ସତ୍ୟତାର ପରିଭାଷାକୁ ବାର୍ତ୍ତା ମାଧ୍ୟମରେ ଜନମାନସକୁ ପହଞ୍ଚାଇବାରେ ସ୍ତମ୍ଭ ସାହିତ୍ୟ ଏକ ପ୍ରମୁଖ ଭୂମିକା ନେଇଥାଏ
ଭୁବନେଶ୍ୱର, ୪/୧୨ : ତଥାକଥିତ ଚତୁର୍ଥ ସ୍ତମ୍ଭକୁ ସମାଜର ଦର୍ପଣ ବୋଲି ସାଧାରଣତଃ ଭାବେ ଲୋକଲୋଚନରେ ପରିଗଣିତ ହୋଇଥାଏ । ସମାଜର ସାମାଜିକ ଗତିବିଧିକୁ ନିରୀକ୍ଷଣ କରି ଏ ସମାଜରେ ଯାହା ସତ୍ୟତାର ପରିଭାଷା ଯାହାର ବିଭିନ୍ନ ଦିଗକୁ ବାର୍ତ୍ତା ମାଧ୍ୟମରେ ଏ ଜନମାନସକୁ ପହଞ୍ଚାଇବାରେ ସ୍ତମ୍ଭ ସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇଥାଏ। ଚତୁର୍ଥ ସ୍ତମ୍ଭକୁ ଶକ୍ତିଶାଳୀ କରିବାରେ ବହୁ ସ୍ତମ୍ଭ ଲେଖକ ସମାଜର ମାର୍ଗଦର୍ଶକ ଭାବରେ ଦଣ୍ଡାୟମାନ ହୋଇ ଏହାକୁ ପରିପ୍ରଚାର ଦିଗରେ ନିଜର ଦାୟିତ୍ଵ ନିଭାଇଥାନ୍ତି। ସମାଳର ବାସ୍ତବ ଚିତ୍ରକୁ ଦର୍ପଣରେ ଅଭିହିତ କରି ସମାଜକୁ ଆତ୍ମପ୍ରତିବିମ୍ବିତ କରାଇବାରେ କ୍ଷମତା ରଖେ ସ୍ତମ୍ଭ। ସମାଜକୁ ଆତ୍ମ ପ୍ରତିବିମ୍ବିତ କରାଇବା କ୍ଷମତା ରଖେ ସ୍ତମ୍ଭ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସହଯୋଗୀ ଅନୁଷ୍ଠାନ ଶବ୍ଦସ୍ପର୍ଶର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଆୟୋଜିତ ସ୍ତମ୍ଭ ସାହିତ୍ୟ ଆଲୋଚନାଚକ୍ରରେ ମାନ୍ୟଗଣ୍ୟ ଅତିଥି ଓ ବକ୍ତାଙ୍କ ଦ୍ଵାରା ଆଲୋଚନା କରାଯାଇଥିଲା ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ, ବିଶିଷ୍ଟ କଥାଶିଳ୍ପୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଲେଖକ ଶ୍ରୀଯୁକ୍ତ ଦେବପ୍ରସାଦ ଦାଶଙ୍କ ସମେତ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଭଗବାନ ପ୍ରକାଶ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଓ ଶ୍ରୀରାମ ଦାଶ ଆଦି ଅତିଥି ଭାବେ ଯୋଗଦାନ କରି ସ୍ତମ୍ଭ ସାହିତ୍ୟ ଯାହାକି ସମାଜର ଠିକ୍ ରାସ୍ତାକୁ ଚିହ୍ନାଇବାରେ ଏବଂ ଦୈନିକ ଘଟଣା, ସାମାଜିକ ନୀତି, ଅନ୍ୟାୟ ଓ ନୂତନ ପରିବର୍ତ୍ତନର ମୂଲ୍ୟାଙ୍କନ କରିବାରେ ସମାଜକୁ ବିଭିନ୍ନ ତଥ୍ୟ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ସେହିଭଳି ପ୍ରଗତିବାଦୀର ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ଆହ୍ୱାନର ସମ୍ପାଦକ ବିଭୂତିଭୂଷଣ କର ଆଦି ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ସ୍ତମ୍ଭ ଲେଖକ ବିଭିନ୍ନ ପ୍ରବଚଂନାର ଶିକାର ନ ହୋଇ ଉଚିତ୍ ମାର୍ଗ ପ୍ରଦର୍ଶନ କରିବା ସହିତ ସ୍ତମ ସାହିତ୍ୟ ଏକ ସୃଜନଶୀଳ ମଂଚ, ଯେଉଁଠାରେ ଲେଖକ ମାଧ୍ୟମରେ ପାଠକର ଆଲୋଚନା, ମତଭେଦ ଓ ବିକଳ୍ପ ଦୃଷ୍ଟିକୋଣ ଆଦି ପରିଚିତ କରାଇଥାଏ ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ତମ୍ଭ ସାହିତ୍ୟ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସତ୍ୟ, ଯୁକ୍ତି ଓ ବିଶ୍ଲେଷଣକୁ ଆଗକୁ ଆଣିବାରେ ସ୍ତମ୍ଭ ସାହିତ୍ୟ ଯେଉଁ ଭୂମିକା ଗ୍ରହଣ କରିଥାଏ ତାହା ଏ ସମାଜ ପ୍ରତି ରହିଥିଦବା ସାମାଜିକ ନୈତିକତାକୁ ମାର୍ଗଦର୍ଶକ ଭାବେ ଅବତୀର୍ଣ୍ଣ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥାଏ ବୋଲି ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଶବ୍ଦସ୍ପର୍ଶର ସମ୍ପାଦକ ପବିତ୍ର ମୋହନ ମହାରଥା ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଉଦ୍ଘାଟନୀ ଅଧିବେଶନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନର ଅଧିବେଶନରେ ଆଲୋଚ୍ୟ ବିଷୟ ‘ସ୍ତମ୍ଭ ସାହିତ୍ୟ ସମାଜର ଦର୍ପଣ' ଓ ‘ସ୍ତମ୍ଭ ସାହିତ୍ୟ ସମାଜର ଦିଗ୍ଦର୍ଶକ' ଶୀର୍ଷକ ଉପରେ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନନୀୟ ଆଲୋଚକ ଭାବେ ବହୁ ବିଶିଷ୍ଟ ସ୍ତମ୍ଭକାର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନିରଞ୍ଜନ ପାଢ଼ୀ, ନଟବର ଖୁଣ୍ଟିଆ, ଚିତ୍ତରଞ୍ଜନ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ରୀନା ରାଉତରାୟ, ସତ୍ୟବ୍ରତ ପଣ୍ଡା, ଅଭୟ ଦ୍ବିବେଦୀ, ଡକ୍ଟର ଗିରିଜାଶଙ୍କର ଶର୍ମା, ହରିଶଙ୍କର ମିଶ୍ର, ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ଶ୍ରୁତକୀର୍ତ୍ତି ତ୍ରିପାଠୀ, ଛନ୍ଦା ମିଶ୍ର, ଗୌରାଙ୍ଗ ଚରଣ ପରିଡ଼ା, ଚିନ୍ମୟ ହୋତା ଆଦି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସହଯୋଗୀ ଅନୁଷ୍ଠାନ ଶବ୍ଦସ୍ପର୍ଶ ପ୍ରକାଶକଙ୍କ ପକ୍ଷରୁ ଶୁତକୀର୍ତ୍ତି ତ୍ରିପାଠୀଙ୍କ ‘କୀର୍ତିକଥା’ର ଶୁଭ ଉନ୍ମୋଚନ କରାଯାଇଥିଲା। ଏଥିରେ ଜ୍ଞାନୀଗୁଣୀ, ସଜନମଣ୍ଡଳୀ, ସାହିତ୍ୟିକ ସାହିତ୍ୟିକା, ସ୍ତମ୍ଭ ସାହିତ୍ୟ ପିପାଶୁ ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

Editor 


