ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପୁଣି ଶ୍ରୀମୟୀଙ୍କ କହ୍ନେଇ ଉପାଖ୍ୟାନ

ଭୁବନେଶ୍ବର,୧୫/୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏ ନେଇ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ। ଏହି ଘୋଷଣା ପରେ ପୁଣି ସୋସିଆଲ ମିଡ଼ିଆରେ କହ୍ନେଇ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର ।
ସେ ଲେଖିଛନ୍ତି , ପ୍ରମାଣିତ ହେଲା କହ୍ନେଇଙ୍କ ‘ଦିଲ୍ଲୀ ଡିଲ୍’ । ଜିଲ୍ଲା ବାହାରର ପରାଜିତ ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇ ପରୋକ୍ଷରେ ‘କହ୍ନେଇ’ଙ୍କ ସ୍ଥାୟିତ୍ୱ ଓ ଡିଲକୁ କାର୍ଯ୍ୟକାରୀ କରାଇଛି । ଯେଉଁ ନେତ୍ରୀଙ୍କୁ ବିଜେଡି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି କହିଛି ସେ ଗତ ମାସରେ କହ୍ନେଇଙ୍କୁ ନବୀନବାବୁଙ୍କ ‘ମାନସ ପୁତ୍ର’ କହିବା ପରେ ହିଁ ତାଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦବୀରେ ପୁରସ୍କୃତ କରାଯାଇଥିଲା । ଯେଉଁ ମହିଳା ନିଜ ଦଳର ନେତ୍ରୀଙ୍କୁ ଅପମାନିତ ହେବାର ଦେଖି ଚୁପ୍ ରହିଥିଲେ ଓ ପାଣ୍ଡିଆନଙ୍କ ଚାପରେ ବାରମ୍ବାର ବୟାନ ବଦଳାଇଥିଲେ ଏବେ ତାଙ୍କୁ ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କରାଯାଇଛି । ବରଗଡ଼ର ଏହି ନେତ୍ରୀ ଗତ ସାଧାରଣ ନିର୍ବାଚନରେ ନିଜ ପାରମ୍ପରିକ ଆସନରୁ ୨୯ହଜାର ଭୋଟ୍ ବ୍ୟବଧାନରେ ଶୋଚନୀୟ ପରାଜିତ ହୋଇଥିଲେ । ଏବେ ସିଏ ନୂଆପଡ଼ାରେ ଦଳର ପ୍ରାର୍ଥୀ ହେବାପରେ ସ୍ପଷ୍ଟ ପ୍ରମାଣିତ ହେଲା ଯେ, ବିଜେଡି କିଭଳି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବ ସେଥିପାଇଁ ବିରାଟ ଷଡ଼ଯନ୍ତ୍ର ଗତ ସପ୍ତାହରେ ଦିଲ୍ଲୀରେ ହୋଇସାରିଥିଲା । ଦଳର କୋର ଟିମ୍ ସଦସ୍ୟମାନେ ସେହି କହ୍ନେଇଙ୍କୁ ନବୀନ ନିବାସରେ ଭେଟି ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବି ଦେଲେ । ମାତ୍ର ହେଲା କ’ଣ? ନୂଆପଡ଼ାର ହଜାର ହଜାର ବିଜୁପ୍ରେମୀ ଓ ଦଳୀୟ କର୍ମୀଙ୍କ ପ୍ରତି ଏହା ଅପମାନ ନୁହେଁ ତ ଆଉ କ’ଣ? ଯେଉଁ ଅଣଓଡ଼ିଆ ବ୍ୟକ୍ତି ପାଇଁ ବିଜେଡିର ୨୪ବର୍ଷର ସରକାର ଚାଲିଗଲା, ଆଉ ଏବେ ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିବାର ଷଡ଼ଯନ୍ତ୍ର ହେଲା, ତାକୁ କେତେଦିନ ସହିବେ ବିଜେଡିର ନେତାମାନେ, ସେ ବିଚାର ଆପଣମାନଙ୍କ ଉପରେ ଛାଡ଼ିଲି ।
ତେବେ ଶ୍ରୀମୟୀଙ୍କ ଏହି ଲେଖା ପରେ ପୁଣି କହ୍ନେଇ ଚର୍ଚ୍ଚା ସରଗରମ ହୋଇଛି ।