ଭୁବନେଶ୍ୱର–କଟକ ମେଟ୍ରୋ ପ୍ରକଳ୍ପ ; କାହିଁକି ଲୋକଙ୍କୁ ବଡ଼ ଆଶା ଦେଖାଯାଇଥିଲା : ତାପସ ଦେ
ଭୁବନେଶ୍ବର,୭/୪ : ଭୁବନେଶ୍ୱର–କଟକ ମେଟ୍ରୋ ପ୍ରକଳ୍ପ, ଯାହାକୁ ଓଡ଼ିଶାର ଆଧୁନିକ ପରିବହନ ବ୍ୟବସ୍ଥାର ଏକ ବଡ଼ ପଦକ୍ଷେପ ବୋଲି ପ୍ରଚାର କରାଯାଇଥିଲା, ସେହି ପ୍ରକଳ୍ପ ହଠାତ୍ ବନ୍ଦ ହେବା ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି । ଏ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ତାପସ ଦେ । ସେ କହିଛନ୍ତି, ଆରମ୍ଭରୁ ନେଇ ଏ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପର କୌଣସି ଫଳ ଦେଖିବାକୁ ମିଳିଲା ନାହିଁ, ଯାହା ଜନସାଧାରଣଙ୍କ ମନରେ ଗଭୀର ପ୍ରଶ୍ନ ଉଠାଇଛି । ଏହି ପ୍ରକଳ୍ପକୁ ନେଇ ଆରମ୍ଭରୁ ବହୁତ ବଡ଼ ବଡ଼ ଘୋଷଣା କରାଯାଇଥିଲା । ଲୋକଙ୍କୁ ଦେଖାଯାଇଥିଲା ଏକ ସ୍ଵପ୍ନ, ଯେଉଁଠାରେ ଭୁବନେଶ୍ୱର ଓ କଟକ ମଧ୍ୟରେ ଆଧୁନିକ ମେଟ୍ରୋ ସେବା ଚାଲିବ । କିନ୍ତୁ ବାସ୍ତବ ଚିତ୍ର ହେଉଛି, ଏହି ସ୍ଵପ୍ନ କେବଳ କାଗଜରେ ସୀମିତ ରହିଗଲା।
ମେଟ୍ରୋ ପ୍ରକଳ୍ପ ପାଇଁ ଯେତେ ଟଙ୍କା ଖର୍ଚ୍ଚ ହୋଇଛି, ସେହି ଟଙ୍କା ସମ୍ପୂର୍ଣ୍ଣ ଜନତାଙ୍କର ଟ୍ୟାକ୍ସରୁ ଆସିଛି । ଏହା ସତ୍ତ୍ୱେ ଯଦି ପ୍ରକଳ୍ପଟି ବନ୍ଦ ହୋଇଯାଏ, ତେବେ ଏହା କେବଳ ଆର୍ଥିକ କ୍ଷତି ନୁହେଁ, ବରଂ ସରକାରୀ ପରିକଳ୍ପନାର ଗୁରୁତର ବିଫଳତାକୁ ପ୍ରକାଶ କରେ । ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଯଦି ପ୍ରକଳ୍ପଟି ଆରମ୍ଭରୁ ଅର୍ଥନୈତିକ ଭାବେ ସଫଳ ହେବାର ସମ୍ଭାବନା ନ ଥିଲା, ତେବେ କାହିଁକି ଏହାକୁ ଆରମ୍ଭ କରାଯାଇଥିଲା ? କାହିଁକି ଲୋକଙ୍କୁ ଏତେ ବଡ଼ ଆଶା ଦେଖାଯାଇଥିଲା।

Editor 


