ଉତ୍କଳରେ ସୂଚନା ଅଧିକାର ଆଇନ ଦିବସ ପାଳିତ

ଉତ୍କଳରେ ସୂଚନା ଅଧିକାର ଆଇନ ଦିବସ ପାଳିତ

ଭୁବନେଶ୍ୱର,୧୫/୧୦ : ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗରେ ଆର.ଟି.ଆଇ. (RTI) ଦିବସ ପାଳିତ ହୋଇଯାଇଛି । ସୂଚନା ଅଧିକାର ଅଧିନିୟମ-୨୦୦୫ ହେଉଛି ଏକମାତ୍ର ଆଇନ ଯାହା ନାଗରିକମାନଙ୍କୁ ସରକାରୀ ସୂଚନା ପାଇବାକୁ ସଶକ୍ତ କରିଥାଏ | ଏହା ଜୁନ୍ ୧୫ ତାରିଖରେ ପ୍ରଣୟନ କରାଯାଇଥିଲା ଏବଂ ଅକ୍ଟୋବର ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ସୂଚନା ଅଧିକାର ଆଇନ ଦିବସ ପାଳନ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସେ ସୂଚନା ଅଧିକାର ଆଇନର କାର୍ଯ୍ୟକାରୀତା ଏବଂ ନାଗରିକମାନଙ୍କର ବ୍ୟବହାର ଉପରେ ଆଶଙ୍କା ପ୍ରକାଶ କରି କହିଥିଲେ ଯେ ଏବେ ଅନେକ ଅସ୍ପଷ୍ଟ ଓ ଅବାନ୍ତର ସୂଚନା ପାଇଁ ଆବେଦନ କରାଯାଉଛି ଯାହା ସରକାରୀ ସମ୍ପଦ ନଷ୍ଟ କରିବା ସହ ଆଇନର ମୂଳ ଉଦ୍ଦେଶ୍ୟକୁ କ୍ଷୁର୍ଣ୍ଣ କରୁଛି । ଫଳରେ ଏହା ଅନେକ ନକାରାତ୍ମକ ପରିଣାମ ସୃଷ୍ଟି କରୁଛି ବୋଲି ଚିନାରା ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ପୂର୍ବତନ ରାଜ୍ୟ ସୂଚନା କମିଶନର ଏବଂ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ଆଇନର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଗତ ୨୦ବର୍ଷ ଭିତରେ ବିଭିନ୍ନ ପ୍ରକାରର ସୂଚନା ପାଇବା, ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ଦାୟିତ୍ୱ ଦାବି କରିବା ଏବଂ ପ୍ରଶାସନରେ ସ୍ୱଚ୍ଛତା ଲାଗୁ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ସୂଚନା ଅଧିକାରର ବ୍ୟାପକ ବ୍ୟବହାର ଦେଖାଯାଇଛି। ଅନେକ ଲୋକ ଏହାକୁ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି। ମାତ୍ର ଆଇନର କାର୍ଯ୍ୟାନ୍ୱୟନ ଏବେ ଦୁର୍ବଳ ହେବାରେ ଲାଗିଛି | ସୂଚନା କମିଶନଗୁଡ଼ିକରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ବେଳେ, ଆଜିକାଲି ଅଧିକାଂଶ ଜନ ସୂଚନା ଅଧିକାରୀ (ପିଆଇଓ) ସୂଚନା ପ୍ରଦାନ କରିବାରେ ଇଛା ପ୍ରକାଶ କରୁନାହାନ୍ତି । ସୂଚନା କମିଶନଗୁଡ଼ିକ ସେମାନଙ୍କର ଅନୁମୋଦିତ ସଂଖ୍ୟାର ଅଧାରୁ କମରେ କାର୍ଯ୍ୟ କରୁଛନ୍ତି ଏବଂ ମାମଲା ସମାଧାନର ଗତି ମନ୍ଥର ହୋଇଯାଇଛି । ଯାହା ଶୀଘ୍ର ସୂଚନା ପ୍ରଦାନ କରିବା ଲକ୍ଷ୍ୟକୁ ଅଣଦେଖା କରୁଛି, ବୋଲି ସେ ମତ ରଖିଥିଲେ ।

ସୂଚନା ଅଧିକାର ପ୍ରଶିକ୍ଷକ ହର୍ଷ ପରିଛା ସୂଚନା ଅଧିକାରର ଆବେଦନ ଏବଂ ପ୍ରଥମ ଅପିଲ୍ ଦାଖଲ କରିବା ପ୍ରକ୍ରିୟା ବିଷୟରେ କହିଥିଲେ | ବିଭାଗର ମୁଖ୍ୟ ଡକ୍ଟର ପ୍ରତିମା ଷଡ଼ଙ୍ଗୀ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ, ଡକ୍ଟର ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଇ.ସି.ଏସ.ଏସ.ଆର ଡକ୍ଟରାଲ୍ ଫେଲୋ ଏବଂ ଆର.ଟି.ଆଇ. କ୍ଲିନିକ୍-ଓଡିଶାର ପ୍ରତିଷ୍ଠାତା ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଲୋକ ପ୍ରଶାସନ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।