ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି : ‘୧୯୯୯ ମହାବାତ୍ୟା’ର ବାହାନା ଆଉ କେତେ ଦିନ ?

ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି : ‘୧୯୯୯ ମହାବାତ୍ୟା’ର ବାହାନା ଆଉ କେତେ ଦିନ ?

ଭୁବନେଶ୍ବର,/୧୦ : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ୧୯୩୬- ୨୦୨୫ । ଦୀର୍ଘ ବର୍ଷ ପରେ ବି ଆମେ ସ୍ଥିର କରିପାରୁନୁ ଓଡ଼ିଆ ସିନେମା ଶିଳ୍ପ ବିଭାଗ ଅଧିନରେ ଯାଉଛି ନା ସଂସ୍କୃତି । ବର୍ଷ ଯେତିକି ଗଡ଼ୁଛି ଅନ୍ଧକାର ସେତିକି ମାଡ଼ି ଆସୁଛି । ନିଜ ରାଜ୍ୟରେ ପ୍ରାଇଟାଇମ୍ ପାଇବାକୁ ସଂଘର୍ଷ କରୁଛି । କାରଣ କ’ଣ ? କେହି ଖୋଜିବାକୁ ନାରାଜ୍ । କେବଳ ଆମ ସିନେମା ଆସିଛି ଆମେ ଏବେ ହିରୋ । ସିନେମା ଚାଲିଥିବା ସମୟରେ କୌଣସି ଅସୁବିଧା ହେଲେ ଆମେମାନେ ସିଦ୍ଧା ପ୍ରେସମିଟ୍ କରିବୁ । ସିନେମା ସରିଗଲେ ଓଡ଼ିଆ ଇଣ୍ଡଷ୍ଟ୍ରି କିଏ ଆମେ ଜାଣିନୁ ।

୧୯୯୯ ମହାବାତ୍ୟାର ବାହାନା ଆଉ କେତେ ଦିନ ? ବିଧାନସଭା ଆସିଲେ ମନେ ପଡ଼େ କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର କଥା । ସେଶନ ସରିଗଲେ ସବୁ କିଛି ଶେଷ । କଣ୍ଟେଣ୍ଟ ଭଲ କଲେ ଦର୍ଶକ ଆସିବେ । ହଲ୍ ସଂଖ୍ୟା ବଢିଲେ ଦର୍ଶକ ଦେଖିବେ । ମାତ୍ର ଆମେମାନେ ଏ ଦିଗରେ ପୂରା ଶୂନ୍ୟ । ନିକଟରେ କିଛି ଅଭିନେତାଙ୍କ ଚାଲି ଚଳନ ଦେଖିଲେ ଲାଗିବ ଏମାନେ ନିଜ ବ୍ୟବସାୟ ବଞ୍ଚାଇବାକୁ ସିନେମା କରୁଛନ୍ତି ଆଉ ହିରୋ ହେଉଛନ୍ତି । ନଚେତ୍ କାହା ମନରେ ଇଣ୍ଡଷ୍ଟ୍ରି ପ୍ରତି ଦରଦ ନାହିଁ ଯେମିତି । ସିନେମା ରିଲିଜ୍ ହେଲେ ସେମାନେ ନିର୍ବାଚନରେ କାମ ପାଇବେ । ନ ହେଲେ ବେକାର୍ । ଏହି ଚିନ୍ତାଧାରା କିଛି ଅଭିନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ବିଗତ ଦିନରେ। ନିର୍ବାଚନରେ ଲଢିବାକୁ ହେଉ କିମ୍ବା ପ୍ରଚାର କରିବାକୁ ଏମାନେ ସିନେମା କରୁଥିବା ଦେଖାଯାଉଛି।

ଏବେ ଏବେ  ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଏହି ସବୁ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅନୁଭବ । ଦକ୍ଷିଣ ଭାରତୀୟ ସିନେମା ହିନ୍ଦୀରେ ଡବିଂ ହୋଇ ଓଡ଼ିଶାରେ ହଲ୍ ମାନଙ୍କରେ ଅଧିକ ସ୍ଲଟ ମିଳୁଛି । ଓଡ଼ିଆ ଚଳଚ୍ଚିତ୍ରକୁ ହଲରୁ ହଟାଇ ଦେଉଥିବା ଅନୁଭବ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେହିଭଳି ସେ ଲେଖିଛନ୍ତି ହାଉସଫୁଲ ଚାଲିଥିବା ଓଡ଼ିଆ ସିନେମାକୁ ହଟାଇ ଦିଆଯାଇ ଅନ୍ୟ ଭାଷାର ସିନେମା ହିନ୍ଦୀ ସିନେମାକୁ ପ୍ରାଥମିକତା ଦିଆଯାଉଛି ।

ଏହି ପୋଷ୍ଟ୍ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରିର ମୁଖାକୁ ଖୋଲିଦେଇଛି । ଇଣ୍ଡଷ୍ଟ୍ରିରେ ଚାଲିଛି କ’ଣ । ଆଉ କେତେ ଦିନ ଆମେ ୧୯୯୯ ମହାବାତ୍ୟାର ମିଛ ଖୋଳପା ଭିତରେ ପଶି ରହିଥିବା । କ’ଣ ପାଇଁ ଓଡ଼ିଶାରେ ଅଧିକ ସିଙ୍ଗଲ୍ ସ୍କ୍ରିନ୍ ଆରମ୍ଭ ହେବା ବଦଳରେ ବନ୍ଦ ହୋଇଯାଉଛି । ଏଥିପ୍ରତି କାହାର ନଜର ରହିଛି କି ? କିଏ ଏଥିପାଇଁ ଦାୟୀ ? କେବେ ସୁଧୁରିବ ଏଭଳି ସ୍ଥିତି । ଏହି ସବୁ ଅସମାହିତ ପ୍ରଶ୍ନ ଏବେ ଇଣ୍ଡଷ୍ଟ୍ରିକୁ ସାମ୍ନା କରିବାକୁ ପଡ଼ୁଛି । କାରଣ ଅଭିନେତାଟିଏ ନେତା ହେବା ପରେ ସିନେମା କଥା ଭୁଲି ରାଜନୀତି କରୁଛି ପଛେ ଯେଉଁଠୁ ପରିଚୟ ପାଇଛି ତାକୁ ଭୁଲି ଯାଉଛି । ଫଳରେ ଇଣ୍ଡଷ୍ଟ୍ରି ପ୍ରତି ଥିବା ତା’ର କର୍ତବ୍ୟକୁ ପାସୋରି ଯାଉଛି ।

ଆମେ ଯେତେବେଳେ ଓଡ଼ିଆ ସିନେମା ନ ଚାଲିବାର କାରଣ ଖୋଜିଥିଲୁ ସେତେବେଳ ଏଭଳି କିଛି କାରଣ ନଜରକୁ ଆସିଥିଲା । ଯାହା ଆମେ ଏଠାରେ ଉପସ୍ଥାପନ କରିବାକୁ ଆଶା କରିଲୁ ।

ଆସନ୍ତୁ ନଜର ପକାଇବା କିଛି କାରଣ :

କଣ୍ଟେଣ୍ଟ :

ପୂର୍ବରୁ ଯେଉଁ କଣ୍ଟେଣ୍ଟ ହେଉଥିଲା ତାହାକୁ ଦର୍ଶକ ଭଲ ପାଉଥିଲେ । କାରଣ ଦର୍ଶକଙ୍କ ପାଖରେ ତାକୁ ପରଖିବାକୁ ଅପ୍ସନ ନଥିଲା । କିଛି ନିର୍ମାତାମାନେ କହୁଛନ୍ତି କି ଆମେମାନେ ଭଲ କଣ୍ଟେଣ୍ଟ ବନାଉଛୁ ଦର୍ଶକ ଆସୁନାହାନ୍ତି । ଦର୍ଶକଙ୍କ ଅଭିଯୋଗ ହେଉଛି କି ଆମେ ଯେଉଁ ସିନେମା ଯାଇଥିଲୁ ସେଥିରୁ ବହୁତ ଟର୍ଚର ହୋଇ ଫେରିଛୁ । କାରଣ ସବୁରି ମୂଳରେ ଏବେ ଦର୍ଶକଙ୍କ ପାଖରେ ରହୁଛି ଅପ୍ସନ । ସେମାନେ ଜାଣିପାରୁଛନ୍ତି କେଉଁଟା କପି ଆଉ କେଉଁଟା ଅରଜିନାଲ ।

ସିନେମା ହଲ୍ :

ଦର୍ଶକଟିଏ ଏବେ ଚାହିଁଲେ ବି ସିନେମା ହଲ୍ ଯାଇପାରୁନି । କାରଣ ତା’ ପାଖରେ ଓଡ଼ିଆ ସିନେମା ଦେଖିବାକୁ ସିଙ୍ଗଲ୍ ସ୍କ୍ରିନ୍ ନାହିଁ । ଯଦି ଗୋଟିଏ ଜିଲ୍ଲା କଥା ଆମେ ଦେଖିବା ତେବେ କେଉଁଠି ଆଦୌ ନାହିଁ ତ କେଉଁଠି କୋଶେ କୋଶେ ବାଟରେ ରହିଛି । ଫଳରେ ସେ ବିଭିନ୍ନ ଓଟିଟିରେ ସିନେମା ଦେଖିବାକୁ ପସନ୍ଦ କରୁଛି। ମଲ୍ଟିପ୍ଲେକ୍ସରେ ଅଧିକ ବଜେଟ ଥିବାରୁ ସେ ସିନେମା ଯାଇପାରୁନାହିଁ । କାରଣ ସିନେମା ବହୁ ଜଣ ମିଶି ଦେଖିବାକୁ ପସନ୍ଦ କରିଥାନ୍ତି ।

ଅଭିନେତା-ଅଭିନେତ୍ରୀଙ୍କ ବ୍ୟକ୍ତିଗତ ବ୍ୟାପାର :

ଯଦି ଅଭିନେତା-ଅଭିନେତ୍ରୀଟିଏ ପ୍ରତିଦିନ ସକାଳୁ ଉଠି ତା’ର ବ୍ୟକ୍ତିଗତ କଥା ଲୋକ ଲୋଚନକୁ ଆଣିଥାଏ ତେବେ ସେଥିରେ ତା’ର କିଛିମାତ୍ରାରେ ବ୍ୟବସାୟୀକ କ୍ଷେତ୍ରରେ କ୍ଷତି ହୋଇଥାଏ ବୋଲି ଧରିବା । କାରଣ ଦର୍ଶକଟିଏ ତା’ର ପ୍ରିୟ ଅଭିନେତା-ଅଭିନେତ୍ରୀଙ୍କୁ ଭଗବାନଙ୍କଠାରୁ ଅଧିକ ଭଲ ଭାବିଥାଏ । ତାଙ୍କୁ ଦେଖିବାକୁ ସ୍ବପ୍ନ ଭଳି ଭାବେ । ଖୋଜିବୁଲେ ତା’ଆଖି ପ୍ରତି ମୁହୂର୍ତ୍ତରେ । ହେଲେ ଏବେର ଅଭିନେତା-ଅଭିନେତ୍ରୀ ନିଜକୁ ସେତିକି ମାର୍ଜିତ ରଖୁନଥିବାରୁ ଏଭଳି ଘଟଣା ଘଟୁଥିବା ଦେଖା ଯାଉଛି ।

ସୋସିଆଲ ମିଡ଼ିଆରେ ମତ ରଖିବା :

ପ୍ରତିଦିନ ସୋସିଆଲ ମିଡ଼ିଆରେ ମତ ରଖିବା ଫଳରେ ବ୍ୟକ୍ତିଗତସ୍ତରରେ ନିଜର ଇମେଜ୍ ହାମ୍ପର୍ କରୁଛନ୍ତି ଅଭିନେତା ଅଭିନେତ୍ରୀମାନେ । କେହି କେହି ଯୁକ୍ତିତର୍କ ଏଭଳି ଲାଗୁଛନ୍ତି ଯେ, ଅତିରୁ ଇତି ହେଉଛି । ଯାହା ଫଳରେ ଓଡ଼ିଆ ଦର୍ଶକଟିଏ ଆଉ ସିନେମା ବଦଳରେ ତାଙ୍କର କଳି ଦେଖିବାକୁ ପସନ୍ଦ କରୁଛି ।

ଡିଷ୍ଟ୍ରିବ୍ୟୁସନ ସମସ୍ୟା :

ରାଜ୍ୟରେ ଭଲ ଓଡ଼ିଆ ସିନେମା ହେଉଛି । କିନ୍ତୁ ଡିଷ୍ଟ୍ରିବ୍ୟୁସନ ସମସ୍ୟା ଯୋଗୁଁ ଭଲ ଭଲ ପ୍ରଯୋଜକ ଫିଲ୍ମ କରିବାକୁ ଚାହୁଁ ନାହାନ୍ତି । ଓଡ଼ିଆ ଫିଲ୍ମ ନେବାକୁ ଡିଷ୍ଟ୍ରିବ୍ୟୁଟରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ପ୍ରଯୋଜକଙ୍କୁ ପାଉଣା ବି ଦେଉନାହାନ୍ତି । ତେଣୁ ବଡ଼ ବଡ଼ ପ୍ରଯୋଜକ ଓଡ଼ିଆ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ହିନ୍ଦୀ ଫିଲ୍ମ ପ୍ରତି ଓଡ଼ିଆ ଡିଷ୍ଟ୍ରିବ୍ୟୁଟର ଆଗ୍ରହ ଦେଖାଉଛନ୍ତି କିନ୍ତୁ ଓଡ଼ିଆ ଫିଲ୍ମ ପ୍ରତି ନୁହେଁ ।

ପ୍ରଯୋଜକଙ୍କୁ ଖୋଜୁଛନ୍ତି ନିର୍ଦ୍ଦେଶକ :

ଓଡ଼ିଶାରେ ଗୋଟିଏ ସିନେମା ନିର୍ମାଣ କରିବାକୁ ପ୍ରଯୋଜକଙ୍କୁ ଖୋଜୁଛନ୍ତି ନିର୍ଦ୍ଦେଶକ । ଫଳରେ ପ୍ରଯୋଜକ ଯେଭଳି ଭାବେ କହୁଛନ୍ତି ନିର୍ଦ୍ଦେଶକଟିଏ ସେଭଳି କରିବାକୁ ବାଧ୍ୟ ହେଉଛି । ଏହାଦ୍ବାରା ସିନେମାର ମାନ ବହୁମାତ୍ରାରେ କମିବାରେ ନଜର ରହୁଛି । ଯଦି ନିର୍ଦ୍ଦେଶକଙ୍କୁ ପ୍ରଯୋଜକଟିଏ ଖୋଜି ବାହାର କରନ୍ତା ତେବେ ଯାଇ ଗୋଟିଏ ଭଲ ସିନେମାଟିଏ ନିର୍ମାଣ ହୋଇପାରନ୍ତା ।

ସ୍ବଳ୍ପ ସମୟ ଏବଂ ବଜେଟରେ ସିନେମା ନିର୍ମାଣ :

ଓଡ଼ିଶାରେ ସିନେମା ଉପରେ ବିଶେଷ କରି ଗବେଷଣା କରିବାର ଇଛା କାହାର ନ ଥିବା ଦେଖାଯାଉଛି । ସ୍ବଳ୍ପ ସମୟର ପରିଧି ଭିତରେ ସିନେମା ନିର୍ମାଣ ହେଉଥିବାରୁ ଏହାର ମାନ ଯଥେଷ୍ଟ କମୁଛି । ଫଳରେ ଦର୍ଶକାଦୃତ ହୋଇପାରୁନଥିବା ଦେଖାଯାଉଛି । ଯଦି ଗୋଟିଏ ସିନେମା ଉପରେ ବଜେଟ ଏବଂ ସମୟ ଦିଆଯାଆନ୍ତା ତେବେ ଯାଇ ଗୋଟିଏ ଭଲ ସିନେମା ଆସିପାରନ୍ତା ବୋଲି ଆଶା ।

ପ୍ରମୋଶନ :

ଯଦି ପ୍ରମୋଶନ ପାର୍ଟକୁ ଦେଖିବା ତେବେ ଏଠାରେ ସଠିକ୍ ପ୍ରମୋଶନ ହେଉନଥିବା ନଜର ଆସୁଛି । ସିନେମା ନିର୍ମାଣରେ ଏଠାରେ ଅର୍ଥ ଖର୍ଚ୍ଚ ହେବା ପରେ ପ୍ରମୋଶନ ସମୟରେ ବଜେଟ ନଥାଏ । ଫଳରେ ଦର୍ଶକଟିଏ ଜାଣିପାରୁନାହିଁ ଏବେ କେଉଁ ସିନେମା ହଲରେ ପଡ଼ୁଛି ଆଉ କେବେ ଆସିବ । ସବୁବେଳେ ଗୋଟିଏ ଜିନିଷର ପ୍ରମୋଶନ ନିହାତି ଆବଶ୍ୟକ ପଡ଼ିଥାଏ ।

ସ୍କ୍ରିଫ୍ଟରେ ଅଜଥା ମୁଣ୍ଡ ଖେଳାଇବା :

କିଛି ଅଭିନେତା ଏବଂ ଅଭିନେତ୍ରୀ ନିଜର ସିନେମା ସ୍କ୍ରିଫ୍ଟିଂ ସମୟରେ ଅଜଥା ମୁଣ୍ଡ ଖେଳାଉଥିବା ନଜର ଆସିଥାଏ । ଫଳରେ ସିନେମାର ମାନ କମିବା ସହ ଦର୍ଶକାଦୃତ ହୋଇପାରୁନାହିଁ ।

ସ୍କ୍ରିଫ୍ଟ ରାଇଟରଙ୍କ ପାଉଣା :

ଯଦି ଜଣେ ସ୍କ୍ରିଫ୍ଟ ରାଇଟରଙ୍କୁ ଅଧିକ ପାଉଣା ଦେବ ଏବଂ ସମୟ ଦେବ ତେବେ କିଛିମାତ୍ରାରେ ସମସ୍ୟା ଦୂର ହୋଇପାରନ୍ତା । ଯାହା ବେଶ୍ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାରେ ତାହା ଦେଖିବାକୁ ମିଳି ନ ଥାଏ । 

ଏହା ଆମ ତରଫରୁ କରାଯାଇଥିବା ତର୍ଜମା । ଏହା ସଠିକ୍ କି ଭୁଲ୍ ଆପଣମାନେ ନିଜର ମତ ଦେବେ । ଆମେ କେବଳ ଜଣାଇବାକୁ ପ୍ରଚେଷ୍ଟା କରିଛୁ । ସିନେମା ନ ଚାଲିବାର ଅନେକ କାରଣ ରହିଛି । ଏହା କେବଳ କିଛି ମାତ୍ର । କିନ୍ତୁ ଆମେ ଯେଉଁ ଖୋଳପା ପିନ୍ଧିଛୁ ’୧୯୯୯ ମହାବାତ୍ୟା’ର ତାହା କେବେ ଖୋଲିବୁ ସେହି ଅପେକ୍ଷାରେ ।