ଝିଅ ସାଜିଯାଉଛି ସାପ ; ଭୟଭୀତ ଅବସ୍ଥାରେ ପରିବାର ଲୋକେ

ଝିଅ ସାଜିଯାଉଛି ସାପ ; ଭୟଭୀତ ଅବସ୍ଥାରେ ପରିବାର ଲୋକେ

ଖୁଣ୍ଟା,୩୧/୫ : ଝିଅ ସାଜି ଯାଉଛି ସାପ । ସାପକୁ ଆଘାତ ହେଲେ ଝିଅ ଦେହରେ ରହୁଛି ଚିହ୍ନ। ଏଭଳି ଘଟଣା ଯେତିକି କୌତୁହଳପୂର୍ଣ୍ଣ ସେତିକି ପ୍ରଶ୍ନବାଚୀ ମଧ୍ୟ । ଏହା ଭୌତିକ କାଣ୍ଡ ନା ଅନ୍ଧବିଶ୍ୱାସର ଝଲକ, ଯାହାକୁ ନେଇ ଉଠୁଛି ପ୍ରଶ୍ନ ? ଏହା ଶୁଣିବାକୁ ଗପ ଭଳି ଲାଗିପାରେ, ମାତ୍ର କଥାଟି ସତ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ଏଭଳି ଦୃଶ୍ୟ ନଜରକୁ ଆସିଛି।

ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏହିଠାରେ ରହିବି। ଏଭଳି କହି କାନ୍ଦି କାନ୍ଦି ଭୂଇଁରେ ଗଡିଯିବା ସହିତ ମଝିରେ ମଝିରେ ସାପ ଭଳି ଗର୍ଜନ ମଧ୍ୟ କରୁଛି ଝିଅ। କେବଳ ସେତିକି ନୁହେଁ ସାପ ଫଣା ଭଳି ହାତକୁ କରି ଗୁହାରି କରୁଛି ଝିଅ ଟିଏ । 

ଘଟଣାରୁ ପ୍ରକାଶ ଯେ, ଉଦଳା ବ୍ଲକରେ ଜନୈକ ବ୍ୟକ୍ତିଙ୍କ ଘର ମାଟିକାନ୍ଥ ଭିତରେ ଏକ ବିରାଟ ନାଗ ସାପ ପଶିଥିବା ନେଇ ସେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଞ୍ଚିବା ସହିତ ସାପ ରହିଥିବା ମାଟିକାନ୍ଥକୁ ଭାଙ୍ଗିଥିଲେ । ଏବଂ ସାପକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଝିଅ ଅଚାନକ ସାପ ଭଳି ଗର୍ଜନ କରିବା ସହିତ ଭୂଇଁରେ ଲୋଟି ପଡି ସାପ ଫଣା ଟେକିବା ଭଳି ହୋଇଥିଲେ। ତା ସହିତ ମୋତେ ମାର ନାହିଁ । ନେଇ ଯାଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ ଝିଅ ଜଣକ । ଏହା ଦେଖି ପରିବାରବର୍ଗ ଓ ଗ୍ରାମବାସୀ ସଭିଏଁ ଚକିତ ହୋଇ ପଡ଼ିଥିଲେ । ପରେ ସାମ୍ନାକୁ ଆସିଥିଲା ପୁରା ଘଟଣା। ଦିନକ ପୂର୍ବରୁ ପରିବାର ଲୋକେ ଉକ୍ତ ସାପକୁ ଦେଖି ବାଡେଇ ମାରିବା ପାଇଁ ଚେଷ୍ଟା କରି ବାଡ଼ିରେ ଆଘାତ ଦେଇଥିବା ବେଳେ ସାପଟି ଖସି ପଳାଇଥିଲା । ହେଲେ ଝିଅ ଦେହରେ ଅଚାନକ ମାଡ଼ର ଆଘାତ ଚିହ୍ନ ପରିବାର ଲୋକେ ଦେଖିବାକୁ ପାଇଥିଲେ।

ଯାହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ। ପୁଣି ଆଜି ମଧ୍ୟ ଉକ୍ତ ସାପକୁ ନେଇ ଝିଅର ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀ ଏହି ଦୁଇ ଦିନରେ ଝିଅ ଦେହରେ ଏଭଳି ପ୍ରତିକ୍ରିୟା ଦେଖିବା ସହିତ ସାପ ଭଳି ଦେହରେ ଚିହ୍ନ ବସିଯାଉଥିବା କହିଛନ୍ତି ପରିବାର ଲୋକେ। ଯାହାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ ପୁଣି ଏଭଳି ଘଟଣା ଘଟିବା ପୁରା ପରିବାରକୁ ଚିନ୍ତାରେ ପକାଇଛି। ଏ ସବୁ ପରେ ମଧ୍ୟ ସାପ ଆଘାତରେ ଝିଅ ଦେହରେ ଚିହ୍ନ, ଝିଅ ସାପ ଭଳି ଗର୍ଜନ କରିବା, ଘରୁ ନ ଯିବାକୁ ନେହୁରା ହେବା ଏ ସବୁ ଆଈ ମା ପେଡିର ଗପ ଭଳି ଲାଗୁଥିଲେ ସୁଦ୍ଧା ବିଜ୍ଞାନ ଯୁଗରେ ଏହା ଅନ୍ଧବିଶ୍ୱାସ ନା ଆଉ କଣ ? ନା ଏହା କୌଣସି ଭୌତିକ କାଣ୍ଡ ନା ଚିକିତ୍ସା ବିଜ୍ଞାନରେ ଏଥିପାଇଁ ନିର୍ଦିଷ୍ଟ କେଉଁ କାରଣ ରହିଛି ତାହାର ଖୋଳତାଡ଼ ହେବା ଜରୁରୀ ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି ।