ବୟସର ଅପରାହ୍ନରେ...

ବୟସର ଅପରାହ୍ନରେ...

ଯେତେବେଳେ ନାରୀ ଏବଂ ପୁରୁଷ ସଂସାର ବନ୍ଧନରେ ବାନ୍ଧି ହୋଇଯାଆନ୍ତି, କିଛିଦିନ ପରେ ସବୁରି ମୁହଁରେ ସେହି ଗୋଟିଏ ଆଶା ରହିଥାଏ, ଘରକୁ ପିଲାଟିଏ କେବେ ଆସିବ। କୁଳ ରକ୍ଷା କରିବା ସହ ଭବିଷ୍ୟତର ଆଶା ବାଡ଼ି ହେବା ପାଇଁ ସବୁ ମାତା ପିତା ପିଲାଟିଏ ଖୋଜି ଥାଆନ୍ତି, ନଚେତ୍ ଦୁଃଖର ପାହାଡ଼ ମନରେ ଗଢ଼ି ହୋଇଯାଇଥାଏ। କଥାରେ ଅଛି - ମୂଳ ଅପେକ୍ଷା ସୁଧରେ ଅଧିକା ଲୋଭ ରହିଥାଏ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ କଣ ହୁଏ?

      ସବୁ ବାପା ମାଆ ଚାହାଁନ୍ତି, ଆମ ଠାରୁ ଆମ ପିଲାମାନେ ଅଧିକ ଭଲରେ ରୁହନ୍ତୁ। ଧନୀ ହେଉ କିମ୍ବା ଗରିବ ସବୁ ମାଆବାପା ସୁଖକୁ ତ୍ୟାଗ କରି, ଦୁଃଖକୁ ଅମୃତ ପରି ପିଇଯାଇ ପିଲାଙ୍କର ଭବିଷ୍ୟତ ତିଆରି କରିବାକୁ ଲାଗି ପଡ଼ନ୍ତି। ଆଉ ପିଲାମାନେ ଯେତେବେଳେ ଉପଯୁକ୍ତ ସ୍ଥାନରେ ପହଞ୍ଚି ଯାଆନ୍ତି, ବାପା ମାଆଙ୍କର ସବୁ ତ୍ୟାଗକୁ ଭୁଲି ଯାଇଥାନ୍ତି। ବାପାମାଆଙ୍କ ସେବା କରିବା ତ ଦୂରର କଥା, ପଦିଏ କଥାହେବା ପାଇଁ ସେମାନଙ୍କ ପାଖରେ ସମୟ ନଥାଏ। ଅନେକ ତ ଭାବି ନିଅନ୍ତି ବାର୍ଦ୍ଧକ୍ୟ ଅବସ୍ଥାରେ କିଛି ଟଙ୍କା ଦେଇଦେଲେ ମାଆ ବାପାଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଏଠାରେ ପ୍ରଶ୍ନ କରାଯିବ, ଯଦି ପିଲାଦିନେ ମାଆବାପା ସ୍ନେହ ପରିବର୍ତ୍ତେ କିଛି ପରିମାଣର ଟଙ୍କା ଦେଇ ଆମକୁ ପିଲାଟି ଦିନରୁ ପାଖରୁ ଦୂରେଇ ଦେଇ ଥାଆନ୍ତେ, ଆମର ସବୁ ସମସ୍ୟା ଦୂର ହୋଇପାରି ଥାଆନ୍ତା କି?

   ଖାଲି ସେତିକି ନୁହେଁ, ଯେତେବେଳେ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଏକାଠି ଥାଆନ୍ତି, ପରସ୍ପର ମଧ୍ୟରେ ସବୁ ସୁଖଦୁଃଖକୁ ବାଣ୍ଟି ରହିଯାଆନ୍ତି, କିନ୍ତୁ ଜଣେ ଚାଲିଗଲା ପରେ, ଆଉଜଣଙ୍କର ଅସହାୟତା, ନିଃସଂଗତାକୁ ବୁଝିବାକୁ ପାଖରେ କେହି ନଥାନ୍ତି। ପରକୁ ଆଶ୍ରୟ କରି ବଞ୍ଚିବାକୁ ପଡ଼ିଥାଏ। ଆଜିର ସମୟରେ ଜଣକୁ ଆଉଜଣେ ଅନୁକରଣ କରି ବାପାମାଆଙ୍କୁ ଅବହେଳିତ କରି ଚାଲିଛନ୍ତି। ଚଳଚ୍ଚିତ୍ର, ଗଣ ମାଧ୍ୟମ, ଧାରାବାହିକ ଜରିଆରେ ପ୍ରସାରିତ କରାଗଲେ ମଧ୍ୟ, ସମାଜରେ ଏହାର କୌଣସି ପ୍ରଭାବ ପଡୁ ନାହିଁ କିମ୍ବା ସଚେତନତା ସୃଷ୍ଟି ହେଉନି।

ଟଙ୍କାର ପାହାଡ଼ରେ ବସିବା, ଉଚ୍ଚଶିକ୍ଷା ଗ୍ରହଣ କରିବା କିମ୍ବା ଉଚ୍ଚ ଆସନର ଅଧିକାରୀ ହେବା ଭୁଲ୍ ନୁହେଁ, ବରଂ ଏ ସବୁର ବାହାନାରେ ଜନ୍ମ ଦେଇଥିବା ମାଆବାପାଙ୍କୁ ପାଖରୁ ଦୂରେଇ ଦେବା ଅପରାଧ ଅଟେ।ଆମେ ସବୁ ଜାଣିଛେ, ଜନ୍ମରୁ ମୃତ୍ୟୁ ଯାଏଁ ମନୁଷ୍ୟ ଅନେକ ରୂପରେ ରୂପାନ୍ତରିତ ହୋଇ ନିଜର ଶେଷ ନିଃଶ୍ୱାସକୁ ତ୍ୟାଗ କରି ଥାଏ। ତାହା ଜଣଙ୍କ ପାଇଁ ଆସି ନଥାଏ, ସମସ୍ତେ ସମୟର ଦାସ ଅଟନ୍ତି। ବୟସର ଅପରାହ୍ନରେ ମନୁଷ୍ୟ ରକ୍ତ ସମ୍ପର୍କକୁ ଖୋଜିଥାଏ। ପାଖରେ ନ ପାଇଲେ କେତେଯେ କଷ୍ଟ ହୁଏ, ଜଣେ ଅନୁଭବି ତାର ଉତ୍ତର ଦେଇପାରିବ। ଶେଷ ସମୟକୁ ଟଙ୍କା ଦେଇ ନୁହେଁ, ବରଂ ଟିକେ ସ୍ନେହ ସହାନୁଭୁତି ଦେଖାଇବା ଦ୍ୱାରା ମାଆବାପା ନିରାଶାର ମନୋଭାବ ନେଇ, ନିଜର କ୍ରିୟାକର୍ମ ଓ କୋକେଇକୁ କାନ୍ଧ ଦେବା ପାଇଁ ଅନ୍ୟକୁ ସାହାରା ମାଗିବା ପରିବର୍ତ୍ତେ ଶାନ୍ତିରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିପାରିବେ।

ସଂଯୁକ୍ତା ଦାଶ, ଭୁବନେଶ୍ବର