ଦଶହରା ଭେଟି ହ୍ରାସ ଜି.ଏସ୍. ଟି

ଭେଟି କାହାକୁ ଭଲ ନ ଲାଗେ। ସମସ୍ତେ ଭେଟି ପାଇବା ପାଇଁ ଭାରି ଆଗ୍ରହୀ। ପୁଣି ପୂଜା ପାର୍ବଣ ସମୟରେ ଭେଟି ଶବ୍ଦ ଟି ଉଚ୍ଚାରଣ ହେଲା ମାନେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଏ। ସମସ୍ତେ ଅପେକ୍ଷା କରନ୍ତି ଭେଟି କେତେବେଳେ ମିଳିବ ଆଉ ଏହା କେମିତିକା ହୋଇଥିବ। ଉଦ୍ ବେଗ ପୂର୍ଣ୍ଣ ହୃଦୟରେ ଚାତକ ପରି ଚାହିଁ ଥାଆନ୍ତି।କିଏ କାହାକୁ ଭେଟି ଦବ । ଭାରତୀୟ ପରମ୍ପରାରେ ଏହା ଏକ ଚିରାଚରିତ ପ୍ରଥା। ଆଜି ସେହି ପ୍ରଥାର ପୁନରାବୃତ୍ତି ହୋଇଛି। ଭାରତ ସରକାର ଏଇ ପବିତ୍ର ଦଶହରାରେ ଭାରତୀୟଙ୍କୁ ଅତି ସୁନ୍ଦର ଭେଟି ଦେଇଛନ୍ତି, ଯାହା ଭାରତୀୟଙ୍କ ପାଇଁ ନିହାତି ଆବଶ୍ୟକ। ଏହା ହେଉଛି ହ୍ରାସ ଜି. ଏସ. ଟି।
ଜି. ଏସ. ଟି ମାନେ ଦ୍ରବ୍ୟ ଓ ସେବା ଉପରେ ଏକ ପ୍ରକାରର ପରୋକ୍ଷ କର।ଏହା ପ୍ରତ୍ୟେକ ଅତିରିକ୍ତ ମୂଲ୍ୟ ଉପରେ, ବହୁ ସ୍ତର ବିଶିଷ୍ଟ ଓ ଲକ୍ଷ୍ୟ ଉଦ୍ଦିଷ୍ଟ କର ଅଟେ। ଏହା ସମସ୍ତ ପ୍ରକାରର ପରୋକ୍ଷ କରର ଏକ ମିଶ୍ରଣ ଅଟେ। ଏହା ରାଷ୍ଟ୍ରର ସମସ୍ତ ପରୋକ୍ଷ କର କୁ ଗୋଟିଏ ଆଇନ୍ ର ଛାତ ତଳକୁ ନେଇ ଆସିଛି। ସମଗ୍ର ରାଷ୍ଟ୍ରରେ ଗୋଟିଏ ଜି. ଏସ. ଟି ଆଇନ୍ ଲାଗୁ ହୋଇଛି। ନିର୍ଦ୍ଵନ୍ଦରେ କୁହା ଯାଇ ପାରେ ଏହା ସମସ୍ତ ଭାରତୀୟ ଉପଭୋକ୍ତା ମାନଙ୍କ ପାଇଁ ଅନେକାଂଶ ରେ ଲାଭ ଦାୟକ ଅଟେ। କାରଣ ଏହାର ଉଦ୍ଦେଶ୍ୟ ହେଲା କର ର ଦୋହରା ନୀତି କୁ ଶେଷ କରିବା। ଜି. ଏସ. ଟି ବିଲ୍ ରେ କେବଳ ନିଟ୍ ଅତିରିକ୍ତ ମୂଲ୍ୟ ଉପରେ କର ଧାର୍ଯ୍ୟ ହୁଏ। ଏହା କର ଉପରେ କର ବ୍ୟବସ୍ଥାର ପରି ସମାପ୍ତି ଘଟାଇ ଦ୍ରବ୍ୟର ଦର ହ୍ରାସ କରି ଥାଏ। କେନ୍ଦ୍ର ଓ ରାଜ୍ୟର ସମସ୍ତ ପରୋକ୍ଷ କର ଏହି ଜି. ଏସ. ଟି ରେ ଅନ୍ତର୍ନିହିତ ହୋଇଥାଏ। ଏହା କୁ ପଇଠ କରିବା ପଦ୍ଧତି ସରଳ ଅଟେ। ଏହା ଅନ୍ ଲାଇନ୍ ରେ ପଇଠ କରା ଯାଏ। ଏଥିରେ ଅନ୍ୟ ଏକ ସୁବିଧା ହେଉଛି, ଏହା ଅସଙ୍ଗଠିତ କ୍ଷେତ୍ର ଗୁଡ଼ିକୁ ସଙ୍ଗଠିତ କରି ଏକ କର ନିୟମରେ ଅନ୍ତର୍ଭୁକ୍ତ କରେ। ଏହା ଛୋଟ ଛୋଟ ବ୍ୟବସାୟ ପାଇଁ କମ୍ପୋଜିସନ୍ ସ୍କିମ୍ କୁ ବୃଦ୍ଧି କରି ଥାଏ। ବର୍ଷକୁ ₹୧.୫ କୋଟି ଆୟ କରୁଥିବା କ୍ଷୁଦ୍ର ବ୍ୟବସାୟୀ ଜି. ଏସ୍. ଟି କମ୍ପୋଜିସନ୍ ସ୍କିମ ର ଲାଭ ପାଇ ପାରିବ। ଏହି ସ୍କିମ୍ ଅନୁସାରେ କ୍ଷୁଦ୍ର ବ୍ୟବସାୟୀ କର ହାର ହ୍ରାସ କରିବାର ଅନୁମତି ପାଇ ଥାଏ। ଏହା ବ୍ୟତୀତ ଜି.ଏସ. ଟି ବିଲ୍ ଅନ୍ୟ ୧୭ ଟି କରକୁ ଏକ ନିୟମରେ ପରିଣତ କରି ଥାଏ। ଏହା ଫଳରେ ଦ୍ରବ୍ୟ ଗୁଡ଼ିକର ଦର ହ୍ରାସ ହେଉଛି ଓ ଏହାର ଚାହିଦା ବୃଦ୍ଧି ପାଉଛି। ତେଣୁ ଏହା ଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆୟ ବୃଦ୍ଧି ହେଉଛି।
ବର୍ତ୍ତମାନ୍ ଭାରତୀୟ ଦ୍ରବ୍ୟ ଓ ସେବା,ବହୁ ସ୍ତରୀୟ କର ବ୍ୟବସ୍ଥା ,ତ୍ରୀ ସ୍ତରୀୟ କର ବ୍ୟବସ୍ଥାକୁ ପରିବର୍ତ୍ତିତ ହୋଇଛି। ନୂତନ କର ନିୟମ ଅନୁସାରେ କିଛି ଦ୍ରବ୍ୟ ଉପରେ ୦%,୫%, ୧୮%କର ଓ ୪୦% କର ବିଳାସ ଦ୍ରବ୍ୟ ଏଵଂ ସ୍ବାସ୍ଥ୍ୟ ହାନି କାରକ ଦ୍ରବ୍ୟ ଉପରେ ଲାଗୁ ହୋଇଛି। ଏହି ପରିବର୍ତ୍ତନର ଲକ୍ଷ ହେଉଛି ଅତି ଆବଶ୍ୟକୀୟ ଓ ସାଧାରଣରେ ବ୍ୟବହୃତ ଦ୍ରବ୍ୟର ଦର ହ୍ରାସ କରି ସାଧାରଣ ଜନତାଙ୍କୁ ସହଜରେ ଉପଲବ୍ଧ କରାଇବା। ଏଥି ସହିତ ବ୍ୟବସାୟୀ ମାନେ ମଧ୍ୟ ସହଜରେ କର ଦେବାର ବ୍ୟବସ୍ଥା ହୋଇଛି। ଦୈନିକ ଆବଶ୍ୟକୀୟ ଦ୍ରବ୍ୟ ଉପରେ କର ୧୨%/୧୮% ରୁ କମି ୫% ହୋଇ ଯାଇଛି, କୃଷି ଉପକରଣ ୧୨%/୧୮% ରୁ କମି ୫%, ସ୍ବାସ୍ଥ୍ୟ ସେବାରେ ୫% ଓ ଶିକ୍ଷା ସେବା ସମ୍ପୂର୍ଣ୍ଣ ରୂପେ କର ମୁକ୍ତ ହୋଇ ଯାଇଛି। ଅଟୋ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଉପରେ ଜି.ଏସ.ଟି କର ୨୮% ରୁ ୧୮% କୁ ହ୍ରାସ ପାଇଛି।
ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯେମିତିକି କ୍ଷୀର, ଅଣ୍ଡା, ଦହି, ଖୋଲାରେ ମିଳୁଥିବା ଶସ୍ୟ ସହିତ ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ୦% ଜି. ଏସ. ଟି କର ଶ୍ରେଣୀରେ ଅନ୍ତର୍ଭୁକ୍ତ। ଫଳରେ ସମସ୍ତ ସାଧାରଣ ଜନତା ଏହାକୁ ସୁଲଭ ମୂଲ୍ୟରେ ପାଇ ପାରିବେ। ଏହାର ଆଉ ଗୋଟିଏ ଉଦ୍ଦେଶ୍ୟ ହେଉଛି ଆବଶ୍ୟକୀୟ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି। ବାସ୍ତବତଃ ଏହା ଦେଶୀୟ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି କରେ। ଅର୍ଥାତ୍ ଆଞ୍ଚଳିକ ଦ୍ରବ୍ୟର ଉତ୍ପାଦନ ଓ ଚାହିଦା ବୃଦ୍ଧି ହେବ। ଦୈନନ୍ଦିନ ଜୀବନର ଆବଶ୍ୟକତା କେବଳ ଆଞ୍ଚଳିକ ଦ୍ରବ୍ୟ ହିଁ ପୁରଣ କରି ଥାଏ। ତେଣୁ ୦% ଜି. ଏସ. ଟି କର ଉଭୟେ ଉପଭୋକ୍ତା ଓ ଉତ୍ପାଦକଙ୍କ ପାଇଁ ଲାଭ ଦାୟକ। ବହୁଳ ବ୍ୟବହୃତ ହେଉଥିବା ଦ୍ରବ୍ୟ ସମସ୍ତ ଯଥା କୋଇଲା, ଖାଇବା ତେଲ, ଚାହା, ଘରୋଇ ଏଲ୍. ପି. ଜି, ପ୍ୟାକେଟ ଖାଦ୍ୟ, ଘରେ ବ୍ୟବହୃତ ହେଉଥିବା ସାମଗ୍ରୀ ଯଥା ସାବୁନ, ପେଷ୍ଟ ଓ ଜରୁରୀ ମେଡିସିନ୍ ଉପରେ ୫% କର ଧାର୍ଯ୍ୟ କରା ଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଜନ ସାଧାରଣ ସିମୀତ ଆୟ ଭିତରେ ଦୈନନ୍ଦିନ ବ୍ୟବହୃତ ଦ୍ରବ୍ୟ କିଣି ପାରିବେ। ଆବଶ୍ୟକୀୟ ସାମଗ୍ରୀର ଆଉ ଅଭାବ ରହିବ ନାହିଁ ।
ସ୍ଥାୟୀ ଉପଭୋକ୍ତା ଦ୍ରବ୍ୟ ଗୁଡ଼ିକ ଉପରେ ୧୮% କର ଧାର୍ଯ୍ୟ କରା ଯାଇଛି। ଟି. ଭି, ଫ୍ରିଜ୍, ୱାସିଂ ମେସିନ୍, ଦୁଇ ଚକିଆ ଗାଡ଼ି, ଏ. ସି ଏବଂ କିଛି ସେବା ଏଥିରେ ଅନ୍ତର୍ଭୁକ୍ତ। ଏଗୁଡ଼ିକର ଚାହିଦା ବଜାରରେ ଯଥେଷ୍ଟ ଅଧିକ। କାରଣ ଆଧୁନିକ ସମାଜରେ ଲୋକଙ୍କର ଏସବୁ ଜିନିଷ କ୍ରୟ କରିବାର କ୍ଷମତା, ଏହାର ଉତ୍ପାଦନ କୁ ବହୁ ଗୁଣିତ କରି ପାରିଛି। ଅନ୍ୟ ପକ୍ଷରେ ଗୃହ ଅର୍ଥନୀତିକୁ ଚଳ ଚଞ୍ଚଳ କରିବା ସହ ସମ୍ବଳ ଗୁଡ଼ିକର ବିନିଯୋଗ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତେ ଅଧିକ ଉତ୍ପାଦନ ହେବ ସେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆୟ ବୃଦ୍ଧି ହେବ। ଆୟ ବୃଦ୍ଧି ଉପଭକ୍ତାର ବ୍ୟୟ କରିବାର କ୍ଷମତାକୁ ମଧ୍ୟ ବୃଦ୍ଧି କରେ। ଉପଭୋକ୍ତା ଯେତେ ଅଧିକ ଉପଭୋଗ କରିବ, ଉତ୍ପାଦନ ସେତେ ଅଧିକ ହେବ। ଏହି ଉତ୍ପାଦନ ସାଧନ ଗୁଡ଼ିକୁ କାର୍ଯ୍ୟରେ ନିଯୁକ୍ତ କରି ପାରିବ। ଏହା ସାଧାରଣ ଜନତାଙ୍କ ପାଇଁ ହିତକର।
ବିଳାସ ଦ୍ରବ୍ୟ ଏଵଂ ସ୍ବାସ୍ଥ୍ୟ ହାନି କାରକ ଦ୍ରବ୍ୟ ଉପରେ ୪୦% କର ଧାର୍ଯ୍ୟ କରା ଯାଇଛି। ଏହା ସର୍ବାଧିକ କର ଅଟେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାହା ସମାଜ ପାଇଁ ଅମଙ୍ଗଳକାରୀ ଏବଂ ଅତ୍ୟାବଶ୍ୟକ ନୁହେଁ ସେଗୁଡ଼ିକର ଉପଭୋଗ ହ୍ରାସ କରିବା। ଅନେକ ସମୟରେ ଉପଭୋକ୍ତା ଭ୍ରମରେ ପଡ଼ି ବିଳାସ ଦ୍ରବ୍ୟାଭିମୁଖୀ ହୋଇଥାଏ। ଯାହା ଫଳରେ ସେ ଖର୍ଚ୍ଚାନ୍ତ ହୋଇଥାଏ। ଏହା ଏକ ମାୟା ଜାଲ ସଦୃଶ। ଏହା ଲୋଭ ଜାଗ୍ରତ କରାଏ। ସାଧାରଣ ଜନତା ଏହାକୁ ବୁଝି ପାରେ ନାହିଁ ବରଂ ସେ ଲୋଭର ବଶବର୍ତ୍ତୀ ହୋଇ ଅଭାବର ଜନ୍ତା ଭିତରେ ଫସି ଯାଏ। ଋଣ ଗ୍ରସ୍ତ ହୋଇଯାଏ। ସାଧାରଣ ଜୀବନ ଯାପନ କରିବା କଷ୍ଟକର ହୋଇଯାଏ। ଫଳରେ ସେ ଅଭାବୀରୁ ଆହୁରି ଅଭାବୀ ହୋଇଯାଏ। ସେଇଭଳି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଯେମିତି ମଦ, ସିଗାରେଟ୍, ଅଫିମ, ଗଞ୍ଜେଇ, ଗୁଟ୍ ଖା ଆଦି ଦ୍ରବ୍ୟର ବଶବର୍ତ୍ତୀ ହୋଇ ଦୈନନ୍ଦିନ ସେବନ କରିବାକୁ ଲାଗେ। ପରବର୍ତ୍ତୀ ସମୟରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। ଥରେ ବ୍ୟକ୍ତି ଅଭ୍ୟସ୍ତ ହୋଇ ଗଲେ ସେ ପେଟକୁ ଖାଉ କି ନ ଖାଉ କିମ୍ଵା ପରିବାର ଭୋକ ଉପାସରେ ମରିଯାଉ ପଛେ, ସେ ଏହାକୁ ଆଗ ସେବନ କରେ। ବ୍ୟକ୍ତିର ନିଜେ ନୁହେଁ ବରଂ ପୁରା ପରିବାର ଅଚିରେ ଶେଷ ହୋଇଯାଏ। ଏ ଦ୍ରବ୍ୟ ଗୁଡ଼ିକର ଉତ୍ପାଦନ ହ୍ରାସ ହେବା ଉଚିତ୍। ଯେତେବେଳ ଏହାର ଉପଭୋଗ ହ୍ରାସ ହେବ, ସ୍ବତଃ ଏହାର ଉତ୍ପାଦନ ହ୍ରାସ ହେବ। ବର୍ଦ୍ଧିତ ଜି. ଏସ. ଟି ଏହାର ଦର ବୃଦ୍ଧି କରିଛି। ତେଣୁ ଏହାର ଦର ଯଥେଷ୍ଟ ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଉପଭୋକ୍ତା ଙ୍କ ସଂଖ୍ୟା ହ୍ରାସ କରିବ । ଫଳରେ ଏହାର ଉତ୍ପାଦନ ବାଧା ପ୍ରାପ୍ତ ହେବ। ମାନବ ସମ୍ବଳ ଆଉ କ୍ଷୟ ହେବନି ।
ବର୍ତ୍ତମାନର ଜି. ଏସ. ଟି ବ୍ୟବସ୍ଥା ସରଳ ହେବା ସହ ସାଧାରଣ ଜନତାଙ୍କ ସପକ୍ଷରେ ହୋଇଛି। ପ୍ରଗତିଶୀଳ ଅର୍ଥନୀତିକୁ ଏଇ ଭଳି ବ୍ୟବସ୍ଥା ନିଶ୍ଚୟ ସହାୟକ ହେବ। ଅନ୍ୟ ଅର୍ଥରେ ଏହା ଦେଶୀୟ ଦ୍ରବ୍ୟର ବ୍ୟବହାର ଓ ଉତ୍ପାଦନ ବୃଦ୍ଧି କରିବ। ପ୍ରାକୃତିକ ଓ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ସମ୍ଭବ ହେବ। ଯଥା ସମ୍ଭବ ନିଯୁକ୍ତି ସୁଯୋଗ ସୃଷ୍ଟି କରି ହେବ। ଅନେକାଂଶରେ ଅନେକ ଅର୍ଥନୀତି ସମ୍ବନ୍ଧିତ ସମସ୍ୟାର ସମାଧାନ ସମ୍ଭବ ହେବ। ସର୍ବୋପରି ରାଷ୍ଟ୍ରୀୟ ଅର୍ଥନୀତି ଆତ୍ମ ନିର୍ଭର ହୋଇ ପାରିବ, ଯାହା ରାଷ୍ଟ୍ରୀୟ ଅର୍ଥନୀତି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ନିଶ୍ଚିନ୍ତ ରୂପେ କୁହା ଯାଇ ପାରେ ଯେ ଦଶହରା ଭେଟି ହ୍ରାସ ଜି. ଏସ. ଟି। କେନ୍ଦ୍ର ସରକାର ଭାରତବାସୀ ଙ୍କୁ ଦଶହରା ଉପଲକ୍ଷେ ଅତି ସୁନ୍ଦର ଭେଟି ଦେଇଛନ୍ତି ଯାହା କେବଳ ବ୍ୟକ୍ତି ପାଇଁ ନୁହେଁ ବରଂ ସମଷ୍ଟିର ଉନ୍ନତି ପାଇଁ ଉଦ୍ଧିଷ୍ଟ। ଏଠି ବ୍ୟକ୍ତି ସ୍ବାବଲମ୍ବୀ ହେବା ସହ ସମ୍ପୂର୍ଣ୍ଣ ଅର୍ଥନୀତି ସ୍ବାବଲମ୍ବୀ ହୋଇଥାଏ।
ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା
ଅର୍ଥନୀତି ବିଭାଗ
ଈମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟ
କଟକ
ମୋ : ୯୯୩୭୪୩୪୯୨୨