ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ନଡ୍ଡା

ଭୁବନେଶ୍ବର, ୫/୫ : ବିଜେପିର ନିଶାଣରେ ଓଡ଼ିଶା। ଏଥର କିଭଳି ଓଡ଼ିଶା ଦଖଲ କରାଯିବ ସେ ନେଇ କେନ୍ଦ୍ରୀୟ ନେତୃବୃନ୍ଦ ପୂରା ବଳ ଖଟାଇବାର ଯୋଜନା ରଖିଛନ୍ତି। ଆଜି (ରବିବାର) ଓଡ଼ିଶା ଗସ୍ତରେ ବିଜେପିର ଦୁଇଜଣ ହେଭିୱେଟ ନେତା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ। ପରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳର ସଂକଳ୍ପପତ୍ର ଜାରି କରିବେ ବୋଲି ଜଣାପଡ଼ିଛି। ନଡ୍ଡାଙ୍କ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ରବିବାର ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ପୁନର୍ବାର ୧୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ୧୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ବିଶାଳ ‘ରୋଡ୍ ଶୋ’ କରିବା ଯୋଜନା ରହିଛି। ୧୧ ତାରିଖରେ ସେ ବଲାଙ୍ଗିରରେ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଚଳଚଞ୍ଚଳ ହୋଇପଡିଛି। ତୃଣମୂଳସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦଙ୍କ ପର୍ଯ୍ୟନ୍ତ ସବୁସ୍ତରରେ ଉତ୍ସାହ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୩ ଜଣ ଉପାୟୁକ୍ତ, ୧୦ ଏସିପି, ୧୭ ଆଇଆଇସି, ୯୦ ଏସ୍ଆଇ/ଏଏସ୍ଆଇ ଅଛନ୍ତି। ଏହାସହ ୨୦ ପ୍ଲାଟୁନ୍ ଫୋର୍ସ ସହ ସିଆଇଏସ୍ଏଫ୍ କର୍ମଚାରୀ ମଧ୍ୟ ମୁତୟନ କରାଯିବ ବୋଲି ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ କହିଛନ୍ତି।