ପିତା ପରମ ତପ

ପିତା ପରମ ତପ

ବହୁତ୍ ଦିନ ପରେ ବାବା,ଆଜି ମୁଁ ତମ ବିଷୟରେ କିଛି ଲେଖିବାକୁ ବସିଛି। କାହିଁକି ନା ସମସ୍ତେ କହୁଛନ୍ତି ଜୁନ୍ ୧୬ ରେ ପିତୃ ଦିବସ ପାଳନ ହେବ। ତେଣୁ ତୁ ତୋ ବାପା ଙ୍କ ବିଷୟରେ ତୋର ଅନୁଭୂତି ଲେଖେ। ସେଇଥି ପାଇଁ ବାବା ଚେଷ୍ଟା କରୁଛି ଦୁଇ ପଦ ଲେଖିବା ପାଇଁ।କଣ ଲେଖିବି? କେମିତି ଲେଖିବି? କିଛି ଭାବି ପାରୁନି।ହୁଏତ ଶବ୍ଦ ଅଭାବ ହେଇଯିବ, ହୁଏତ ସମୟ ଗଡ଼ି ଯିବ ହେଲେ ଅସରନ୍ତି କଥା ସରିବନି। ବାବା ତମର ପ୍ରତ୍ୟେକ କଥା ମୋର ମନେ ଅଛି। କିଛି ବି ମୁଁ ଭୁଲିନି କି ଭୁଲି ପାରିବିନି। ତମର ସେ ସ୍ନେହ ଭରା ଡାକ ହୁଏତ କାନ ଆଉ ଶୁଣି ବନି। କି ମୁଁ କାହାକୁ ବାବା ବୋଲି ଡାକି ପାରିବିନି।

ବାବା ତମେ ଯାହା କହିଥିଲ ବର୍ତ୍ତମାନ୍ ମୁଁ ତାହା ସବୁ ଅନୁଭବ କରୁଛି। କେହି ବୁଝି ପାରିବେନି ଅନ୍ତରର ବେଦନା। ନ କହିଲେ ବି ତମେ ବୁଝି ଯାଅ। କଚେରୀରୁ ଫେରିଲା ବେଳେ ମୋ ମନ ଜାଣି ଖାଦ୍ୟ ହେଉ କି ପସନ୍ଦର କିଛି ଜିନିଷ ଆଣି ଥାଅ। ମୁଁ ଯେତେବେଳେ ତମକୁ ପଚାରେ ବାବା ତମେ କେମିତି ଜାଣିଲ , ତମେ କୁହ ଆମ ଝିଅ ମନ କରିଛି ମୁଁ ଜାଣି ପାରିବିନି? ସଂନ୍ଧ୍ୟା ରେ ଆମେ ସମସ୍ତେ ପ୍ରାର୍ଥନା କରୁ, ଆଉ ତା ' ପରେ ତମେ ଆମକୁ ବୁଝାଅ ଆମେ କେମିତି ଭଲ ମଣିଷ ହେବୁ। ମୋର ମନେ ଅଛି ତମେ ସବୁବେଳେ କୁହ ଘାସ କାଟ କି ଘୋଡ଼ା ଚଢ଼ କିନ୍ତୁ ଜୀବନରେ ବଡ଼ ମଣିଷ ହେବାକୁ ଚେଷ୍ଟା କର। ତମେ ଯୁଆଡ଼େ ବି ଯାଅ ମତେ ସାଙ୍ଗରେ ନେଇ ଯାଅ। ସେଠି ଯେ କୌଣସି ବ୍ୟକ୍ତି ହୁଅନ୍ତୁ କି ବସ୍ତୁ ହେଉ ମତେ ଦେଖେଇ ବୁଝେଇ ଦିଅ। ସତରେ ସେ ଶିକ୍ଷ୍ୟା ମୋ ଜୀବନରେ କେତେ କାମରେ ଲାଗୁଛି ତାହା କହି ହେବ ନାହିଁ। ତମେ କେବେବି ମୋ ହାତ ଛାଡ଼ି ନାହଁ। ମୁଁ ଡରିକି ବେଳେ ବେଳେ ପଚାରେ ବାବା ମୁଁ ଯଦି ଭିଡ଼ରେ ହଜି ଯିବି, ତମେ କୁହ ମୁଁ ପରା ତୋ ହାତ ଧରିଛି ତୁ କେମିତି ହଜିବୁ। ଆଜି ବି ତମେ ମୋ ହାତ ଧରିଛ। ସେଇଥି ପାଇଁ ଯେତେ ବାଧା ବିଘ୍ନ ଆସିଲେ ବି ମୁଁ ଭଙ୍ଗିନି। ତମେ ଯେମିତି ଅଭ୍ୟାସ କରେଇଥିଲ ସକାଳେ ଭଗବତ୍ ଗୀତା ଆଉ ସଂନ୍ଧ୍ୟାରେ ପ୍ରାର୍ଥନା ପରେ ଭାଗବତ ପଢ଼ିବା କଥା। ମୁଁ ଆଜିବି ସେଇଭଳି ପଢୁଛି। ଏଥି ପାଇଁ ମୁଁ ପ୍ରତିକୁଳ ପରିସ୍ଥିତିରେ ବି ସ୍ଥିର ରହି ପାରୁଛି। ତମେ ସବୁ ବେଳେ କୁହ ଯାହା ବି ପଢ଼ିବୁ ତାକୁ ଭଲରେ ପଢ଼ିବୁ। ତାର ମର୍ମିକ ଅର୍ଥ ବୁଝିବୁ ତାହାହେଲେ ତୁ ଅନ୍ୟକୁ ସହଜରେ ବୁଝେଇ ପାରିବୁ। ତମର ଏଇ କଥା ମତେ ଏତେ ସାହାଯ୍ୟ କରିଛି ଯେ ମୁଁ ସବୁ ବିଷୟକୁ ସକରାତ୍ମକ ଦୃଷ୍ଟି କୋଣରୁ ଦେଖିବା ସହ ଅନ୍ୟ ମାନଙ୍କୁ ବି ଡେଖଉଛି ଆଉ ବୁଝେଇ ପାରୁଛି । ତମେ କୁହ ସବୁ ଭିତରେ କିଛି ନା କିଛି ଗୁଢ‌‌ ତତ୍ତ୍ଵ ଅଛି। ତାକୁ ଜାଣିବା ପାଇଁ ଆମର ସେତିକି ପ୍ରଜ୍ଞା ଆବଶ୍ୟକ।ଏହା ସତ୍ୟ। କିନ୍ତୁ ସମସ୍ତେ ଏହାକୁ ବୁଝି ପାରିବେନି।

ବାବା ତମେ ମୋର ଗୁରୁ ଆଉ ବନ୍ଧୁ ବି। ମୁଁ ଆଉ କାହାକୁ ଗୁରୁ ବୋଲି ଗ୍ରହଣ କରି ପାରିବିନି। ପିଲାଟି ଦିନୁ ଯେତେ ପର୍ଯ୍ୟନ୍ତ ତମେ ମୋ ସହିତ ଥିଲ, ମତେ ଯାହା ଶିକ୍ଷ୍ୟା ଦେଇଛ ଏ ସ୍ଵଳ୍ପ ସମୟ ଜୀବନ ପାଇଁ ଯଥେଷ୍ଟ। ବହୁତ୍ କମ୍ ସମୟ ତମେ ମୋ ସହିତ ରହିଲ। ତମେ ମତେ ଛାଡ଼ିକି ଗଲା ପରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହେଇ ଗଲି। ହେଲେ କାହିଁ କେତେ ଦୁରୁ ତମର ସେ ସ୍ନେହ ବୋଳା ଡାକ ମତେ ଶୁଭିଲା ମୁଁ ପୁଣି ଚେଇଁ ଉଠିଲି। ମନେ ହେଲା ତମେ ଯେମିତି ମୋ କାନରେ କହୁଛ ମାମା ଉଠୁ ତୁ ଦୁଃଖ କରନା। ମୁଁ ତୋ ପାଖରେ ଅଛି। ଯାଆ ତୋ କର୍ତ୍ତବ୍ୟ କର। ତତେ ବହୁତ୍ କିଛି କରିବାର ଅଛି। ମୁଁ ତତେ କହିଥିଲି ତୋର ଦାୟିତ୍ୱ ବଢ଼ି ଗଲା ବୋଲି। ଖାଲି ପରିବାର ନୁହେଁ ସମାଜ ପାଇଁ ବି ତୁ ତୋ କର୍ମ କର।

ଆଜି ତ ସମୟ ବଦଳି ଯାଇଛି। ମତେ ବହୁତ୍ ସଂଘର୍ଷ କହିବାକୁ ପଡ଼ୁଛି ହେଲେ ବାବା ତମର ସେଇ କଥା ମୋର ମନେ ଅଛି, ତମେ କୁହନା ଯିଏ ସଂଘର୍ଷ କରି ଜୀବନରେ ଆଗକୁ ଯାଇଛି। ସିଏ ହିଁ ପ୍ରକୃତ ମଣିଷ। ପୁଣି ତମେ କୁହ କିଏ ଆମକୁ ସାହାଯ୍ୟ କରୁ ନ କରୁ, ମାମା ଯଦି ଆମେ କାହାର ସାହାଯ୍ୟ କରି ପାରୁଛୁ ସେଇଟା ହଉଛି ବଡ଼ କଥା। ଆମ ପାଇଁ କେହି କେବେ କଷ୍ଟ ନ ପାଉ। ଆମେ କେବଳ ଆମ ପାଇଁ ବଞ୍ଚୁନା। ଆମେ ସ୍ଵାର୍ଥୀ ହେଇଗଲେ ଆଉ ଏ ସମାଜ ରହିବ।

ଭାଗବତ ବୁଝେଇଲା ବେଳେ ତମେ କହିଛ ଧନ ଅର୍ଜନ କରିବା ଧର୍ମ କରିବା ପାଇଁ ଆଉ ଏଇ ଧର୍ମ ବଳରେ ସେହି ମହାପ୍ରଭୁଙ୍କୁ ପାଇ ପାରିବା। ଶେଷ ଦିନ ତମେ ଭାଗବତ ପଢ଼ିବା ପରେ କହିଥିଲ ମୁଁ ଗଲା ପରେ ତମେ ଏ ସମାଜ କୁ ଭଲରେ ବୁଝି ପାରିବ। ଏହା ନିରାଟ ସତ୍ୟ। ବାବା ଆଉ କିଛି ବୁଝିବାକୁ ବାକି ନାହିଁ। ତମ ଶିକ୍ଷ୍ୟା, ପରିସ୍ଥିତି, ପରିବେଶ ମତେ ସବୁ ବୁଝେଇ ଦେଇଛି। ବାବା ତମକୁ ହରେଇ ମୁଁ ମୋର ସର୍ବ ଶ୍ରେଷ୍ଠ ବନ୍ଧୁ କୁ ହରେଇଛି। ଆଉ କେହି ତମ ଭଳି ମୋ ମନ କଥା ବୁଝିବେନି କି ଉପଦେଶ ଦେବେନି। ମୁଁ ଭାଙ୍ଗି ପଡ଼ିଲେ ବି କେହି ସାହାରା ହେବେନି।ମୋ ଭାଗ୍ୟର ବିଡ଼ମ୍ବନା ମୁଁ ଠିଆ ହେବା ପୁର୍ବରୁ ତମେ ମତେ ଛାଡ଼ି ଚାଲିଗଲ। ମୁଁ ତମର ସେବା ଟିକେ କରି ପାରିଲିନି। ଏ ଜନ୍ମରେ ତ ଆଉ ସମ୍ଭବ ନୁହେଁ। କିନ୍ତୁ ଯଦି ମୋର ପୁନର୍ଜନ୍ମ ହୁଏ ମୁଁ ଶ୍ରୀ ଚରଣରେ ଏତିକି ଗୁହାରି କରିବି ମୁଁ ପୁଣି ତମ ଝିଅ ହେଇ ଜନ୍ମ ନେବି ଆଉ ମୁଁ ତମ ସେବା କରିବାର ସୁଯୋଗ ପାଇବି।

କୃଷ୍ଣପ୍ରିୟା ବେହେରା (ଅଧ୍ୟାପିକା)

ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ

କଟକ 

ଫୋନ୍ ନଂ : ୯୯୩୭୪୩୪୯୨୨