ଅନୁପମ- ଅନୁଭବ ଯୋଡ଼ି ଫିଲ୍ମ ‘କର୍ମ’ର ଆସିଲା ଫାଷ୍ଟ ଲୁକ୍, କିଲର୍ ଲୁକରେ ନଜର ଆସିଲେ ଓଲିଉଡ଼ର ଭାଇଜାନ୍

ଭୁବନେଶ୍ବର,୧/୮ : ଅନୁଭବଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅପକମିଂ ଓଡ଼ିଆ ଫିଲ୍ମ ‘କର୍ମ’ର ଆସିଲା ଫାଷ୍ଟ ଲୁକ୍ । ଯେଉଁଥିରେ ନଜର ଆସୁଛନ୍ତି ଓଲିଉଡ଼ର ଭାଇଜାନ୍ । କିଲର୍ ଲୁକରେ ଦେଖାଯାଉଛନ୍ତି ଅନୁଭବ । ଯାହାକୁ ଦେଖି ତାଙ୍କର ଫ୍ୟାନ୍ସମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଆମର ମ୍ୟୁଜିକ୍ ପ୍ଲାଟଫର୍ମରେ ଏହାର ଫାଷ୍ଟ ଲୁକ୍ ଆସିଥିବାବେଳେ ଦୁଇ ଘଣ୍ଟାରେ ପ୍ରାୟ ୧୦ହଜାରରୁ ଅଧିକ ଭ୍ୟୁୟର୍ସ ଏହାକୁ ଦେଖି ସାରିଥିବାବେଳେ କମେଣ୍ଟ ବକ୍ସରେ ଭାଇଜାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଆସିଥିବା ଫାଷ୍ଟ ଲୁକରେ ଅନୁଭବ ଏକ ବ୍ଲାକ୍ କଲର ସାର୍ଟରେ ନଜର ଆସୁଥିବାବେଳେ ମୁହଁରେ ଏକ ସିଗାରେଟ୍ ରହିଛି ଏବଂ ହାତରେ ବେଲ୍ଚା ରହିଛି । ଏକ ଅନ୍ଧାର କିଟିକିଟି ବିଜୁଳି ଆଲୁଅ ରାତିରେ ଗୋଟିଏ ସ୍ମଶାନରେ ନଜର ଆସିବା ସହ ସେଠାରେ କିଛି ଖୋଳୁଛନ୍ତି । ସେହିଭଳି ପାଖରେ ଏକ ଗାଡ଼ି ଠିଆ ହୋଇଛି । ତାଙ୍କର କୌଣସି ଡାଇଲଗ୍ ନଥିବାବେଳେ ସେ ଚିତ୍କାର କରୁଛନ୍ତି ଏବଂ ପରେ ସେ ହସିବାକୁ ଲାଗି ପାଟିରେ ହାତ ଦେଉଛନ୍ତି । ନିଜ ପ୍ରିୟ କଳାକାରକୁ ଏଭଳି ନୂଆ ଲୁକ୍ରେ ଦେଖି ତାଙ୍କର ଫ୍ୟାନ୍ସମାନେ ଏବେ ଠୁ ଆଉ ନିଜକୁ ସମ୍ଭାଳି ପାରୁନାହାନ୍ତି ।
ଅଭିନୟରେ ନାୟକ ଭୂମିକାରେ ଅନୁଭବ ମହାନ୍ତି ରହିଥିବାବେଳେ ତାଙ୍କ ଅପଜିଟରେ ସୂର୍ଯ୍ୟମୟୀ ମହାପାତ୍ର ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟା ମହାନ୍ତି, ସନୋଜ କୁମାର, ମନ୍ମୟ ଦେ, ଚୌଧୁରୀ ଜୟପ୍ରକାଶ ଦାଶ, ନିଶାନ୍ତ ମାଜିଠିଆ, ଉଦିତ ଗୁରୁ, ତାପସ ସରଘରିଆ, ସୁଭଜିତ ଆନନ୍ଦ, ଭବେଶ ଏବଂ ପ୍ରଦୀପ ଦେବତା ରହିଛନ୍ତି । ପ୍ରଯୋଜନାରେ ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ରହିଛନ୍ତି । ସେହିଭଳି ଡିଓପିରେ ଦୀପକ କୁମାର ଅଛନ୍ତି । କାହାଣୀ ଓ ସ୍କ୍ରିନପ୍ଲେରେ ମାନସ ପଢିଆରୀ ଥିବାବେଳେ ଡାଇଲଗରେ ଅଛନ୍ତି ମାନସ ପଢିଆରୀ ଏବଂ ନିଶାନ୍ତ ମାଜିଠିଆ । ଏହି ଫିଲ୍ମ ଚଳିତ ପୂଜା ବଜାରରେ ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି ।
ପ୍ରକାଶ ଯେ, ଆଗାମୀ ଦଶହରା ଅବସରରେ ଏହା ଫ୍ଲୋରକୁ ଆସିବାକୁ ପ୍ରସ୍ତୁତ ହେଉଛି । ଅନୁପମ ପଟ୍ଟନାୟକ ଏବଂ ଅନୁଭବ ମହାନ୍ତି ଯୋଡ଼ି ଏଥିରେ ପ୍ରଥମ ଥର କାମ କରିଛନ୍ତି । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ପ୍ରତିଟି ଫିଲ୍ମ ଦର୍ଶକଙ୍କ ମନ ଛୁଆଁ ହୋଇପାରିଛି । ବିଗତ ଦିନରେ ରିଲିଜ ହୋଇଥିବା ’୩କନ୍ୟା’ ଏହାର ଜ୍ବଳନ୍ତ ଉଦାହରଣ । ତା’ପୂର୍ବରୁ ଫିଲ୍ମ ‘ପ୍ରତୀକ୍ଷା’ ହେଉ କିମ୍ବା ଓ୍ବେବ ସିରିଜ ‘ଗ୍ୟାଙ୍ଗ୍ସ ଅଫ ପୁରୀ’ରେ ତାଙ୍କର ବଳିଷ୍ଠ ନିର୍ଦ୍ଦେଶନା ଓଡ଼ିଆ ସିନେ ଦର୍ଶକଙ୍କୁ ଏକ ନୂଆ ଫିଲିଂଙ୍ଗ୍ସ ଦେଇସାରିଛି । ତାଙ୍କର ପ୍ରତି ଚଳଚ୍ଚିତ୍ରରେ ସେ ଭିନ୍ନ ଏକ୍ସିପେରିମେଣ୍ଟ କରିଥାନ୍ତି । କର୍ମରେ ତାଙ୍କ କାମକୁ ନେଇ ଏବେ ଠୁ ଚର୍ଚ୍ଚା ଲାଗି ରହିଛି । ଦର୍ଶକଙ୍କ ମହଲରେ ଏବେ ଠୁ ଫିଲ୍ମ କର୍ମକୁ ନେଇ ଉତ୍ସାହ ଦେଖାଦେଇଛି । ଆଜିର ଫାଷ୍ଟ ଲୁକ୍ ପରେ ଅନୁପମ ଏବଂ ଅନୁଭବ ଉଭୟଙ୍କ ଫ୍ୟାନ୍ସ ଢେର ସାରା ଭଲପାଇବା ଦେବାରେ ଲାଗିଛନ୍ତି । ଅମୀୟ ପଟ୍ଟନାୟକ ପ୍ରଡ଼କ୍ସନରେ ନିର୍ମାଣ ହୋଇଛି ଏହି ଫିଲ୍ମ ।