ଚଳନ୍ତି ଦେବତା

ଚଳନ୍ତି ଦେବତା

ମନରେ ବହୁତ ଥର ପ୍ରଶ୍ନ ଆସେ ଦେବତା ଙ୍କୁ କିଏ ଦେଖିଛି? କେହି କେହି କହନ୍ତି ହଁ ମୁଁ ଦେଖିଛି। ଆଉ କେହି କହନ୍ତି ମୁଁ ଅନୁଭବ କରିଛି। ଆମେ ଆମ ଠାକୁର ଘରେ ବହୁ ଦେବା ଦେବୀ ଙ୍କ ଫୋଟୋ ରଖିଛୁ। ପୂଜା ବି କରୁଛୁ। ଧୂପ ଦୀପ ନୈବେଦ୍ୟ ଅର୍ପଣ କରୁଛୁ। କେତେ ମନ୍ତ୍ର ପଢ଼ୁଛୁ। କେତେ ଓଷା, ବାର,ବ୍ରତ କରୁଛୁ। କେତେ ମାନସିକ କରୁଛୁ। ନିଜ ମନକୁ ବୁଝେଇବା ପାଇଁ ଯାହା ବି କରୁଛୁ ତାକୁ ଠିକ୍ ବୋଲି କହୁଛୁ। କିଛି ପୂଜା ଆମେ ବହୁ ଆଡ଼ମ୍ବରରେ କରୁଛୁ। ଏ ସବୁ କରିବା ଉଚିତ୍। ଏହା ଆମ ଦୈନନ୍ଦିନ ଜୀବନର ଏକ ଅଂଶ। ଆମ ଦେବତା ତ କଥା କୁହା ଦେବତା। ସେ ପୁଣି ଚଳନ୍ତି ପ୍ରତିମା। ସେ ସର୍ବତ୍ର ବିଦ୍ୟମାନ। ସେ ସର୍ବ ଜ୍ଞାତା। ସେ ସର୍ବ ଦାତା ମଧ୍ୟ।

ସେଇଥି ପାଇଁ ସେ ଆମ ମନ ଜାଣି ଅମର କୌଣସି ଅଭାବ ରଖି ନାହାନ୍ତି। ଆମ ପାଖରେ ସେ ସ୍ଵୟଂ ଉପସ୍ଥିତ , ଆମ ବାପା ମା ଙ୍କ ରୁପରେ । ସିଏ ହିଁ ଆମର ଦେବତା। ପ୍ରଭୂ ଙ୍କ ର କେତେ ଆଶୀର୍ବାଦ। କିନ୍ତୁ ଆମେ କଣ ବୁଝି ପାରୁନୁ? ସେମାନେ ଆମ ପାଖରେ ତ ଅଛନ୍ତି ତଥାପି କାହିଁକି ଆମେ ଜାଣି ପାରୁନୁ? ଆମେ କାହିଁକି ତାଙ୍କୁ ଅଣଦେଖା କରୁଛୁ? କାରଣ ହେଲା ଆମେ ସ୍ୱାର୍ଥାନ୍ଧ। ମୁଁ ଆଉ ମୋ ବିନା ଆମକୁ ଆଉ କିଛି ଦେଖା ଯାଉନି।

ଏ ସଂସାର କୁ ଆଣିଥିବା ବ୍ୟକ୍ତି ହେଲେ ଆମର ବାପା - ମା। ମା ନଅ ମାସ ଗର୍ଭରେ ରେ ରଖି,କେତେ ଯନ୍ତ୍ରଣା ସାହି ଆମକୁ ଜନ୍ମ ଦେଇଛି। କଥା କହିବା ଶିଖେଇଛି। ଭାଷା ଜ୍ଞାନ ସିଏ ହିଁ ଦେଇଛି।

ସିଏ ହିଁ ଆମର ପ୍ରଥମ ଗୁରୁ। ଆଚାର, ବ୍ୟବହାର, ସଂସ୍କାର ସବୁ ଦେଇଛି। ସମାଜରେ ଚଳିବା ପାଇଁ ସାମାଜିକ ଜ୍ଞାନ ଆମକୁ ଦେଇଛି। ଅନାବିଳ ସ୍ନେହ ଅଜାଡ଼ି ଦେଇଛି। କେତେ ଅକି ଅଝଟ ସହିଛି। କେତେ ରାତି ଅନିଦ୍ରା ରହି ଜଗିଛି। କେତେ ଉପବାସ ରେ ରହିଛି ନ ଖାଇକି। ଟିକେ ଆଘାତ ଲାଗିଗଲେ କି ଦେହ ଅସୁସ୍ଥ ହେଇଗଲେ କେତେ ବିକଳ ହୋଇ କାନ୍ଦିଛି ।ପ୍ରଭୁଙ୍କୁ ପ୍ରାର୍ଥନା କରିଛି। ଦିନେ ହେଲେ ତା କର୍ମ ରେ ଅବହେଳା କରିନି। କେବେବି ନିଜ କଥା ଭାବିନି। ସବୁବେଳେ ଆମ ପାଇଁ ତତ୍ପର। ବିନା ଦ୍ବିଧାରେ ସର୍ବଦା ସମସ୍ତଙ୍କ ପାଇଁ ସେ ସମର୍ପିତ। ଅନ୍ୟ ପକ୍ଷରେ ବାପା ଯିଏ କି ପରିବାରର ମୂଖ୍ୟ ପୁଣି ଆର୍ଥିକ ବୋଝ ବହନ କରି କରି ଶେଷରେ ନିଃଶେଷ ହେଇଯାଆନ୍ତି। ସିଏ ଆମକୁ ସୁରକ୍ଷା ଦେଇ ଥାଆନ୍ତି। ବାହ୍ୟ ଜଗତ ସହ ପରିଚିତ କରାଇ ଥାଆନ୍ତି। ସମାଜରେ କେମିତି ଚଳିବା ସେ ଶିକ୍ଷ୍ୟା ଦେଇ ଥାଆନ୍ତି। ବାପା ଙ୍କ ହାତ ଆମ ମୁଣ୍ଡ ଉପରେ ଥିଲେ ସଂସାରରେ କାହାକୁ ଭୟ ନ ଥାଏ। ସିଏ ଯେମିତି ସର୍ବ ଶକ୍ତିର ଆଧାର। ତାଙ୍କ ମନ କଥା ମନରେ ରହିଯାଏ। ଆମକୁ ମଣିଷ କରିବାକୁଜାଇ ସିଏ ନିଜକୁ ଭୁଲି ଯାଆନ୍ତି। ଆଉ ଆମେ ମଣିଷ ହେଲା ପରେ କେତେବେଳେ ତାଙ୍କୁ ଭୁଲି ଯାଉ ଆମେ ବି ଜାଣି ପାରୁନା। ବାପା ଙ୍କ ପରିଚୟ ନେଇ ଆମେ ଚାଲୁ ଚାଲୁ କେତେବେଳେ ତାଙ୍କ ପରିକାୟ ହଜିଯାଏ ତାହା ବି ଜଣା ପଡେନା। ଯାହାଙ୍କ ପାଇଁ ଆମ ଜୀବନ ଆମେ ତାଙ୍କୁ ହିଁ ଭୁଲିଯାଉ। ତାଙ୍କ ପାଇଁ ଆମ ପାଖରେ ସମୟ ନଥାଏ। ଘଣ୍ଟା ଘଣ୍ଟା ଧରି ଆମେ ପୂଜା ଉଜା ରେ ବ୍ୟସ୍ତ ରହୁ। ଲୋକଙ୍କ ଆଗରେ ବାହାସ୍ଫୋଟ ମାରି ତାଙ୍କ ସେବା କରୁଛୁ ବୋଲି କହିଲା ବେଳେ ଟିକେ ବି ଲଜ୍ଜା ଅନୁଭବ କରୁନା। ସଭା ସମିତିରେ ଭାଷଣ ଦେଲା ବେଳେ ଏତେ କଥା କହୁଯେ ଜଣେ ଭାବିବାକୁ ବାଧ୍ୟ ହେବ ଯେ ସତରେ ଆମେ କେତେ ଯୋଗ୍ୟ। ଅନ୍ୟକୁ ଉପଦେଶ ଦେଲାବେଳେ ଆମ ନିଜ କଥା ଭୁଲି ଯାଉ। ସତରେ ସେ ଚଳନ୍ତି ଦେବତା ଯିଏ କି ଆମ ପାଖରେ ଉପସ୍ଥିତ, ଆମେ ତାଙ୍କୁ ଅବହେଳା କରୁ। ନିଜ କର୍ମ ଆଉ ସଂସାର ଜଞ୍ଜାଳର ଦ୍ୱାହି ଦେଉ। ତାଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ଆମେ ମଠ ମନ୍ଦିର ଦଉଡୁ। କେତେ ଭୋଗରାଗ ଅର୍ପଣ କରୁ ତାର କଳନା ନାହିଁ। ହେଲେ ଘରେ ଜୀବନ୍ତ ଦେବତା ଖାଇଲେ କି ନାହିଁ ତାର ଠିକଣା ନାହିଁ। ଆମକୁ ଆମ ପିଲା ଛୁଆ,କର୍ମ କ୍ଷେତ୍ର, ପୁଣି ତଥା କଥିତ ସାଙ୍ଗ ସାଥୀ ବନ୍ଧୁ ବର୍ଗଙ୍କ ଠୁ ସମୟ ମିଳୁ ଆଗ। ଏମିତି କହୁ କହୁ ଦିନେ ତାଙ୍କ ଶେଷ ସମୟ ଆସି ପହଞ୍ଚିଯାଏ। ଆମେ ଅଭିନୟ କରିବାରେ ସିଦ୍ଧ ହସ୍ତ। କେତେ କାନ୍ଦୁ। ତାଙ୍କର କେତେ ଗୁଣ ଗାନ କରୁ। ଭୋଜି ଭାତ ଦେଇ ସମାଜକୁ ଆପ୍ୟାୟିତ କରି ଯୋଗ୍ୟ ସନ୍ତାନ ବୋଲି ନିଜକୁ ବୋଲାଇ ଥାଉ। ଏ ସବୁ ଆଢୁଆଳେ ଆମ ଚଳନ୍ତି ଦେବତା ହଜି ଯାଆନ୍ତି। ଆମ ଜୀବନ ରୁ ସମ୍ପୂର୍ଣ୍ଣ ରୁପେ ଲିଭି ଯାଆନ୍ତି। କେବଳ ଫୋଟୋ ହେଇ କର୍ପୁର ମାଳା ମଧ୍ୟରେ ରହି ଯାଆନ୍ତି। ଏମିତି ବି ହୁଏ ଆମକୁ ଆଉ ମନେ ପଡ଼ନ୍ତି ନାହିଁ। କେବଳ ବର୍ଷକୁ ଥରେ ଶ୍ରାଦ୍ଧ ଦିନ ମନେ ପକେଇ ଥାଉ। ସେହି ଦିନ ବର୍ଷକ ପରେ ତାଙ୍କ ଫଟୋ ରେ ନୁଆ ଫୁଲ ହାର ଦେଉ । ଧୂପ ଦୀପ ଅର୍ପଣ କରୁ ଆଉ ଅପେକ୍ଷା କରୁ ଆସନ୍ତା ବର୍ଷ ପାଇଁ। 

କୃଷ୍ଣପ୍ରୀୟା ବେହେରା

ଅଧ୍ୟାପିକା (ଅର୍ଥନୀତି ବିଭାଗ)

ଈମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ

କଟକ

 ଫୋ. ନଂ -୯୯୩୭୪୩୪୯୨୨