ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଶୁଭମିତ୍ରା ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ମହମବତୀ ଶୋଭାଯାତ୍ରା

ଭୁବନେଶ୍ୱର,୧୮/୯ : ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଆଜି ଦିବଂଗତା ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ମହମବତୀ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ମାଷ୍ଟରକ୍ୟାଂଟିନ ଛକଠାରେ ପ୍ରଦେଶ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ମହମବତୀ ପ୍ରଦର୍ଶନ କରି ଦିବଂଗତା ଶୁଭମିତ୍ରା ସାହୁଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟରେ ମହିଳା ଅସୁରକ୍ଷିତ । ଏପରିକି ମହିଳା କନେଷ୍ଟବଳ ମଧ୍ୟ ସୁରକ୍ଷିତ ନାହାନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ନାରୀଙ୍କୁ ନ୍ୟାୟ ଦେବାପାଇଁ ଲଢ଼େଇ ଜାରି ରହିଛି । ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି । ମୃତା ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ମହିଳା କଂଗ୍ରେସ ସଂଗ୍ରାମ ଜାରି ରଖିବ । ଓଡ଼ିଶାରେ ଦିନକୁ ୧୫ଜଣ ମହିଳା ଦୁଷ୍କର୍ମର ଶିକାର । ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ, ତାଳଚେର ମହିଳାଙ୍କୁ ଦୁଷ୍କର୍ମ, ଗୋପାଳପୁର ବିଚରେ ମହିଳାଙ୍କୁ ଗଣଦୁଷ୍କର୍ମ, କେନ୍ଦୁଝରରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ତଥା ନିମାପଡ଼ାରେ ମହିଳାଙ୍କୁ ହତ୍ୟା ଏପରି ଦିନକୁ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ବଢ଼ିଚାଲିଛି । ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଯେଉଁ ଆନ୍ଦୋଳନ କରୁଛି, ସରକାର ତାହାକୁ ଚପାଇ ଦେଇପାରିବେ ନାହିଁ । ଏହି କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ଶ୍ରିୟାସ୍ମିତା ପଣ୍ଡା, ସୁନିତା ବିଶ୍ୱାଳ, ଅମିତା ବିଶ୍ୱାଳ, ରଞ୍ଜିତା ହେମ୍ବ୍ରମ, ମଧୁସ୍ମିତା ସେଠୀ, ଗିତାଞ୍ଜଳି ମହାନ୍ତି, ନିରୁପମା ପାତ୍ର, ଅନିମା ମିଞ୍ଜ, ଅମିଷା ସାମନ୍ତରାୟ, ସମସିଦା ତାୟବ, ଉର୍ବଶ୍ରୀ ମିଶ୍ର, ସିଲି ସେଠୀ, ବିଶ୍ୱକଲ୍ୟାଣି କର, ମାଳତୀ ନାୟକ, ମାମିନା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।