'ଭାଗ୍ୟରେଖା’ରେ ଆରମ୍ଭ ହେବାକୁ ଯାଉଛି କାହାଣୀ ନୂଆପିଢ଼ିର; ଅକ୍ଟୋବର ୧୩ରୁ ସୋମରୁ ଶନି ରାତି ୯ଟାରେ

ଭୁବନେଶ୍ବର,୯/୧୦ : ଓଡ଼ିଆ ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ସହିତ ଚରିତ୍ର ପରିକଳ୍ପନା କରି ସବୁବେଳେ ଆଗରେ ରହେ ଜୀ ସାର୍ଥକ । ସେହିପରି ଏକ ନୂତନ ମୋଡ଼ ନେଇଛି ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ 'ଭାଗ୍ୟରେଖା' ରେ । ସଫଳତାର ସହ ୪୫୦ଏପିସୋଡରୁ ଅଧିକ ପ୍ରଦର୍ଶିତ ଏହି ମେଗା ଧାରାବାହିକରେ ଆସୁଛି ନୂଆ ପିଢିର ନୂଆ କାହାଣୀ, ଯାହା ସମୟ ସାମୟିକ ହେବା ସହ ନୂଆ ପିଢିର ଦର୍ଶକଙ୍କ ମନ ଜିତିବ ବୋଲି 'ଭାଗ୍ୟରେଖା'ର ଟିମ୍ କହିଛି ।
କାହାଣୀର ନାୟିକା ସ୍ମୃତିରେଖା ଜଣେ କଲେଜ ଛାତ୍ରୀ, ବାପା ବିଜୟ ହେଉଛନ୍ତି ରଘୁରାଜପୁର ଗାଁର ଜଣେ ପ୍ରସିଦ୍ଧ ପଟ୍ଟଚିତ୍ରକାର। ପରିବାରର ଭରଣା ପୋଷଣ ପାଇଁ ସ୍ମୃତିରେଖା ମଧ୍ୟ ବାପାଙ୍କୁ ପଟ୍ଟଚିତ୍ର କଳାରେ ସାହାଯ୍ୟ କରନ୍ତି । ଜୀବନରେ ଦୃଢ ସଙ୍କଳ୍ପ ରଖିଥିବା ସ୍ମୃତିରେଖା ଛୋଟବେଳୁ ନିଜ ମା'ଙ୍କୁ ହରାଇ ନିଜ ବାପା, ସାବତ ମା’ଓ ଭାଇ ଭଉଣୀ ସହ ଜୀବନ କାଟୁଥା'ନ୍ତି । ଏହିପରି ଏକ ସଂଘର୍ଷମୟ ଜୀବନରେ ଆସନ୍ତି ନାୟକ ସୌଭାଗ୍ୟ ଯିଏ ପେଷାରେ ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ନାୟକ ଭାବରେ ଲୋକପ୍ରିୟ କିନ୍ତୁ ସୌଭାଗ୍ୟ ପ୍ରକୃତ ପ୍ରେମରେ ବିଶ୍ୱାସ କରନ୍ତି ନାହିଁ । ଏପଟେ ସ୍ମୃତିରେଖା ହେଉଛନ୍ତି ସୌଭାଗ୍ୟଙ୍କର ଜଣେ ବଡ ପ୍ରଶଂସକ । ତେବେ ସୌଭାଗ୍ୟ କ'ଣ ନିଜର ଜଣେ ବଡ ପ୍ରଶଂସକ ସ୍ମୃତିରେଖାଙ୍କ ପ୍ରେମରେ ପଡ଼ିବେ ? ସ୍ମୃତିରେଖାଙ୍କ ସଂଘର୍ଷମୟ ଜୀବନରେ ଆସିବକି ନୂଆ ପରିବର୍ତ୍ତନ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ 'ଭାଗ୍ୟରେଖା' ।
ଓଡ଼ିଆମାନଙ୍କ ସଂସ୍କୃତି, ସରଳତା ଓ ସଫଳତାକୁ ପ୍ରତିଫଳିତ କରୁଥିବା ଏହି କାହାଣୀ, ନୂତନ ପିଢିର ଜୀବନ ଭିତରେ ଆସୁଥିବା ରାଗରୁଷା, ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ନେଇ ଆଧାରିତ, ତେଣୁ କାହାଣୀରେ ଆସୁଥିବା ପରିବର୍ତ୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।