ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ଧୂଳି ସାତ କଲେ ମୋହନ ସରକାର : ଯୁବ କଂଗ୍ରେସ
ଭୁବନେଶ୍ୱର,୮/୪ : ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ପୂର୍ଣ୍ଣଛେଦ ଉପରେ ପ୍ରତିକ୍ରିୟା ପ୍ରକାଶ କରାଯାଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଯୋଗଦେଇ କହିଥିଲେ ଯେ ଭୁବନେଶ୍ୱରବାସୀଙ୍କ ସ୍ୱପ୍ନର କୋଣାର୍କକୁ ମୋହନ ସରକାର ଧୂଳିସାତ କରିଦେଲେ । ଦେଶରେ ପାଖାପାଖି ୧୮ ଟି ସହରରେ ମେଟ୍ରୋ ରେଲୱେ ସେବା ରହିଛି । ଓଡ଼ିଶାର ପୂର୍ବ ସରକାର ଭୁବନେଶ୍ୱରରେ ମେଟ୍ରୋ ରେଲୱେ ପାଇଁ ସଂକଳ୍ପ ନେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କ ସରକାର ଚାଲିଯିବାରୁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସମ୍ଭବ ହୋଇପାରିଲା ନାହିଁ ।
୨୦୨୪ ଜାନୁଆରୀ ୧ ତାରିଖରେ ୬ ହଜାର ୨୨୫ କୋଟ ଟଙ୍କା ବ୍ୟୟରେ ମେଟ୍ରୋ ପକଳ୍ପ ନିର୍ମାଣ ପାଇଁ ନବୀନ ସରକାର ତ୍ରିଶୁଳିଆଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ । ଯାହାକି ୨୦୨୩ ଏପ୍ରିଲ ୧ ରେ ୪୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାର ଡିପିଆରକୁ ରାଜ୍ୟ କ୍ୟାବିନେଟ ମଧ୍ୟ ୨୦୨୩ ରେ ଅନୁମୋଦନ କରିଥିଲା । ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନ ଲିମିଟେଡ଼ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା କରାଯାଇ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଏହା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୨୦ଟି ଷ୍ଟେସନ ରହିବା ସହିତ ତ୍ରିଶୁଳିଆଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୨୬ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ୪ ବର୍ଷ ଭିତରେ ଏ କାର୍ଯ୍ୟ ସରିଥାନ୍ତା । ଦିଲ୍ଲୀ ମେଟ୍ରୋ ରେଳବାଇ କର୍ପୋରେସନ ସହିତ ଭୁବନେଶ୍ୱର ମେଟ୍ରୋ ରେଳବାଇ କର୍ପୋରେସନ ଏକ ରାଜିନାମା କରିଥିଲା । ୩୨୬ କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ରେଳବାଇ ଏହାର କାର୍ଯ୍ୟ ପରିଚାଳନା ପାଇଁ ମୁଖ୍ୟ କନସଲଟାଣ୍ଟ ଭାବେ ଦାୟୀତ୍ୱ ନେଇଥିଲା । ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଯାହା କହୁଛନ୍ତି ତାଙ୍କ କଥା ସହ ନା ମୁଖ୍ୟମନ୍ତ୍ରୀ ନା ରେଳମନ୍ତ୍ରୀଙ୍କର କୌଣସି ସାମଞ୍ଜସ୍ୟ ରହୁଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ମୁଖ୍ୟମନ୍ତ୍ରୀଙ୍କ ଏବଂ ମନ୍ତ୍ରୀଙ୍କ କଥାରେ କୌଣସି ତାଳମେଳ ରହୁ ନାହିଁ । ପୂର୍ତ୍ତ ମନ୍ତ୍ରୀ ତୁରନ୍ତ ସ୍ପଷ୍ଟିକରଣ ରଖନ୍ତୁ ଯେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ । ଯଦି ମେଟ୍ରୋ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନକରାଯାଏ ତାହାଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜଧାନୀ ରାସ୍ତାରେ ଯୁବ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ଏବେ ମୋହନ ସରକାର ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ । ଯୁକ୍ତି ରଖିଲେ ଯେ, ଏଥିରେ ଆବଶ୍ୟକ ଲୋକ ଯାତାୟତ କରିବେ ନାହିଁ, ଜାତୀୟ ରେଳବାଇ ନୀତି ଏହା ଖାପ ଖାଉ ନାହିଁ, ଏହାର ପରିଚାଳନାରେ ମଧ୍ୟ ବ୍ୟାପକ କ୍ଷତି ହେବ ଏବଂ ଏ ସବୁକୁ ବିଚାରକୁ ନେଇ ଡିଏମଆରସି ସହିତ ହୋଇଥିବା ରାଜିନାମାକୁ ବାତିଲ କଲେ । ଯାହା ଫଳରେ ରାଜ୍ୟ ସରକାରଙ୍କର ୨୭୩ କୋଟି ୫୧ ଲକ୍ଷ ଟଙ୍କା ନଷ୍ଟ ହେଲା । ଏହି ସାମ୍ବାଦିକ ସମ୍ମିଳନୀରେ ସୁଦିପ ସାମଲ, ଗୋପନ ମାର୍ଥା, ଜାଭେଦ ଅକତର ଯୋଗଦେଇଥିଲେ ।

Editor 


