ଦେଶୀ ଚୋରା ମଦ ସହ ପୋଚ ଏବଂ ବାଇକ ଜବତ, ୧୫ ଗିରଫ

ସମ୍ବଲପୁର ପ୍ରତିନିଧି,(ଅଭ୍ୟର୍ଥନା ରଣା),୨୫/୮ : ଗଞ୍ଜାମ ଜିଲ୍ଲାର ଚିକିଟି ଅଂଚଳରେ ଘଟିଥିବା ମଦ ମୃତ୍ୟୁକୁ ଆଖି ଆଗରେ ରଖି ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ସାରା ଓଡିଶାରେ ଚୋରା ମଦ ପ୍ରସ୍ତୁତି ଏବଂ ବିକ୍ରୟ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅବାକାରୀ ଗୁଇନ୍ଦା ସଂସ୍ଥା, ଉତ୍ତରାଞ୍ଚଳ, ସମ୍ବଲପୁରରେ ମଧ୍ୟ ଜୋର ସୋର ଚଢ଼ଉ ଜାରି ରହିଛି ।
ଏହି ଚଢ଼ଉରେ ଆଜି ରେଙ୍ଗାଲି ଥାନା ଅନ୍ତର୍ଗତ ସିଆନବାହାଲ, ଗଣେଶନଗର, କାଳିଆ ପଡା ଏବଂ ଚାରପଡ଼ା, ବରେଇପାଲି ଥାନା ଅନ୍ତର୍ଗତ ନୂଆପଡା ତଥା କ୍ଷେତରାଜପୁର ଥାନା, ଧନୁପାଲି ଥାନା ଅଂଚଳରେ ଚଢ଼ାଉ କରାଯାଇ ୧୭ ଗୋଟି ଅବକାରୀ ମାମଲା ରୁଜୁ କରି ୬୦୫ ଲିଟର ଦେଶୀ ଚୋରା ମଦ,୩୪୫୦ ଲିଟର ମହୁଲ ପୋଚ ସହିତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୧୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସେହିଭଳି ଭାବରେ ଗତ ୨୦. ୦୮. ୨୦୨୪ ରୁ ୨୪. ୦୮. ୨୦୨୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ସମୟରେ ୩୧ ଗୋଟି ଅବକାରୀ ମାମଲା ରୁଜୁ କରି ୧୪୦୭ ଲିଟର ଦେଶୀ ଚୋରା ମଦ ଏବଂ ୨୦, ୫୩୫ ଲିଟର ମହୁଲ ପୋଚ ଜବତ କରାଯାଇ ଏଥିରେ ସମ୍ପୃକ୍ତ ୧୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ସାରିଛି । ଆଜି ପର୍ଯ୍ୟନ୍ତ ଏହି (Special Drive)ସ୍ୱତନ୍ତ୍ର ଅଭିଯାନରେ ୪୮ ଗୋଟି ଅବକାରୀ ମାମଲା ରୁଜୁ କରି ୨୦୧୨ ଲିଟର ଦେଶୀ ଚୋରା ମଦ, ୨୩, ୯୮୫ ଲିଟର ମହୁଲ ପୋଚ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ଏଥିରେ ସମ୍ପୃକ୍ତ ୩୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଜବତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୧୬, ୫୦, ୦୦୦ (ଷୋହଳ ଲକ୍ଷ ପଚାଶ ହଜାର) ହେବ। ଏହି ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଆଗକୁ ବଳବତ୍ତର ରହିବ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l