ଜୀ ସାର୍ଥକରେ ପ୍ରଥମ ଥର ପାଇଁ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସୁପରହିଟ୍ ଫିଲ୍ମ 'କୁହୁଡ଼ି', ଆସନ୍ତା ୧୨ତାରିଖ ସନ୍ଧ୍ୟା ୬ଟା ୩୦ରେ
ଭୁବନେଶ୍ବର,୧୦/୪ : ଓଡ଼ିଆ ମନୋରଞ୍ଜନ ଜଗତର ଅଗ୍ରଣୀ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଦର୍ଶକଙ୍କ ପାଇଁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ଉପଲକ୍ଷେ ଭେଟି ଦିଆଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସୁପରହିଟ୍ ଫିଲ୍ମ ତଥା ଏକ ରହସ୍ୟ ଏବଂ ସଂଘର୍ଷପୂର୍ଣ୍ଣ ଚଳଚ୍ଚିତ୍ର 'କୁହୁଡ଼ି'। ଏହି ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଟିଭିରେ ଦର୍ଶକମାନେ ଦେଖିବାକୁ ପାଇବେ ଆସନ୍ତା ଏପ୍ରିଲ ୧୨ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟରେ ।
ଚଳଚ୍ଚିତ୍ରର କାହାଣୀ ଜଣେ ସାହସୀ ଆଇନଜୀବୀ ଅଂଶୁମାନ ପଟ୍ଟନାୟକ ଏବଂ ନ୍ୟାୟ ପାଇଁ ତାଙ୍କର ଅଦମ୍ୟ ସଂଘର୍ଷକୁ ନେଇ ଗତିଶୀଳ। ଏଥିରେ ଏକ ଭୟଙ୍କର ଅଭିଯୋଗର ଶିକାର ହୋଇଥିବା ପିତାଙ୍କ ବେଦନା ଓ ନ୍ୟାୟ ପାଇଁ ସଂଘର୍ଷ ପରି ଏକ ଗମ୍ଭୀର ସାମାଜିକ ପ୍ରସଙ୍ଗକୁ ଏକ କୋର୍ଟ ରୁମ୍ ଡ୍ରାମା ମାଧ୍ୟମରେ ଅତି ନିଖୁଣ ଭାବରେ ଦର୍ଶାଯାଇଛି । ସତ୍ୟର ସନ୍ଧାନ ଏବଂ ନ୍ୟାୟ ପାଇବା ପାଇଁ ଆଇନଜୀବୀଙ୍କ ଉଦ୍ୟମ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ। ସନ୍ଦେହ, ସଂଘର୍ଷ ଏବଂ ସତ୍ୟର ଏକ ନିଆରା ସମନ୍ୱୟ ହେଉଛି 'କୁହୁଡ଼ି'।
ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ରରେ ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତି, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ଏବଂ ଦୀପନ୍ୱିତ ଦାଶମହାପାତ୍ର ନିଜର ଶକ୍ତିଶାଳୀ ଅଭିନୟ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ମନ ଜିତିଥିବା ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ଛୋଟ ପରଦାରେ ପ୍ରଥମ ଥର ପାଇଁ ଦେଖିବେ ଜୀ ସାର୍ଥକର ସମସ୍ତ ଦର୍ଶକ।
ଏହି ଅବସରରେ ସାରା ଭାରତରେ ଥିବା ଓଡ଼ିଆ ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇ ରାହୁଲ ରାଓ କହିଛନ୍ତି, "ଜୀ ସାର୍ଥକ ସଦାସର୍ବଦା ଓଡ଼ିଶାର ଦର୍ଶକମାନଙ୍କ ପାଇଁ ନୂଆ ଏବଂ ବାସ୍ତବଧର୍ମୀ କାହାଣୀ ଆଣିବାକୁ ଚେଷ୍ଟା କରିଥାଏ। 'କୁହୁଡ଼ି', ଯାହାର ଆଇଏମଡିବି ରେଟିଂ ୮.୪ ରହିଛି, ତାହା କେବଳ ଏକ ସିନେମା ନୁହେଁ, ବରଂ ଏହା ସମାଜର ଏକ ନିଷ୍ଠୁର ସତ୍ୟ ଉପରେ ପର୍ଯ୍ୟବେଶିତ। ଓଡ଼ିଶା ଓ ସାରା ଭାରତରେ ରହୁଥିବା ଆମର ପ୍ରିୟ ଓଡ଼ିଆ ଦର୍ଶକମାନେ ନିଜ ପରିବାର ସହ ଏହି ରହସ୍ୟପୂର୍ଣ୍ଣ ଚଳଚ୍ଚିତ୍ରର ଆନନ୍ଦ ନେବେ ବୋଲି ମୋର ବିଶ୍ୱାସ।"

Editor 


