ ୫୦ ବର୍ଷ ହେବ ଗାଁରେ ଏମିତି ଗୁଡ୍ଡା ଗୁଡ୍ଡି ବିବାହ ହୋଇଆସୁଛି ।