ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣନ୍ତୁ କିଏ ହେଲେ ନୂଆ ମାଲିକ ?

ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣନ୍ତୁ କିଏ ହେଲେ ନୂଆ ମାଲିକ ?

ମୁମ୍ବାଇ,୨୪/୩ : ଆମେରିକା ଭିତ୍ତିକ ପ୍ରବାସୀ ଭାରତୀୟ ଉଦ୍ୟୋଗୀ ରାଜ୍‌ ସୋମାନିଙ୍କ ନେତୃତ୍ବାଧୀନ ଏକ କନସୋର୍ଟିୟମ୍‌ (ନିବେଶକ ଗୋଷ୍ଠୀ) ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି। ସେମାନେ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି ଟଙ୍କା ବିନିମୟରେ କିଣିଛନ୍ତି। ଏହି ନିବେଶକ ଗୋଷ୍ଠୀରେ ଅଛନ୍ତି ଆମେରିକାର ପ୍ରସିଦ୍ଧ ରିଟେଲ କମ୍ପାନି ଓ୍ବାଲମାର୍ଟ ଗ୍ରୁପର ରବ୍‌ ଓ୍ବାଲଟନ୍‌ ଓ ହାମ୍ପ୍‌ ପରିବାର ।

ହାମ୍ପ ପରିବାର ମାଲିକାନାରେ ଆମେରିକୀୟ ଫୁଟବଲ୍‌ ଲିଗ୍‌ (ଏନଏଫଏଲ୍‌) ଦଳ ଡେଟ୍ରଏଟ୍‌ ଲାୟନ୍ସ ମଧ୍ୟ ରହିଛି। ସେହିପରି ରାଜ୍‌ ସୋମାନି ପୂର୍ବରୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ନିବେଶ କରିସାରିଛନ୍ତି। ମୋଟର ସିଟି ଗଲ୍ଫ କ୍ଲବ୍‌ର ମାଲିକାନା ତାଙ୍କ ନିକଟରେ ରହିଛି। ସେହିପରି ରାଜସ୍ଥାନ ରୟାଲ୍ସରେ ବି ତାଙ୍କର ନିବେଶ ଥିଲା। ଏହି ନିବେଶର ଏକ ଉଜ୍ଜଳ ସମ୍ଭାବନା ରହିଛି ବୋଲି ସୋମାନି କହିଛନ୍ତି।

୨୦୦୮ରେ ଆଇପିଏଲ ଚାମ୍ପିଅନ ହୋଇଥିବା ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଦାଲେ, ରେଡବାର୍ଡ କ୍ୟାପିଟାଲ୍‌ ଓ ଲଚଲନ୍‌ ମୁର୍ଡକ୍‌ ଗତ ଛଅ ମାସ ହେଲା ଏହି ଫ୍ରାଞ୍ଚାଇଜ୍‌ ବିକ୍ରି ପାଇଁ ଆଲୋଚନା ଚଳାଇଥିଲେ। ଏହି ଫ୍ରାଞ୍ଚାଇଜ୍‌ କିଣିବା ଦୌଡ଼ରେ ବିରଲା ଗ୍ରୁପ୍‌ ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍‌ ମଧ୍ୟ ସାମିଲ ଥିଲା।