ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀ, ଭୋଟ ବଢି ଚାଲିବ : ନିରଞ୍ଜନ

ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀ, ଭୋଟ ବଢି ଚାଲିବ : ନିରଞ୍ଜନ

ଭୁବନେଶ୍ୱର, ୨୬/୧୦ : ଆଜିଠୁ ନୂଆପଡା ଉପ ନିର୍ବାଚନକୁ ନେଇ କଂଗ୍ରେସ ଭବନଠାରେ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ରାଜନୈତିକ ଦଳଙ୍କୁ ବାଦ ଦେଇ ଯଦି ଯୋଗ୍ୟତା ଆଧାରରେ ଆମେ ପ୍ରାର୍ଥୀଙ୍କ ଆକଳନ କରିବା ତେବେ ବିଜେଡି ଦେଇଥିବା ମହିଳା ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ନୁହନ୍ତି ଏବଂ ବାପା ବିଜେଡି ବିଧାୟକ ଥିଲେ କିନ୍ତୁ ପୁତ୍ର ରାତି ଅଧିଆ ଦଳ ଡେଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି । 

ଏହି ପ୍ରାର୍ଥୀ ଦ୍ବୟଙ୍କ ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ତୁଳନା କରିବା ତେବେ ଘାସିରାମ ମାଝୀ ଜଣେ ଉଚ୍ଚ ଶିକ୍ଷିତ ଓ ଆଇନଜୀବୀ, ଆଦିବାସୀ ଶ୍ରେଣୀରୁ ଆସି ଲୋକଙ୍କ ପାଇଁ ସଂଗ୍ରାମ କରି ବିଗତ ଚାରିଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ନିର୍ବାଚନରେ ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଓ ଗତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢେଇ କରି ୫୧ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇ ପାରେ । ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀ, ଭୋଟ ବଢିଚାଲିବ।ନୂଆପଡାବାସୀ ନିଜ ଚେତନା ଅନୁଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଶା କରୁଛି ।

ଯାହା କାମ ହୋଇଛି କଂଗ୍ରେସ ସମୟରେ ହିଁ ହୋଇଛି, ପତୋରା, ତିଖାଲି ଡ୍ୟାମଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ କରଣ, ରାସ୍ତାଘାଟ ଏବଂ ଆଦିବାସୀଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କଂଗ୍ରେସ କରିଛି କିନ୍ତୁ ଦୀର୍ଘ ୨୪ ବର୍ଷ ଧରି ବିଜେଡି ଏବଂ ବର୍ତ୍ତମାନର ବିଜେପି ସରକାର ନୂଆପଡାକୁ କେବଳ ଉପେକ୍ଷା କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଆଇଟିଡିଏ ଫଣ୍ଡ ନୂଆପଡାରେ କାର୍ଯ୍ୟକାରୀ ହୋଇ ନ ପାରିବା ହେଉଛି ସବୁଠୁ ବଳିଷ୍ଠ ପ୍ରମାଣ। ବିଜେପି ସରକାରକୁ ଆସିଲା ପରେ ଲୋକଙ୍କ ଆଶା ଥିଲା କିଛି ଉନ୍ନତି ହେବ ବୋଲି ।କିନ୍ତୁ ଏଇ ସରକାର କେବଳ ଶହ ଶହ ପ୍ରକଳ୍ପ, ଯୋଜନା ଆଦି ପ୍ରତିଶୃତି ବାଣ୍ଟି ଚାଲିଛି କାର୍ଯ୍ୟକାରୀ ଗୋଟିଏ ହେଉନି । ପୂର୍ବତନ ସଭାପତି ପଟ୍ଟନାୟକ ପୁଣି କହିଲେ ଯେ, ନୂଆପଡ଼ାରୁ ଦାଦନ ଖଟିବା ପାଇଁ ୪୦ ହଜାର ଲୋକ ବାହାରକୁ ଯାଆନ୍ତି । ମନରେଗା କାର୍ୟ୍ୟକକ୍ରମ ବଜେଟ ସରକାର ଅହେତୁକ କମାଇ ଦେଇଛନ୍ତି ଏବଂ ଯାହା ବି ଟଙ୍କା ଆସୁଛି ତାକୁ ମଧ୍ୟ ଖର୍ଚ୍ଚ କରିବାକୁ ସମର୍ଥ ନୁହନ୍ତି । ମନରେଗା କାମ ମିଳୁ ନ ଥିବାରୁ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଗତ ୨୫ ବର୍ଷଧରି କିଛି ଉନ୍ନୟନ ମୂଳକ କାମ କରିନାହଁ ବୋଲି ଆଜି ଦାଦନ ଭଳିଆ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ।

ନୂଆପଡାବାସୀ ଯଦି ଡବଲ ଇଞ୍ଜନ ହେଉ କିମ୍ବା ୨୪ ବର୍ଷର ଶାସନ ଏବଂ କଂଗ୍ରେସ ସହିତ ତୁଳନା କରିବେ ତେବେ ନିଶ୍ଚୟ କଂଗ୍ରେସକୁ ଭୋଟ ଦେବେ। କଂଗ୍ରେସ କେବେ ନୂଆପଡାବାସୀ, ଆଦିବାସୀ ଦଳିତ କାହାକୁ ଅବହେଳା କରିନି । କଂଗ୍ରେସର ଅନ୍ୟ ଏକ ବିଶେଷତ୍ୱ ହେଲା ଆମ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ। ତାଙ୍କ ସମୟରେ ନୂଆପଡ଼ାରେ ଅନେକ ଗୁଡିଏ ବିକାଶ ମୂଳକ କାର୍ୟ୍ୟ ହୋଇଛି। ତାଙ୍କ ଲୋକ ସମ୍ପର୍କ ମଜବୁତ ଅଛି ଓ ସେ ସେଠାରେ ରହି କଠିନ ପରିଶ୍ରମ କରୁଛନ୍ତି। ବିଜେପି ବିଗତ ୧୬ ମାସ ହେଲା କିଛି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କି ? କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଘୋଷଣାର ୧ ଘଣ୍ଟା ପୂର୍ବରୁ ଖରିଆର ରୋଡ଼କୁ ପୌର ପରିଷଦ ଘୋଷଣା ତାହାର ଉଦାହରଣ । ସୁଭଦ୍ରା ଶକ୍ତି ସମାବେଶ କରି ପୁଣି ଏକ ମିଥ୍ୟା ପ୍ରତିଶ୍ରୁତି ଆୟୋଜନ ବିଜେପି କରୁଛି। ପୁଣି ସରକାରୀ ସମାବେଶ ବି ହେଉଛି। ସରକାରୀ କାର୍ୟ୍ୟୟକ୍ରମରେ ପଦ୍ମଫୁଲ ଚି଼ହ୍ନ ବ୍ୟବହାର କରିବା ଅର୍ଥ ହେଉଛି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରିବା । ଡବଲ ଇଞ୍ଜିନ ସରକାର ଅଛି କିନ୍ତୁ ଆଶ୍ଚର୍ୟ୍ୟ ର କଥା ଜିଲ୍ଲା ମୁଖ୍ୟାଳୟ ନୂଆପଡା ହୋଇଥିବାବେଳେ ଜିଲ୍ଲା ସଦର ମହକୁମାରେ ଦୂରଗାମୀ ଟ୍ରେନ ରହେ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଲେ କଂଗ୍ରେସ ଏକଜୁଟ ଅଛି ଆମେ ସମସ୍ତେ ନୂଆପଡା ପ୍ରଚାରରେ ଯିବୁ । ଉପକୂଳିଆ ନେତାଙ୍କୁ ବାରଣ କରାଯିବା ଭ୍ରମାତ୍ମକ କଥା । ଅନେକ ନେତା ଗଲେଣି ଆମେ ମଧ୍ୟ ଯିବୁ। ନୂଆପଡାବାସୀ ଅନୁଶୀଳନ କରନ୍ତୁ କାହା ସମୟରେ କେତେ କାମ ହୋଇଥିଲା। ସବୁଠୁ ଯୋଗ୍ୟ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ନୂଆପଡ଼ା ବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।