ହାପି ବର୍ଥ ଡେ’ ବିଗ୍ ବି

ମୁମ୍ବାଇ,୧୧/୧୦ : ଅମିତାଭ ବଚ୍ଚନ । ତାଙ୍କୁ କିଏ ବା ନ ଜାଣେ । ନାଁ ହିଁ ଯଥେଷ୍ଟ । ଘରେ ଘରେ ପରିଚିତ । ବଲିଉଡ଼ରେ ବିଗ୍ ବି ନାମରେ ଜଣାଶୁଣା । ଆଜି ତାଙ୍କର ଜନ୍ମଦିନ ଅବସରରେ ‘ଓଡ଼ିଶା ଅପଡେଟ’ ପରିବାର ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା ଜଣାଉଛୁ । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କିତ କିଛି ଜଣା ଅଜଣା କଥା ।
ଅମିତାଭ ବଚ୍ଚନଙ୍କ ପୂରା ନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍ରେ ସେ ଅଭିନୟ କରିଥିବା ଚରିତ୍ର ଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍ର ଶେହେନ୍ଶାହ, ସୁପର୍ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା ।
ଦୀର୍ଘ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି ଅମିତାଭ । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ ।
୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire ? ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍ପତି ?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍ସ୍ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍ଫ୍ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍ରେ ନିଜ ପାଦ ଥାପିଥିଲେ ।
ବାଲ୍ୟକାଳ ଏବଂ ଶିକ୍ଷା
ଅମିତାଭ ବଚ୍ଚନ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶ ରାଜ୍ୟରେ ଥିବା ଆଲ୍ହାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଭାରତ ବ୍ରିଟିଶ୍ ଶାସନାଧୀନ ଥିଲା । ତାଙ୍କ ପୂର୍ବ ପୂରୁଷମାନେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଥିବା ରାଣୀଗଞ୍ଜ ତାଲୁକାର ବାବୁପତି ଗ୍ରାମରେ ବସବାସ କରୁଥିଲେ । ତାଙ୍କ ପିତା ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ) ଜଣେ ଜଣାଶୁଣା ହିନ୍ଦୀ କବି ଓ ମାତା ତେଜୀ ବଚ୍ଚନ ପଞ୍ଜାବଠାରେ ଥିବା ଲିଆଲ୍ପୁର (ବର୍ତ୍ତମାନର ଫୈସଲାବାଦ)ର ଜଣେ ପଞ୍ଜାବୀ ଶିଖ୍ ଥିଲେ । ଅମିତାଭ ତାଙ୍କ ମାତାପିତାଙ୍କର ପ୍ରଥମ ସନ୍ତାନ । ତାଙ୍କ ସାନ ଭାଇଙ୍କ ନାମ ଅଜିତାଭ ବଚ୍ଚନ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ବହୁଳ ଭାବରେ ବ୍ୟବହୃତ ହୋଇଥିବା ସ୍ଲୋଗାନ୍ ଇନ୍କିଲାବ୍ ଜିନ୍ଦାବାଦ୍ଦ୍ୱାରା ପ୍ରେରିତ ହୋଇ ଅମିତାଭଙ୍କ ମାତାପିତା ତାଙ୍କ ନାମ ଇନ୍କିଲାବ୍ ରଖିଥିଲେ । ଇନ୍କିଲାବ୍ର ଅର୍ଥ ବିପ୍ଳବ ବଞ୍ଚିରହୁ । କିନ୍ତୁ ପରବର୍ତ୍ତୀ ସମୟରେ ହରିବଂଶ ରାୟ ତାଙ୍କର ଜଣେ ସାଥି କବି ସୁମିତ୍ରାନନ୍ଦନ ପନ୍ତଙ୍କ ପରାମର୍ଶକ୍ରମେ ଅମିତାଭଙ୍କ ନାମ ଇନ୍କଲାବ୍ରୁ ବଦଳାଇ ଅମିତାଭ ରଖିଥିଲେ ।
ଅମିତାଭ ଅର୍ଥ କେବେ ବି ଲିଭୁ ନ ଥିବା ଆଲୋକ । ଯଦିଓ ହରିବଂଶ ରାୟଙ୍କ ପ୍ରକୃତ ସାଙ୍ଗିଆ ଶ୍ରୀବାସ୍ତବ, ସେ ନିଜର ଛଦ୍ମନାମ ହରିବଂଶ ରାୟ ବଚ୍ଚନ ରଖିଥିଲେ ଏବଂ ଏହି ନାମରେ ତାଙ୍କର ସମସ୍ତ ରଚନା ମୁକ୍ତଲାଭ କରିଛି । ଏହି ବଚ୍ଚନ ସାଙ୍ଗିଆ ସହିତ ଅମିତାଭ ନିଜ ପ୍ରଥମ ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ ଏବଂ ନିଜ କାର୍ଯ୍ୟକ୍ଷେତ୍ରରେ ସର୍ବତ୍ର ସେ ଏହି ସାଙ୍ଗିଆ ହିଁ ବ୍ୟବହାର କରିଥିଲେ । ଫଳରେ ଧିରେ ଧିରେ ତାଙ୍କ ପରିବାରର ସାଙ୍ଗିଆ ବଚ୍ଚନ ହୋଇଗଲା । ଅମିତାଭ ବଚ୍ଚନଙ୍କ ପିତା ୨୦୦୩ ମସିହାରେ ମୃତ୍ୟୁବରଣ କରିଥିଲେ ଓ ତାଙ୍କ ମାତା ୨୦୦୭ ମସିହାରେ ମୃତ୍ୟୁବରଣ କରିଥିଲେ ।
ଅମିତାଭ ବଚ୍ଚନ ନୈନିତାଲ୍ର ଶେର୍ଉଡ୍ କଲେଜରେ ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଥିବା କିରୋରି ମଲ୍ କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ ଡିଗ୍ରୀ ଲାଭ କରିସାରିଲା ପରେ ସେ କୋଲକାତାରେ ବିଭିନ୍ନ କମ୍ପାନୀରୁ ଜିନିଷ ନେବା ଆଣିବା କାମ କରୁଥିଲେ । ଅମିତାଭଙ୍କ ମାତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏବଂ ତାଙ୍କୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ ଘର ତଥା ପରିବାରର ଦାୟିତ୍ୱ ଯୋଗୁଁ ସେ ଅଭିନୟ ଆଡ଼କୁ ମନ ବଳାଇ ନ ଥିଲେ । କିନ୍ତୁ ସେ ଚାହୁଁଥିଲେ ଯେ ଅମିତାଭ ଅଭିନୟ କରନ୍ତୁ । ତେଣୁ ଅମିତାଭ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ଯାଇ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ ।
ପରବର୍ତ୍ତୀ ସମୟରେ ଅମିତାଭ ଜୟା ଭାଦୁରିଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ସେମାନେ ହେଉଛନ୍ତି ଶ୍ୱେତା ନନ୍ଦ (ବାଣିଜ୍ୟପତି ନିଖିଲ୍ ନନ୍ଦଙ୍କ ପତ୍ନୀ) ଓ ଅଭିଷେକ ବଚ୍ଚନ (ଅଭିନେତା ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପତି) ।
କର୍ମ ଜୀବନ
ପ୍ରାରମ୍ଭିକ ଅଭିନୟ (୧୯୬୯-୧୯୭୨) :
ଅମିତାଭ ବଚ୍ଚନଙ୍କ ସର୍ବପ୍ରଥମ ଚଳଚ୍ଚିତ୍ର ହେଉଛି ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ମୃଣାଳ ସେନ୍ଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ଭୁବନ ଶୋମ୍ । ଏଥିରେ ଅମିତାଭ କାହାଣୀ ବର୍ଣ୍ଣନା କରିବା ପାଇଁ କଣ୍ଠଦାନ (Voice Narration) କରିଥିଲେ । ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁକ୍ତିଲାଭ କରିଥିବା ଖ୍ୱାଜା ଅହମ୍ମଦ୍ ଅବ୍ୱାସ୍ଙ୍କଦ୍ୱାରା ନିର୍ଦ୍ଦେଶିତ ଏବଂ ଉତ୍ପଳ ଦତ୍ତ, ଅନ୍ୱର୍ ଅଲୀ (ହାସ୍ୟଅଭିନେତା ମେହ୍ମୁଦ୍ ଅଲୀଙ୍କ ଭାଇ), ମଧୁ, ତଥା ଜଲାଲ୍ ଆଘାଙ୍କ ଅଭିନୀତ ଚଳଚ୍ଚିତ୍ର ସାତ୍ ହିନ୍ଦୁସ୍ତାନୀ ହେଉଛି ଅମିତାଭଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଥିବା ସାତ ଜଣ ମୁଖ୍ୟ ଚରିତ୍ରଙ୍କ ମଧ୍ୟରୁ ଜଣଙ୍କ ଚରିତ୍ରରେ ଅମିତାଭ ଅଭିନୟ କରିଥିଲେ ।
୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଆନନ୍ଦ ଚଳଚ୍ଚିତ୍ରରେ ବଚ୍ଚନ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ । ଏଥିରେ ଜଣେ ଡାକ୍ତର ଚରିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସହ ଅଭିନେତା ଭାବେ ତାଙ୍କର ପ୍ରଥମ ଫିଲ୍ମ୍ଫେୟାର୍ ପୁରସ୍କାର ଜିତିଥିଲେ । ଏହାପରେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ପର୍ୱାନା ଚଳଚ୍ଚିତ୍ରରେ ହତ୍ୟାକାରୀ ସାଜିଥିବା ଜଣେ ହତାଶ ପ୍ରେମିକ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ବିରୋଧୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଏହା ପରେ ସେ ରେଶମ୍ ଔର୍ ଶେରା (୧୯୭୧) ଭଳି ଅନେକ ଚଳଚ୍ଚିତ୍ରରେ ଅଭିନ୍ୟ କରିଥିଲେ । ଏହି ସମୟରେ ସେ ତାଙ୍କ ଭବିଷ୍ୟତ ପତ୍ନୀ ଜୟା ଭାଦୁରି ଙ୍କଦ୍ୱାରା ଅଭିନୀତ ଚଲଚିତ୍ର ଗୁଡ୍ଡିରେ ଅତିଥି କଳାକାର ଭାବେ କାମ କରିଥିଲେ । ବାୱର୍ଚି ଚଳଚ୍ଚିତ୍ରର କାହାଣୀର କିଛି ଅଂଶ ବଚ୍ଚନଙ୍କଦ୍ୱାରା ଲେଖାଯାଇଥିଲା । ୧୯୭୨ ମସିହାରେ ସେ ଏସ୍. ରାମନାଥନ୍ଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ବମ୍ବେ ଟୁ ଗୋଆରେ ଜଣେ ହାସ୍ୟକଳାକାର ଭାବେ ଅଭିନୟ କରିଥିଲେ । ଏହି ସମୟରେ ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକଙ୍କ ଉପରେ ସେପରି କିଛି ଖାସ୍ ପ୍ରଭାବ ପକାଇ ପାରି ନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅମିତାଭ ବଲିଉଡ୍ର ଜଣେ ଆଗ ଧାଡ଼ିର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିଲେ ।
ନାୟକରୁ ମହାନାୟକ (୧୯୭୩-୧୯୮୩) :
ନିର୍ଦ୍ଦେଶକ ପ୍ରକାଶ ମେହରା ତାଙ୍କ ଜଞ୍ଜିର୍ (୧୯୭୩) ଚଳଚ୍ଚିତ୍ରର ମୁଖ୍ୟନାୟକର ଚରିତ୍ରରେ ଅଭିନୟ କରିବା ପାଇଁ ଅମିତାଭ ବଚ୍ଚନଙ୍କୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭ ଇନ୍ସ୍ପେକ୍ଟର୍ ବିଜୟ ଖନ୍ନା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏହା ପୂର୍ବରୁ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ଚଳଚ୍ଚିତ୍ରଗୁଡ଼ିକର ସମ୍ପୂର୍ଣ୍ଣ ବିପରୀତ ଥିଲା । ଏଥିରେ ଅଭିନୟ ପରେ ଅମିତାଭ ଏକ ନୂତନ ବ୍ୟକ୍ତିତ୍ୱ — ବଲିଉଡ୍ର ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଭାବେ ପରିଚିତି ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ଅଭିନୟ ଫିଲ୍ମ୍ଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନୟ ଭାବେ ମନୋନୀତ ହୋଇଥିଲା । ସେ ସମୟରେ ଏହି ଚଳଚ୍ଚିତ୍ରଟି ଖୁବ୍ ସଫଳତା ଲାଭ କରିଥିଲା ଏବଂ ସେ ବର୍ଷ ଏହାର ଆୟ ସର୍ବାଧିକ (₹୬୦ ନିୟୁତ) ଥିଲା । ଏହି ଚଳଚ୍ଚିତ୍ର ପରେ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଷ୍ଟାର୍ ହୋଇଯାଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବଚ୍ଚନ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର ହୋଇ ରହିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ସେ ତାଙ୍କର ପ୍ରଥମ ଫିଲ୍୍ାଫେୟାର୍ ଆୱାର୍ଡ଼୍ ଜିତିଥିଲେ । ୧୯୭୩ ମସିହାରେ ସେ ଜୟା ଭାଦୁରିଙ୍କୁ ବିବାହ କରିଥିଲେ ଏବଂ ଏହାପରେ ସେ ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଜଞ୍ଜିର୍ ଚଳଚ୍ଚିତ୍ରରେ ମଧ୍ୟ ଅମିତାଭ ଓ ଜୟା ଏକାଠି ଅଭିନୟ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ମୁକ୍ତିଲାଭ କରିଥିବା ଅଭିମାନ୍ ଚଳଚ୍ଚିତ୍ରରେ ମଧ୍ୟ ଦୁହେଁ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ମଧ୍ୟ ସେ ସମୟରେ ବକ୍ସ୍ ଅଫିସ୍ରେ ଖୁବ୍ ସଫଳତା ଲାଭ କରିଥିଲା । ଏହାପରେ ସାମାଜିକ ବ୍ୟବସ୍ଥା ତଥା ବନ୍ଧୁତ୍ୱ ଉପରେ ଆଧାରିତ, ହୃଷିକେଶ ମୁଖାର୍ଜୀଙ୍କଦ୍ୱାରା ନିର୍ଦ୍ଦେଶିତ ଓ ବିରେଶ ଚାଟାର୍ଜୀଙ୍କଦ୍ୱାରା ରଚିତ ଚଳଚ୍ଚିତ୍ର ନମକ୍ ହରାମ୍ରେ ଅମିତାଭ ରାଜେଶ ଖନ୍ନାଙ୍କ ସହ ବିକ୍ରମ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରି ସେ ସର୍ବଶ୍ରେଷ୍ଠ ସହଅଭିନେତା ଭାବେ ତାଙ୍କର ଦ୍ୱିତୀୟ ଫିଲ୍ମ୍ଫେୟାର୍ ଆୱାର୍ଡ଼୍ ଜିତିଥିଲେ ।
୧୯୪୭ ମସିହାରେ ବଚ୍ଚନ କୁଆଁରା ବାପ୍ ଓ ଦୋସ୍ତ୍ ଭଳି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏହାପରେ ସେ ରୋଟି କପ୍ଡ଼ା ଔର୍ ମକାନ୍ ଚଳଚ୍ଚିତ୍ରରେ ସହାଭିନେତା ଭାବେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ମନୋଜ କୁମାରଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଓ ଏହା ୧୯୪୭ ମସିହାରେ ସର୍ବାଧିକ ଆୟ କରିଥିଲା । ଆର୍ଥିକ ଓ ମାନସିକ ଅସୁବିଧା ସତ୍ତ୍ୱେ କିପରି ସାଧୁତା ଓ ସଚ୍ଚୋଟତା ପ୍ରତି ସମର୍ପିତ ରହିହୁଏ, ଏହା ହିଁ ଥିଲା ଏହି ଚଳଚ୍ଚିତ୍ରଟିର ବିଷୟବସ୍ତୁ । ଏହାପରେ ୧୯୪୭ ମସିହା ଡେସେମ୍ବର ମାସ ୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଜ୍ବୁର୍ରେ ଅମିତାଭ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ହଲିଉଡ୍ ଚଳଚ୍ଚିତ୍ର ଜିଗ୍ ଜାଗ୍ର ରିମେକ୍ ଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ୍ ଅଫିସ୍ରେ ଖୁବ୍ ସଫଳତା ଲାଭ କରିଥିଲା । ଏହାପରେ ୧୯୭୫ ମସିହାରେ ସେ ହାସ୍ୟରସାତ୍ମକ ଚଳଚ୍ଚିତ୍ର ଚୁପ୍କେ ଚୁପ୍କେ, ଅପରାଧ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଫରାର୍ ଓ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ମିଲିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହି ବର୍ଷ ସେ ୟଶ୍ ଚୋପ୍ରାଙ୍କଦ୍ୱାରା ନିର୍ଦ୍ଦେଶିତ ଦିୱାର୍ ଚଳଚ୍ଚିତ୍ରରେ ଶଶି କପୁର, ନିରୁପା ରାୟ ଓ ନିତୁ ସିଂଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍ ମଧ୍ୟ ପାଇଥିଲେ । ୧୯୭୫ ମସିହାରେ ବକ୍ସ୍ ଅଫିସ୍ରେ ସୁପର୍ହିଟ୍ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିବା ସବୁ ଚଳଚ୍ଚିତ୍ରମାନଙ୍କ ଭିତରେ ଏହି ଚଳଚ୍ଚିତ୍ରଟି ୪ର୍ଥ ସ୍ଥାନରେ ରହିଥିଲା । ଇଣ୍ଡିଆଟାଇମ୍ସ୍ ମୁଭିଜ୍ର ସର୍ବେକ୍ଷଣ ଅନୁଯାୟୀ ୨୫ଟି ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)ମାନଙ୍କ ମଧ୍ୟରେ ଦିୱାର୍ ଚଳଚ୍ଚିତ୍ର ଅନ୍ୟତମ ।[୩୨] ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିବା ଶୋଲେ ଚଳଚ୍ଚିତ୍ର ଆଜି ପର୍ଯ୍ୟନ୍ତ ଭାରତରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇ ରହିଛି । ଏହି ଚଳଚ୍ଚିତ୍ରଟି ସେ ସମୟରେ ₹ ୨,୩୬୪,୫୦୦,୦୦୦ ବା US$ ୬୦ ନିୟୁତ ଆୟ କରିଥିଲା । ଏଥିରେ ବଚ୍ଚନ ଜୟଦେବ ଚରିତ୍ରରେ ଅଭିନୟ କରିଥିଲେ । ଦିୱାର୍ ଓ ଶୋଲେ ଚଳଚ୍ଚିତ୍ରକୁ ୧୯୭୫ ମସିହାର ଦୁଇଟି ମୁଖ୍ୟ ଚଳଚ୍ଚିତ୍ର ଭାବେ ଜଣାଯାଏ । ୧୯୯୯ ମସିହାରେ ବିବିସି ଇଣ୍ଡିଆ ଏହି ଚଳଚ୍ଚିତ୍ରଟିକୁ ଫିଲ୍ମ୍ ଅଫ୍ ଦ ମିଲେନିୟମ୍ (Film of the Millennium) ଭାବେ ଘୋଷଣା କରିଥିଲା ଏବଂ ଇଣ୍ଡିଆଟାଇମ୍ସ୍ ମୁଭିଜ୍ଦ୍ୱାରା ମଧ୍ୟ ଏହାକୁ ୨୫ଟି ନିଶ୍ଚିତ ଦର୍ଶନୀୟ ବଲିଉଡ୍ ଚଳଚ୍ଚିତ୍ର (Must See Bollywood Films)ମାନଙ୍କ ତାଲିକାରେ ସାମିଲ କରାଯାଇଥିଲା । ସେହି ବର୍ଷ ୫୦ତମ ବାର୍ଷିକ ଫିଲ୍ମ୍ ଫେୟାର୍ ଆୱାର୍ଡ଼୍ସ୍ର ବିଚାରପତିମାନେ ଏହାକୁ ୫୦ ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ୍ ଫେୟାର୍ ଚଳଚ୍ଚିତ୍ର (Filmfare Best Film of 50 Years) ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ।
୧୯୭୬ ମସିହାରେ ସେ ନିର୍ଦ୍ଦେଶକ ୟଶ୍ ଚୋପ୍ରାଙ୍କ ରୋମାଣ୍ଟିକ୍ ତଥା ପାରିବାରିକ ଚଳଚ୍ଚିତ୍ର କଭି କଭିରେ ଅଭିନୟ କରିଥିଲେ । ବଚ୍ଚନ ଏଥିରେ ଅମିତ୍ ମାଲ୍ହୋତ୍ରା ନାମକ ଯୁବକ ଚରିତ୍ରରେ ଅଭିନୟ କରିଥିଲେ । ଅମିତ୍ ମାଲ୍ହୋତ୍ରା ଜଣେ କବି ଥିଲା ଏବଂ ସେ ପୂଜା (ରାକ୍ଷୀ ଗୁଲ୍ଜାର୍) ନାମକ ଜଣେ ସୁନ୍ଦରୀ ଯୁବତୀକୁ ଗଭୀର ଭାବେ ପ୍ରେମ କରିବା ଆରମ୍ଭ କରିଦେଇଥିଲା । କିନ୍ତୁ ଶେଷରେ ପୂଜା ଆଉ ଜଣକୁ (ଶଶୀ କପୁର) ବିବାହ କରିଥିଲା । ଏହି ଚଳଚ୍ଚିତ୍ରରେ ବଚ୍ଚନ ଜଣେ ରୋମାଣ୍ଟିକ୍ ହିରୋର ଚରିତ୍ରରେ ଅଭିନୟ କରିଥିଲେ, ଯାହାକି ସେ ଜଞ୍ଜିର୍ ଓ ଦିୱାର୍ ଆଦି ଚଳଚ୍ଚିତ୍ରରେ କରିଥିବା "ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍" ଚରିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ଏଥିରେ ନିଜର ଅଭିନୟ ପାଇଁ ବଚ୍ଚନ ପୁନର୍ବାର ଫିଲ୍ମଫେୟାର୍ରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେହି ବର୍ଷ ସେ ଅଦାଲତ୍ ଚଳଚ୍ଚିତ୍ରରେ ପିତା ଓ ପୁତ୍ର ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୭ ମସିହାରେ ଅମର୍ ଅକବର୍ ଆନ୍ଥୋନି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ସେ ତାଙ୍କର ପ୍ରଥମ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ । ଏହି ଚଳଚ୍ଚିତ୍ରରେ ସେ ବିନୋଦ ଖନ୍ନା ଓ ଋଷି କପୁରଙ୍କ ବିପକ୍ଷରେ ତୃତୀୟ ମୁଖ୍ୟ ଚରିତ୍ରରେ ଆନ୍ଥୋନି ଗୋନ୍ଜାଲ୍ଭେସ୍ ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେ ବର୍ଷର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ପର୍ବରିଶ୍ ଓ ଖୁନ୍ ପସିନା ମଧ୍ୟ ବଚ୍ଚନଙ୍କ ଅଭିନୀତ ସେହି ବର୍ଷର ସଫଳ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ । କସ୍ମେ ବାଦେ (୧୯୭୮) ଚଳଚ୍ଚିତ୍ରରେ ସେ ଅମିତ୍ ଓ ଶଙ୍କର୍ ଚରିତ୍ରରେ ତଥା ଡନ୍ (୧୯୭୮) ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ର ଡନ୍ ଓ ଡନ୍ ଭଳି ଦେଖାଯାଉଥିବା ବିଜୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ୟଶ୍ ଚୋପ୍ରାଙ୍କ ତ୍ରିଶୂଲ୍ ଓ ପ୍ରକାଶ ମେହ୍ରାଙ୍କ ମୁକଦ୍ଦର୍ କା ସିକନ୍ଦର୍ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି ।
୧୯୭୯ ମସିହାରେ ବଚ୍ଚନ ସୁହାଗ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷ ସର୍ବାଧିକ ଆୟ କରିଥିଲା । ସେହି ବର୍ଷ ସେ ମିଃ ନଟ୍ୱର୍ଲାଲ୍, କାଲା ପତ୍ଥର୍ ଓ ଦ ଗ୍ରେଟ୍ ଗାମ୍ବ୍ଲର୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ମିଃ ନଟ୍ୱର୍ଲାଲ୍ ଚଳଚ୍ଚିତ୍ରରେ ସେ ରେଖାଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ତାଙ୍କୁ କଣ୍ଠଦାନ ମଧ୍ୟ କରିବାକୁ ପଡ଼ିଥିଲା । ଏହି ଚଳଚ୍ଚିତ୍ରରେ ନିଜର ଅଭିନୟ ଓ ସଙ୍ଗୀତ ପାଇଁ ସେ ଉଭୟ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଓ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । କାଲା ପତ୍ଥର୍ ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ମଧ୍ୟ ସେ ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୮୦ ମସିହାରେ ରାଜ୍ ଖୋସ୍ଲାଙ୍କଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତାନାରେ ନିଜର ଅଭିନୟ ପାଇଁ ସେ ପୁନର୍ବାର ଫିଲ୍ମଫେୟାର୍ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଶତ୍ରୁଘ୍ନ ସିହ୍ନା ଓ ଜିନତ୍ ଅମନ୍ଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଦୋସ୍ତାନା ୧୯୮୦ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ୧୯୮୧ ମସିହାରେ ସେ ୟଶ୍ ଚୋପ୍ରାଙ୍କ ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ସିଲ୍ସିଲାରେ ଅଭିନୟ କରିଥିଲେ । ଏଥିରେ ସେ ନିଜ ପତ୍ନୀ ଜୟା ଓ ରେଖାଙ୍କ ସହ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶାନ୍ (୧୯୮୦) ଓ ଶକ୍ତି (୧୯୮୨) ବକ୍ସ୍ ଅଫିସ୍ରେ ଏତେଟା ସଫଳତା ଲାଭ କରିପାରି ନ ଥିଲା । ତେବେ ତାଙ୍କ ଅଭିନୀତ ରାମ୍ ବଲ୍ରାମ୍ (୧୯୮୦), ନସିବ୍ (୧୯୮୧) ଓ ଲାୱାରିସ୍ (୧୯୮୧) ଖୁବ୍ ସଫଳତା ଅର୍ଜନ କରିଥିଲା ।
୧୯୮୨ ମସିହାରେ ସେ ସଟ୍ଟେ ପେ ସଟ୍ଟା ଓ ଦେଶ୍ ପ୍ରେମୀ ଚଳଚ୍ଚିତ୍ରରେ ଦ୍ୱୈତ ଭୂମିକାରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ୍ ଅଫିସ୍ରେ ଖୁବ୍ ସଫଳତା ଲାଭ କରିଥିଲା । ୧୯୮୩ ମସିହାରେ ସେ ମହାନ୍ ଚଳଚ୍ଚିତ୍ରରେ ତିନିଟି ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କୁଲି ଚଳଚ୍ଚିତ୍ର ସେ ବର୍ଷର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଥିଲା ।