ଆଦର୍ଶ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୭/୧୨ : ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରା ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଆନନ୍ଦର ବିଷୟ। ଆଦର୍ଶଙ୍କ ନିଖୋଜ ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ। ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ଆମେ ନିରନ୍ତର ସମନ୍ୱୟ ରକ୍ଷା କରିଥିଲୁ। ଭାରତ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଆଜି ଆଦର୍ଶ ନିଜ ପରିବାର ପାଖକୁ ଫେରିଛନ୍ତି। ଏହି ସଫଳ ମିଶନ ପାଇଁ ମୁଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ସୁଦାନସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛି।
ରାଜ୍ୟ ବାହାରେ ବା ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କ ସୁରକ୍ଷା ଓ କଲ୍ୟାଣ ଆମ ସରକାରଙ୍କ ପ୍ରାଥମିକତା। ବିପତ୍ତି ସମୟରେ ଆମେ ସଦାସର୍ବଦା ଆପଣଙ୍କ ସାଥିରେ ରହିଛୁ।

Editor 


