ଆସନ୍ତା ୨୭ରେ ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୨୭ରେ ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ଵର,୨୧/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ରେ ଝାରସୁଗୁଡା ଆସିବେ। ଝାରସୁଗୁଡାର ଅମଲିପାଲିଠାରେ ଥିବା ରିଜର୍ଭ ପଡିଆରେ ଆୟୋଜିତ ହେବ ଯୁବ ସମାବେଶ । ଏ ନେଇ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେବେ। ଏଥିପାଇଁ ଆଜି ଆନୁଷ୍ଠାନିକ ସୂଚନା ମିଳିବା ପରେ ଅମଲିପାଲି ପଡିଆ ସହ ଅନ୍ୟ ଦୁଇଟି ପଡିଆକୁ ବୁଲି ଦେଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସହ ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପି।

ଏହାପରେ ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟାରେ ସାମ୍ଭାବ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କାର୍ଯ୍ୟ ଦେଖିବା ପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଝାରସୁଗୁଡାରେ ଯୁବ ସମାବେଶ ଆୟୋଜନ ହେବ ଓ ରାଷ୍ଟ୍ରୀୟ ସ୍ତରରେ ଯୁବକଙ୍କ ମଙ୍ଗଳ ପାଇଁ କିଛି ଯୋଜନା ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳରୁ ଲକ୍ଷାଧିକ ଯୁବକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିପାଇଁ ଝାରସୁଗୁଡ଼ା ବିଜେପିର କର୍ମକର୍ତ୍ତା ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ।

ଆସନ୍ତା ୨୫ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ଭୀଷଣ ବର୍ଷାକୁ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇପାରେ । ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଚୁଡ଼ାନ୍ତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।