ଲାଲୁଙ୍କ ପିଟିସନ ହାଇକୋର୍ଟରେ ଖାରଜ
ନୂଆଦିଲ୍ଲୀ,୨୫/୩ : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଦ୍ବାରା ଆଗତ ଏକ ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଜମି ବଦଳରେ ଚାକିରି’ ଦୁର୍ନୀତି ପ୍ରସଙ୍ଗ ନେଇ ସିବିଆଇ ପକ୍ଷରୁ ଯେଉଁ ମାମଲା ରୁଜୁ କରାଯାଇଛି, ତାହାକୁ ଖାରଜ କରିବାକୁ ଲାଲୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଜଷ୍ଟିସ ରବୀନ୍ଦ୍ର ଦୁଦେଜାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ଲାଲୁଙ୍କ ଆବେଦନ ପଛରେ ଯଥାର୍ଥତା ନ ଥିବାରୁ ଏହାକୁ ଖାରଜ କରାଯାଇଛି। ସୂଚନାଯୋଗ୍ୟ ଲାଲୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା।

Editor 


