ଭୁବନେଶ୍ୱର ଆକାଶରେ ‘ମନ୍ତ୍ର ମୁଗ୍ଧ’ର ଯାଦୁ

ଭୁବନେଶ୍ୱର ଆକାଶରେ ‘ମନ୍ତ୍ର ମୁଗ୍ଧ’ର ଯାଦୁ

ଭୁବନେଶ୍ବର,୧୫/୩ : ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ବହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ମନ୍ତ୍ର ମୁଗ୍‌ଧ’ ର ଏକ ଭବ୍ୟ ଟିଜର ଲୋକାର୍ପଣ ଉତ୍ସବ ୧୪ତାରିଖ, ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧ ଜୟନ୍ତୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ଓଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ‘ଏଲଇଡି ଡ୍ରୋନ୍ ପ୍ରଦର୍ଶନୀ’ ମାଧ୍ୟମରେ ଚଳଚ୍ଚିତ୍ରର ଟିଜରକୁ ଆକାଶ ମାର୍ଗରେ ପ୍ରଦର୍ଶିତ କରାଯାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଯାଇଛି। ପ୍ରାୟ ୪୦ ମିନିଟ୍ ଧରି ଚାଲିଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ତିନୋଟି ଡ୍ରୋନ୍ ସାହାଯ୍ୟରେ ଶହେ ଫୁଟ ଉଚ୍ଚତାରେ ଏକ ଭିଜୁଆଲ୍ ସିକୁଏନ୍ସ ପ୍ରସ୍ତୁତ କରାଯାଇଥିଲା। ଏହା ମାଧ୍ୟମରେ ଚଳଚ୍ଚିତ୍ରର କାଳ୍ପନିକ ତଥା ରହସ୍ୟମୟ ଦୁନିଆର କିଛି ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଥିଲା। ପୂର୍ବରୁ ଏଭଳି ପ୍ରଚାର ଶୈଳୀ କେବଳ ବଡ଼ ବଜେଟର ବଲିଉଡ୍ ବା ହଲିଉଡ୍ ସିନେମାରେ ଦେଖିବାକୁ ମିଳୁଥିବା ବେଳେ, ଅନୁପମ ପଟ୍ଟନାୟକଙ୍କ ଏହି ପ୍ରୟାସ ଓଡ଼ିଆ ସିନେମାର ବଢୁଥିବା ସାମର୍ଥ୍ୟକୁ ପ୍ରମାଣିତ କରିଛି।

ଓଡ଼ିଆ ସିନେମାକୁ ବିଶ୍ୱସ୍ତରୀୟ ପରିଚୟ ଦେଇଥିବା ପ୍ରତିଷ୍ଠିତ ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ’ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ପୂର୍ବରୁ ଜାତୀୟ ପୁରସ୍କାର ପ୍ରାପ୍ତ ‘ପ୍ରତୀକ୍ଷା’, ବ୍ଲକବଷ୍ଟର ‘କର୍ମ’ ଏବଂ ଲୋକପ୍ରିୟ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍‌ସ ଅଫ୍ ପୁରୀ’ ଭଳି ସଫଳ ଭେଟି ଦେଇଥିବା ଏହି ପ୍ରଯୋଜନା ସଂସ୍ଥା ‘ମନ୍ତ୍ର ମୁଗ୍‌ଧ’ ଜରିଆରେ କାହାଣୀ ଓ ଶୈଳୀର ସୀମାକୁ ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ବର୍ଷା ପଟ୍ଟନାୟକ। ଏଥିରେ ଅନେକ ଦକ୍ଷ କଳାକାରଙ୍କ ସମାହାର ଦେଖିବାକୁ ମିଳିଛି । ମୁଖ୍ୟ କଳାକାର ଭାବରେ ସନୋଜ କୁମାର, ମନମୟ ଦେ, ସାର୍ଥକ ଭରଦ୍ୱାଜ, ଦୀପନ୍ୱିତ ଦାଶମହାପାତ୍ର ଏବଂ ଭୂମିକା ଦାଶଙ୍କ ସହ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ସୂର୍ଯ୍ୟମୟୀ ମହାପାତ୍ର, ନିଶାନ୍ତ ମଜିଠିଆ, ସୋମା ହୋତା, ପିହୁ ମହାପାତ୍ର ଓ ମିଷ୍ଟର ରାଉତ ଏହି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ମୁଗ୍ଧ କରୁଛନ୍ତି ।

ଏହି ଭବ୍ୟ ଉତ୍ସବ ସହିତ ଚଳଚ୍ଚିତ୍ରର ରିଲିଜ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଆସନ୍ତା ମେ ୧ ତାରିଖରେ ଏହି ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଡ୍ରୋନ୍ ସୋ’ ଯେଉଁଭଳି ଭାବେ ଲୋକଙ୍କ ମନରେ ଉତ୍କଣ୍ଠା ଭରିଛି, ତାହା ଦେଖିଲେ ମନେହୁଏ ‘ମନ୍ତ୍ର ମୁଗ୍‌ଧ’ ଓଡ଼ିଆ ଦର୍ଶକଙ୍କୁ ଏକ ଅଭୁଲା ସିନେମାଟିକ୍ ଅନୁଭୂତି ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।