ପୁଣ୍ୟଭୂମି ଉତ୍କଳ
ପୁଣ୍ୟଭୂମି ଉତ୍କଳ, ଯାହାର ଅଧିପତି ପ୍ରଭୁ ଶ୍ରୀ ଜଗନ୍ନାଥ। ଶୁଭ ଶଙ୍ଖର ଶବ୍ଦରେ ସିନ୍ଦୁରା ଫାଟିବା ଠାରୁ ଆରମ୍ଭ କରି, ସଞ୍ଜରେ ସଞ୍ଜବତୀ ଜଳିବା ନୀତି ଜଗନ୍ନାଥ ସଂସ୍କୃତି ଅନୁଯାୟୀ କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯାହାର ସିନ୍ଧୁ ମହୋଦଧିରେ ପରିଣତ ହେବା ସହ, ଶ୍ମଶାନର ମାଟି ସ୍ୱର୍ଗକୁ ରାସ୍ତା ଦେଖାଇ ଥାଏ, ଯେଉଁ ଧାମ ବାର ମାସରେ ତେର ପର୍ବ ପାଳନ କରିଥାଏ ଓ ଯାହାର ପବିତ୍ର ଗ୍ରନ୍ଥ ଭାଗବତକୁ ଶୁଣି ଶୁଆଶାରୀ ବି ମଧୁର ବଚନ କହନ୍ତି, ସେହି ପବିତ୍ର ଉତ୍କଳ ଭୂମୀର ଆମେ ସନ୍ତାନ। ଏହି ଉତ୍କଳ ଭୂମିର ମାଟି, ପାଣି, ପବନରେ ଏତେ ପବିତ୍ରତା ଭରି ରହିଛି, ଦିନେ ଏହି ରେଣୁର ସ୍ପର୍ଶରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ।ଉତ୍କଳର କଳା, ସଂସ୍କୃତି, ଐତିହ୍ୟ, ଭାଷା, ଖାଦ୍ୟ, ପରିଧାନ ଆଜି ବିଶ୍ୱରେ ପରିଚିତ, ଓଡ଼ିଶୀ ନୃତ୍ୟ ଓ ରଙ୍ଗବତୀ ସଙ୍ଗୀତ ସବୁ ଜାଗାରେ ମନକୁ କିଣି ନେଇଛି।
ବର୍ତ୍ତମାନ ଯଦି ଆମେ ଓଡ଼ିଆ ଭାବରେ ଗର୍ବିତ ସେହି ମହାପୁରୁଷଙ୍କ ପାଇଁ, ଯେଉଁ ମାନଙ୍କୁ ଏ ଉତ୍କଳ ଭୂମି ଜନ୍ମ ଦେଇଥିଲା। ୧୫୬୮ରେ ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ପରାଜୟ ପରେ ଓଡ଼ିଶା ନିଜର ସ୍ୱତନ୍ତ୍ରତାକୁ ହରାଇ ବସିଥିଲା। ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ସ୍ୱଭାବ କବି ଗଙ୍ଗାଧର ମେହେର, ବ୍ୟାସକବି ଫକୀରମୋହନ ସେନାପତି ଏବଂ ଅନେକ ମହାପୁରୁଷଙ୍କ ଆପ୍ରାଣ ଚେଷ୍ଟାରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଉତ୍କଳ ଏକ ରାଜ୍ୟର ମାନ୍ୟତା ପାଇଥିଲା। ଖାଲି ସେତିକି ନୁହେଁ, ଧର୍ମପଦ ଓ ଶହୀଦ ବାଜି ରାଉତଙ୍କ ପରି ବୀର ପୁତ୍ରଙ୍କର ଗର୍ଭଧାରିଣୀ ଏହି ପୁଣ୍ୟଭୂମି ଉତ୍କଳ। କେତେ ମହାନ ଓ ମହିୟସୀ ସନ୍ତାନଙ୍କୁ ଜନ୍ମ ଦେଇଛି ଏ ଉତ୍କଳ ଭୂମୀ, ତାର ହିସାବ କରିବା ଭୁଲ୍ ହୋଇଯିବ।
ଆଜି ସେହି ମାଆର, ସେ ଜନ୍ମ ଦେଇଥିବା ମହାପୁରୁଷଙ୍କର ତ୍ୟାଗ ଓ ବଳିଦାନକୁ ଭୁଲିଯାଇ ଆମେ ଧିରେ ଧିରେ ପାଶ୍ଚାତ୍ୟ ଜଗତ ଆଡ଼କୁ ଅଗ୍ରସର ହେଉଛେ। ସବୁ ଶିଖିବା ଓ ଜାଣିବାକୁ ତ ପଡିବ, କିନ୍ତୁ ତାର ଅର୍ଥ ନୁହେଁ, ନିଜର ମାଆ, ମାଟି ଓ ମାତୃଭାଷାକୁ ଅବହେଳା କରି, ପାଶ୍ଚାତ୍ୟ ଜଗତକୁ ଆପଣାଇ ନେବା। ମାଆର ସ୍ନେହ, ପ୍ରେମ ଓ ଆଶୀର୍ବାଦ ବିନା କେହି କଣ କେବେ ଜୀବନରେ ଉପରକୁ ଉଠି ପାରିଛି? ଯଦିବି ଯାଇଛି ଖୁବ୍ କମ୍ ସମୟ ପାଇଁ।
ତେଣୁ ରାଜ୍ୟ ଭିତରେ ଓଡିଶା, ଭାଷା ଭିତରେ ଓଡିଆ ଏବଂ ଏହି ପୁଣ୍ୟଭୂମି ଉତ୍କଳର ସନ୍ତାନ ଭାବରେ ଗର୍ବ ଅନୁଭବ କରିବା ସହ ଅନ୍ୟକୁ ଶିଖାଇବା ପ୍ରତ୍ୟେକ ଓଡ଼ିଆଙ୍କର ଦାୟିତ୍ବ ହେବା ଉଚିତ୍।
ଓଡ଼ିଆ ନବବର୍ଷ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ!
ସଂଯୁକ୍ତା ଦାଶ
ଭୁବନେଶ୍ବର

Editor 


