ଆନନ୍ଦପୁର : ସ୍ୱାଧୀନ ହେବେ କି ଦଳୀୟ ପ୍ରାର୍ଥୀଙ୍କ ପାଇଁ କଣ୍ଟା !

ଆନନ୍ଦପୁର : ସ୍ୱାଧୀନ ହେବେ କି ଦଳୀୟ ପ୍ରାର୍ଥୀଙ୍କ ପାଇଁ କଣ୍ଟା !

ଭୁବନେଶ୍ବର, ୩୦/୪ : ନିର୍ବାଚନ ତାରିଖ ଯେତିକି ପାଖଉଛି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉସ୍ମତା ସେତିକି ବଢିବାରେ ଲାଗିଛି । ଭୋଟରଙ୍କୁ ଆପଣେଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ନେତା । ଜନତାଙ୍କ ମନ ଜିଣିବାକୁ ଭିନ୍ନ ଉପାୟରେ କରୁଛନ୍ତି ରୋଡ଼ ସୋ ଏବଂ ପ୍ରଚାର । ଖରା ତାତି ଯେତିକି ବଢୁଛି ପ୍ରଚାର ବି ସେତିକି କମ୍ପୁଛି । ଖରାକୁ ଖାତିର ନକରି ଭୋଟରଙ୍କ ପ୍ରିୟ ଭାଜନ ହେବାକୁ ଚେଷ୍ଟା କରୁଛନ୍ତି ନେତା ।

କେନ୍ଦୁଝର ଜିଲ୍ଲା କଥା ଯଦି ଆମେ ଦେଖିବା ଏଠାକାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଆନନ୍ଦପୁର । ରାଜ୍ୟ ରାଜନୀତିରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ଗତ କିଛି ବର୍ଷ ହେବ ଏଠାରେ ବିଜେଡି ତାର ଦବଦବା ଜାହିର କରି ରଖିଛି । ମାତ୍ର ଚଳିତ ବର୍ଷ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି । ବିଜେଡି ଚଳିତ ବର୍ଷ ବିଧାୟକ ଥିବା ଭାଗିରଥୀ ସେଠୀଙ୍କୁ ଭରସା କରିପାରିନି । ଯିଏ ଗତ ନିର୍ବାଚନରେ ୮୯,୮୫୦ଭୋଟ୍ ପାଇ ଜିତିଥିଲେ । ନିଜର ପ୍ରାର୍ଥୀ ବଦଳାଇଛି । ନିର୍ବାଚନ ମଣ୍ଡଳୀରେ ଜଣେ ନୂତନ ଯୁବ ଚେହେରା ଦଳ ଭରସା କରିଛି । ମାତ୍ର ଅଭିମନ୍ୟୁ ସେଠୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ କିଛି ଯାଗାରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି ଜୋର ଧରୁଛି । ନୂଆ ଚେହେରା ହୋଇଥିବାରୁ ବିଜେଡି କର୍ମୀ ଟିକେ ନାଖୁସ ଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ନିର୍ବାଚନ ମଣ୍ଡଳୀରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । 

ସେହିଭଳି କଂଗ୍ରେସର ଭେଟରାନ ଲିଡର ଜୟଦେବ ଜେନା କଂଗ୍ରେସ ଟିକେଟରୁ ଏଠାରୁ ଚଳିତ ବର୍ଷ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସୋସିଆଲ ମିଡ଼ିଆରେ ନିର୍ବାଚନର କିଛିଦିନ ପୂର୍ବରୁ ବାବୁ ଜୟଦେବ ଏବେ ସମ୍ପୂର୍ଣ୍ଣ ଆକ୍ଟିଭ । ଗାଁ ଗାଁ ବୁଲି ନିଜର ପକେଟ ଭୋଟକୁ ସାଉଁଟୁଛନ୍ତି । ପୁରୁଣାବନ୍ଧୁଙ୍କୁ ଭେଟିବା ଆଳରେ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଗତ ଥର ୪୫,୬୫୭ଭୋଟ ପାଇ ରନର୍ସଅପରେ ରହିଥିଲେ ଜୟଦେବ ଜେନା । ମାତ୍ର ଚଳିତ ଥର ତାଙ୍କ ପ୍ରତି ଲୋକଙ୍କର ଭଲପାଇବା ବଢୁଥିବା ଦେଖିବାକୁ ମିଳୁଛି । ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ଶୁଭ ଫଳ ଦେବ ବୋଲି ଚର୍ଚ୍ଚା ହେଉଛି । 

ବିଜେପି ଚଳିତ ଥର ପୁଣି ଥରେ ପ୍ରାର୍ଥୀ ରିପିଟ କରିଛି । ଆଲୋକ କୁମାର ସେଠୀଙ୍କୁ ଦଳ ଭରସା କରିଛି । ସୋମବାର ଆଲୋକ ଏକ ବିରାଟ ରାଲିରେ ଯାଇ ନିଜର ନାମାଙ୍କନ ଭରିଛନ୍ତି । ଆନନ୍ଦପୁରରେ ମୋଦୀଙ୍କ ମ୍ୟାଜିକ କେତେମାତ୍ରାରେ ପଡ଼ୁଛି ତାହା ସମୟ କହିବ । ଯଦି ଆମେ ଦେଖିବା ରାଜନୈତିକ ଅଙ୍କ କଥା ତେବେ ଅସନ୍ତୁଷ୍ଟ ବିଜେଡିର କର୍ମୀ କାହା ସପକ୍ଷରେ ଯିବେ ଚା’ଖଟିରେ ଚର୍ଚ୍ଚା ଲାଗି ରହିଛି ।

ସବୁ ପରେ ଏବେ ସ୍ବାଧିନ ପ୍ରାର୍ଥୀଙ୍କୁ ନେଇ ଆନନ୍ଦପୁରରେ ଏକ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ଗତ କିଛିଦିନ ହେବ ଯୁବ ମହିଳା ଚେହେରା ଭାବେ ସ୍ଥାନୀୟ ଅଞ୍ଚଳରେ ଉଭା ହୋଇଥିବା ଝାନ୍ସୀରାଣୀ ଦାସଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ଗତ କିଛିଦିନରୁ ବିଜେଡିରୁ ଛିଡ଼ା ହେବେ ବୋଲି ଝାନ୍ସୀ ସ୍ଥାନୀୟ ଅଞ୍ଚଳରେ କହି ରୋଡ଼ ସୋ କରିବା ସହ ସଭାସମିତି କରିଥିଲେ । ନିଜର ପତିଆର ଜାହିର କରିଥିଲେ । ମାତ୍ର କିଛିଦିନ ପରେ ସେ ହଠାତ୍ ଫୁଲ ଶିବିରରେ ଉଭା ହୋଇଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାତ୍ର ବିଜେପି ନିରାଶ କରିବା ପରେ ସେ ପୁଣି ସ୍ବାଧିନ ପ୍ରାର୍ଥୀ ହେବେ ବୋଲି ମୁଣ୍ଡ ଟେକିଛନ୍ତି ।

ସେହିଭଳି ବିଧାୟକ ଥିବା ଭାଗିରଥୀଙ୍କ ପୁତୁରା ଶାନ୍ତନୁ ସେଠୀ ଏବଂ ଯୁବ ନେତା ବିଶ୍ବ ପ୍ରତାପ ଜେନାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ସ୍ବାଧୀନରୁ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଯାହା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଏହାରି ମଧ୍ୟରେ ଆଉ ଦୁଇଟି ଖବର ସାମ୍ନାକୁ ଆସିଛି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ବିଧାୟକ ଭାଗିରଥୀ ସେଠୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସେଠୀ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । କିନ୍ତୁ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ଜଣାପଡ଼ି ନାହିଁ। ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ସେଥିପାଇଁ ସେ ବିଜେଡି ଛାଡ଼ିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜେଡି ଆନନ୍ଦପୁର ପାଇଁ କେନ୍ଦୁଝର ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମଙ୍କୁ ଆନନ୍ଦପୁର ନିର୍ବଚନ ମଣ୍ଡଳୀର ସଂଯୋଜକ ଭାବେ ନିଯୁକ୍ତି କରିଛି ।

ସବୁ ପରେ କେନ୍ଦୁଝର ଜିଲ୍ଲାର ଅନ୍ୟ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଘସିପୁରାରୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ସେହିଭଳି ମଙ୍ଗଳବାର ସନ୍ଧ୍ୟାରେ ସେଠାରୁ ଆଉ ଏକ ଚର୍ଚ୍ଚା ମୁଣ୍ଡ ଟେକିଛି ଯାହାକି ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେପି ଘସିପୁରାରୁ ପ୍ରାର୍ଥୀ କରିପାରେ । ଯାହାର ପ୍ରଭାବ ଆନନ୍ଦପୁରରେ ପଡ଼ିବ ଏହାକୁ ଟାଳି ହେବ ନାହିଁ । ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି କି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସ୍ବାଧୀନ ହେବେ କଣ୍ଟା ।