ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ଛାତ୍ରୀଙ୍କ ଜୀବନ ; ରାସ୍ତାରେ ମୃତଦେହ ରଖି କଲେ ପ୍ରତିବାଦ

ଖୁଣ୍ଟା ,୨୫/୮ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସରେ ରହି ପଢ଼ୁଥିବା ଜନୈକା ୬ଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଶନିବାର ମଧ୍ୟରାତ୍ରୀରେ ଆକସ୍ମିକ ମୃତ୍ୟୁ ହୋଇଛି । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିକିତ୍ସାରେ ଅବହେଳା ପାଇଁ ଛାତ୍ରୀଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ମୃତଦେହକୁ ଖୁଣ୍ଟା - ବାରିପଦା ରାଜ୍ୟ ରାଜପଥର ପୁରୁଣାପାଣି ଛକଠାରେ ରାସ୍ତା ଉପରେ ରଖିବା ସହ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଥିଲେ ଗ୍ରାମବାସୀ । ସୂଚନାନୁସାରେ, ଖୁଣ୍ଟା ବ୍ଲକ ଅନ୍ତର୍ଗତ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ୧୧ ବର୍ଷୀୟା ଝିଅ ମଧୁସ୍ମିତା ଖୁଣ୍ଟା କସ୍ତୁରବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନ୍ତବାସିନି ଭାବେ ରହି ପାଠ ପଢ଼ୁଥିଲେ । ତେବେ ସେ ଛୁଟିରେ ଘରକୁ ଯାଇଥିବାବେଳେ ଗତ ୨୧ ତାରିଖ ଦିନ ହଷ୍ଟେଲକୁ ଫେରିଥିଲେ । ୨୨ ତାରିଖ ଠାରୁ ଛାତ୍ରୀ ଜଣକ ଋତୁସ୍ରାବ ଜନିତ କାରଣରୁ ଅସୁସ୍ଥତା ଅନୁଭବ କରୁଥିଲେ । ଗତ ଶନିବାର ସଂଧ୍ୟା ସମୟରେ ମଧୁସ୍ମିତା ପେଟ ଯନ୍ତ୍ରଣା ହେଉଥିବା କହିବା ସହ ତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା ।
ଦାୟିତ୍ଵରେ ଥିବା ୱାଡ଼େନ ମିନତୀ ମହାପାତ୍ର ଉକ୍ତ ରାତ୍ରୀରେ ଝିଅ ଅସୁସ୍ଥ ଥିବା ସମ୍ପର୍କରେ ତାଙ୍କର ପରିବାରବର୍ଗଙ୍କୁ ଜଣାଇଥିଲେ । ସୁଚନାପାଇ ଛାତ୍ରୀର ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ । ମାତ୍ର ବିଦ୍ୟାଳୟ ପକ୍ଷରୁ ଛାତ୍ରୀଙ୍କୁ ଚିକିତ୍ସା କେନ୍ଦ୍ରକୁ ନେବା ପରିବର୍ତ୍ତେ ଏକ ଚେୟାରରେ ବସାଯାଇଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଛାତ୍ରୀଙ୍କୁ ଶନିବାର ମଧ୍ୟରାତ୍ରୀରେ ବିଦ୍ୟାଳୟ ପକ୍ଷରୁ ଖୁଣ୍ଟା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ତେବେ ସେ କସ୍ତୁରବା ବାଳିକା ଛାତ୍ରୀ ନିବାସରେ ରହୁଥିବା ଓ ଦେହ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନ ନେଇ ଅବହେଳା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ରବିବାର ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଚିକିତ୍ସାକେନ୍ଦ୍ର ପରିସରରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ରବିବାର ଚିକିତ୍ସାକେନ୍ଦ୍ରରେ ଥିବା ଛାତ୍ରୀର ମରଶରୀରକୁ ବ୍ୟବଚ୍ଛେଦ ପାଇଁ ନେବା ପରିବର୍ତ୍ତେ ଉଦଳା-ବାରିପଦାର ୧୯ ନଂ ରାଜ୍ୟ ରାଜପଥର ପୁରୁଣାପାଣି ଛକଠାରେ ରଖି ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ , ହଷ୍ଟେଲ ଦାୟିତ୍ଵରେ ଥିବା ଓ୍ୱାଡ଼େନ୍ ମିନତୀ ମହାପାତ୍ର ଏବଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୃତ ଛାତ୍ରୀଙ୍କ ପରିବାରରୁ ଜଣକୁ ଚାକିରୀ ପ୍ରଦାନ ଦାବୀ କରିଥିଲେ ।
ରାସ୍ତା ଅବରୋଧ ସମ୍ପର୍କରେ ସୂଚନାପାଇ ଘଟଣାସ୍ଥଳରେ ଖୁଣ୍ଟା ପୋଲିସ, ବାରିପଦା ବିଧାୟକ ପ୍ରକାଶ ସରେନ , ଗୋପବନ୍ଧୁ ନଗର ବିଡ଼ିଓ କରୁଣାକର ଧିନ୍ଦା ପହଞ୍ଚି ବୁଝାସୁଝ ପାଇଁ ପ୍ରୟାସ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା I ଆନ୍ଦୋଳନକାରୀମାନେ ତାଙ୍କ ଜିଦରେ ଅଟଳ ରହିବା ସହ ଘଟଣାସ୍ଥଳରେ ଜିଲ୍ଲାପାଳଙ୍କ ଉପସ୍ଥିତି ଦାବି କରିଥିଲେ । ପରବର୍ତ୍ତୀ ସମୟରେ ସହକାରୀ ଜିଲ୍ଲାପାଳ ପ୍ରତିକ ପଣ୍ଡା, ଉପଜିଲ୍ଲାପାଳ ସୁକାନ୍ତ ବାରିକ, କପ୍ତିପଦା ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ , ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ବିଡ଼ିଓ କରୁଣାକର ଧିନ୍ଦା ଓ ଗୌରାଙ୍ଗ ଚରଣ ଘୋଷଙ୍କ ସମେତ ଖୁଣ୍ଟା ଓ ଜି. ବି ନଗର ତହସିଲଦାର ପ୍ରମୁଖ ଉପସ୍ଥିତ ରହି ରାସ୍ତାବରୋଧକାରୀଙ୍କ ଦାବି ସଂପର୍କରେ ଆଲୋଚନା କରିଥିଲେ । ତେବେ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଉକ୍ତ ହଷ୍ଟେଲର ୱାଡ଼େନ ଶ୍ରୀମତି ମହାପାତ୍ରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇ ଥିବା ବେଳେ ଖୁଣ୍ଟା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁପରିଣ୍ଟେଣ୍ଡଣ୍ଟ ଗାୟତ୍ରୀ ସେଠୀଙ୍କୁ ଚାକିରୀରୁ ନିଲମ୍ବନ କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ନିକଟକୁ ସୁପାରିସ କରିଥିବା ଜଣାଯାଇଛି । ସେହିପରି ମୃତ ଛାତ୍ରୀଙ୍କ ପରିବାରକୁ ରେଡ଼କ୍ରସ ଓ ବିଦ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଥିବା ବେଳେ ଏକ୍ସଗ୍ରାଟିଆ ମାଧ୍ୟମରେ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହ ମୃତ ଛାତ୍ରୀ ଙ୍କ ପରିବାରରୁ ଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଆଉଟସୋର୍ସିଂ ଜରିଆରେ ଚାକିରି ପ୍ରଦାନ କରାଯିବା ପାଇଁ ପ୍ରତିଶ୍ରୁତି ଉପଜିଲ୍ଲାପାଳ ପ୍ରଦାନ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଦିନ ୨.୩୦ ମିନିଟରେ ରାସ୍ତା ଅବରୋଧ କାରିମାନେ ରାସ୍ତା ଅବରୋଧରୁ ହଟିଥିଲେ । ପରେ ପୋଲିସ ମୃତଦେହକୁ ବ୍ୟବଛେଦ ନିମନ୍ତେ ଉଦଳା ପଠାଇ ଥିବା ଜଣାଯାଇଛି । ଦୀର୍ଘ ୫ଘଣ୍ଟା ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା ।