ଦୁଇ ବ୍ରାଉନ ସୁଗର ବେପାରୀ ଗିରଫ

ଭୁବନେଶ୍ବର, ୨/୭ : ଇନ୍ଫୋସିଟି ଥାନାଧିକାରୀଙ୍କ ନିର୍ଦ୍ଦେଶ ମତେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ଆଜି ଇନ୍ଫୋସିଟି ଥାନା ଅନ୍ତର୍ଗତ ପଟିଆ ଖେଳ ପଡ଼ିଆ ନିକଟରେ ଅତର୍କିତ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ହେଲେ ଅସିମ କୁମାର ଦାଶ(୫୦) ଓ ଅଭିଷେକ ମହାନ୍ତି ।
ତଲାସି ବେଳେ ପୁଲିସ ଦୁଇ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୧୯ ଗ୍ରାମ ଓଜନର ବ୍ରାଉନ ସୁଗର, ଗୋଇଏ ମୋଟରସାଇକେଲ ଓ ୬୫୦ ଟଙ୍କା ଜବତ କରିଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିବା ସହ ଉକ୍ତ ବ୍ରାଉନ ସୁଗରକୁ ସେମାନେ ବାଲେଶ୍ବର ଅଞ୍ଚଳରୁ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଥିବା ଦର୍ଶାଇଥିଲେ । ଉଭୟଙ୍କ ନାଁରେ କେଶ ନମ୍ବର ୩୦୪/୨୫ରେ ମାମଲା ରୁଜୁ କରାଯାଇଥିବାବେଳେ ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
ସୂଚନା ଅନୁସାରେ , ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଜନସାଧାରଣମାନେ, ଗଞ୍ଜେଇ ବା ବ୍ରାଉନ ସୁଗର ଭଳି ମାରାତ୍ମକ ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ଲାଗି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର ୭୦୭୭୭୯୮୧୧୧ ଜାରି କରାଯାଇଛି ।