‘ରାଣ୍ଡିପୁଅ ଅନନ୍ତା’ କାହାଣୀକୁ ପରିବର୍ତ୍ତନ କରି ସିନେମା କରିବା ଫକୀରମୋହନ ସେନାପତିଙ୍କୁ ଅପମାନ : ବାପୁ ଓଝା

‘ରାଣ୍ଡିପୁଅ ଅନନ୍ତା’ କାହାଣୀକୁ ପରିବର୍ତ୍ତନ କରି ସିନେମା କରିବା ଫକୀରମୋହନ ସେନାପତିଙ୍କୁ ଅପମାନ : ବାପୁ ଓଝା

ଭୁବନେଶ୍ବର, ୨୫/୧୧ : ‘ରାଣ୍ଡିପୁଅ ଅନନ୍ତା’ ଶୀର୍ଷକ ଚଳଚ୍ଚିତ୍ର ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ମାତ୍ର ଏବେ ଠାରୁ ଏହାକୁ ଓଡ଼ିଶାରେ ବିବାଦ ଦେଖାଦେଇଛି । ଏଭଳି କି ଏ ବିବାଦ ଏବେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଭିତରେ ଉଗ୍ର ହେବାରେ ଲାଗିଛି । ବରିଷ୍ଠ ଅଭିନେତା ମନୋଜ ମିଶ୍ର ଏହି ସିନେମାର ଶୀର୍ଷକ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯାହାପରେ ଏ ବିବାଦ ଧିରେ ଧିରେ ଉଗ୍ର ହେବାରେ ଲାଗିଛି । ତାଙ୍କ ମତରେ ‘ରାଣ୍ଡିପୁଅ ଅନନ୍ତା’ ସିନେମାର ଟାଇଟେଲରେ ଥିବା ‘ରାଣ୍ଡି’ଶଦ୍ଦ ବର୍ତ୍ତମାନର ସମାଜରେ ଏକ ଅପଶଦ୍ଦ । ଏଣୁ ଏହାକୁ ସେଥିରୁ ବାଦ୍ ଦେବାକୁ ସେ କହୁଛନ୍ତି ।

ଏହାକୁ ନେଇ ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା ଓରଫ ବାପୁ ଓଝା କହିଛନ୍ତି , ‘ରାଣ୍ଡିପୁଅ ଅନନ୍ତା’ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଏକ କାଳଜୟୀ ଗଳ୍ପ । ଆମେ ମଧ୍ୟ ଏହି ଗଳ୍ପକୁ ସ୍କୁଲରେ ପଢିଛନ୍ତି । ଆପଣ ଯଦି ଏହି ଗଳ୍ପ ବହିଟିକୁ ଏବେ ଖୋଜିବେ ତାହାକୁ କୌଣସି ବହି ଦୋକାନରେ ପାଇବେ । ଯଦି କୌଣସି ଅପଶଦ୍ଦ ଥିଲା ଯେତେବେଳେ ଏହା ପ୍ରକାଶନ ହେଲା ସେତେବେଳେ ପରିବର୍ତ୍ତନ ହୋଇପାରିଥାନ୍ତା । ତାହାକୁ ଲୋକେ ଗ୍ରହଣ କରିଛନ୍ତି । ରାଣ୍ଡିପୁଅ ଅନନ୍ତା ହଉ ହେଉ କିମ୍ବା ଛମାଣ ଆଠଗୁଣ୍ଠୁ ଏହା ଉପରେ ଚଳଚ୍ଚିତ୍ର ହେଲେ ବହୁତ ଭଲ । ଆଗରୁ ଆମେ ଛମାଣ ଆଠଗୁଣ୍ଠ ଫିଲ୍ମ ଦେଖି ସାରିଛେ । ବର୍ତ୍ତମାନ ରାଣ୍ଡିପୁଅ ଅନନ୍ତା ସିନେମା ହେଉଛି ଏହା ସ୍ବାଗତ ଯୋଗ୍ୟ । ବ୍ୟାସକବି ଫକୀରମୋହନ ସେନାପତି ଲେଖିଥିବା ଗଳ୍ପକୁ ନେଇ ସିନେମା ହେଲେ ସେଥିରେ ଶୀର୍ଷକ ପରିବର୍ତ୍ତନ କରିବା ଆବଶ୍ୟକତା ନାହିଁ ।

ଯଦି କୌଣସି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ଏହା ଉପରେ ଚଳଚ୍ଚିତ୍ରର ପ୍ରଯୋଜକ ,ନିର୍ଦେଶକ ନିଜ ମତ ରଖନ୍ତୁ । ତଥାପି ଏହା ଉପରେ ସର୍ବଶେଷରେ ସେନସର ବୋର୍ଡ଼ ଅଛି । ରାଣ୍ଡିପୁଅ ଅନନ୍ତାର ଫିଲ୍ମରେ ଯଦି ଫକୀରମୋହନ ସେନାପତି ଲେଖିଥିବା ଗଳ୍ପର କାହାଣୀ ଅଛି ତେବେ ଏହାର ଶୀର୍ଷକ ବଦଳାଇବାର ଆବଶ୍ୟକତା ନାହିଁ।  ଯଦି ଫକୀରମୋହନ ସେନାପତି ଲେଖିଥିବା ଗଳ୍ପର କାହାଣୀକୁ ପରିବର୍ତ୍ତନ କରାଯାଇଛି ତେବେ ନାଁ ପରିବର୍ତ୍ତନ କରାଯିବା ଆବଶ୍ୟକ । କାରଣ ଫକୀରମୋହନ ସେନାପତିଙ୍କ ଲେଖାର ଶୀର୍ଷକକୁ ଆମେ ବ୍ୟବହାର କରିପାରିବା ନାହିଁ । ଯଦି ତାଙ୍କ କାହାଣୀ ଅଛି ତେବେ ତାଙ୍କ ଶୀର୍ଷକ ରହିବ । ଯଦି ତାଙ୍କ କାହାଣୀ ନାହିଁ ତେବେ  ରହିବ ନାହିଁ । ଆଉ ଅପଶଦ୍ଦ ଯଦି କହୁଛନ୍ତି । ତେବେ ଆମେ କହିଲେ ହେବ ନାହିଁ । ପୂର୍ବରୁ ଏହା ଉପରେ ଆଲୋଚନା ହୋଇପାରିଥାନ୍ତି । ଆମ ପୂର୍ବରୁ ବି ମହାନ ବ୍ୟକ୍ତିତ୍ବମାନେଥିଲେ । ସେମାନେ ବି ଏହା ଉପରେ କହିପାରିଥାନ୍ତେ । ତାଙ୍କ କାହାଣୀକୁ ପରିବର୍ତ୍ତନ କରି ସିନେମା କରିବା ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଅପମାନ ।