ତେଲୁଗୁ ଚଳଚ୍ଚିତ୍ର ଉର୍ବଶୀରେ ଓଡ଼ିଆ ଝିଅ ସୋନମ୍ ଦାଶ

ତେଲୁଗୁ ଚଳଚ୍ଚିତ୍ର ଉର୍ବଶୀରେ ଓଡ଼ିଆ ଝିଅ ସୋନମ୍ ଦାଶ

ଭୁବନେଶ୍ବର, ୨୪/୧୧ : ଓଡ଼ିଆ ଝିଅ ସୋନମ ଦାସ । ପିଲାଟି ବେଳୁ ମଡେଲିଂ, ଆଙ୍କରିଙ୍ଗ ଓ ଡ୍ୟାନ୍ସ ପ୍ରତି ତାଙ୍କର ରୁଚି ଥିଲା । ଆଉ ଏହି ରୁଚି ତାଙ୍କୁ ଆଜି ଏକ ପରିଚୟ ଦେଇଛି । ଅଭିନୟ କ୍ଷେତ୍ରରେ ନିଆରା ଛାପ ଛାଡ଼ିପାରିଛନ୍ତି । ଆଲବମ୍ ହେଉ କି ଫିଲ୍ମ କିମ୍ବା ଓ୍ବେବ ସିରିଜ ତାଙ୍କର ଜଲଓ୍ବା ଦେଖାଇସାରିଛନ୍ତି ।

ସିଭିଲ ଇଞ୍ଜିନିୟରିଂ ପାଠ ପଢିଛନ୍ତି, ମାତ୍ର ଅଭିନୟ ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା । ଓଡ଼ିଶାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ମିତାଲୀ ଅପା’ । ଯେଉଁଥିରେ ଅଭିନେତା ଶ୍ରୀତମ ଦାସଙ୍କ ସହ ସେ ଅଭିନୟ କରିଥିଲେ । ଏହାପରେ ସେ ଆଉପଛକୁ ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ସିନେମା କରି ଚାଲିଛନ୍ତି । ‘ମିତାଲୀ ଅପା’ର ପରେ ‘ସମୟ କହିବ କିଏ କାହାର’ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ଖାଲି ସିନେମାରେ ଅଭିନୟ କରିଛନ୍ତି ସେତିକି ନୁହେଁ ବରଂ ସେ ଓ୍ବେବ ସିରିଜରେ ମଧ୍ୟ ନଜର ଆସିଛନ୍ତି। ଓଡ଼ିଶାର ଘରେ ଘରେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସିଥିବା ଏକ ଭିନ୍ନ ଧରଣର ଓ୍ବେବ ସିରିଜରେ ସେ ନଜର ଆସିଥିଲେ । ଯାହାର ନାଁ ଥିଲା ‘ଗ୍ୟାଙ୍ଗ୍ସ ଅଫ ପୁରୀ’ ଏହାସହ ‘କ୍ଲବ ୬୯’ରେ ସେ ନଜର ଆସିଥିଲେ ।

କେବଳ ଓଡ଼ିଆ ନୁହେଁ ବରଂ ହିନ୍ଦୀ ଏବଂ ତେଲୁଗୁରେ ସେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟିପାରିଛନ୍ତି । ହିନ୍ଦୀ ଗୀତ ଦୁଆରେ ସେ ନଜର ଆସିଛନ୍ତି । ଏହାସହ ସାଉଥ ଫିଲ୍ମ ଉର୍ବସୀରେ ସେ ତାଙ୍କର ଜଲଓ୍ବା ଦେଖାଇଛନ୍ତି । ଯାହା ବେଶ ଲୋକପ୍ରିୟ ହେବା ସହ ତାଙ୍କୁ ଏକ ନିଆରା ପରିଚୟ ଦେଇଛି । ସେ କୁହନ୍ତି ଓଡ଼ିଶା ମୋର ଜନ୍ମମାଟି । ଓଡ଼ିଆ ଦର୍ଶକ ମୋ ପାଇଁ ଭଗବାନ । ମୋତେ ଭଲ ସିନେମାର ଅଫର ମିଳିଲେ ମୁଁ ନିଶ୍ଚୟ କରିବି ।

ମୋର ପ୍ରିୟ ଦର୍ଶକମାନଙ୍କୁ ମୁଁ କେବେ ନିରାଶ କରିବିନି । ହିନ୍ଦୀ ସିନେମା ହେଉ କିମ୍ବା ସାଉଥ ରେ ଅଭିନୟ କରିବାକୁ ଇଛା ତ ଅଛି କିନ୍ତୁ ଭଲ ବ୍ରେକ୍ ମିଳିଲେ ନିଶ୍ଚୟ କରିବି । ଓଡ଼ିଶା ଯେହେତୁ ମୋ ଜନ୍ମସ୍ଥାନ ଏଣୁ ମୁଁ ମୋର ପ୍ରିୟ ଓଡ଼ିଶାବାସୀଙ୍କ ପାଇଁ କାମ କରିବାର ସୁଯୋଗକୁ କେବେ ହାତଛଡ଼ା କରି ନ ଥାଏ ।