ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ୧୦୦୦ତମ ଅଧ୍ୟାୟରେ ପହଞ୍ଚିଲା

ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ ୧୦୦୦ତମ ଅଧ୍ୟାୟରେ ପହଞ୍ଚିଲା

ଭୁବନେଶ୍ବର,୧୦/୩ : ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଏହି ଧାରାବାହିକ ପହଞ୍ଚିଛି ୧୦୦୦ ତମ ଅଧ୍ୟାୟରେ । ଅକ୍ଷୟ ପରିଜାଙ୍କ ପ୍ରଯୋଜନା ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଧାରାବାହିକ ‘ତୁ ଖରା ମୁଁ ଛାଇ’ର କାହାଣୀ ଏକ ନୂଆ ମୋଡ଼ ନେଇଛି। ସମୟର ଚକ୍ରରେ ସାତ ବର୍ଷ ବିତିଯାଇଛି, କିନ୍ତୁ ଅଭି ଆଉ ସେହି ପୁରୁଣା ଅଭି ହୋଇ ରହିନାହିଁ। ମାନିର ମୃତ୍ୟୁ ଖବର ତାକୁ ଭିତରୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ସେ ଏବେ ଜଣେ ଶାନ୍ତ, ଗମ୍ଭୀର କିନ୍ତୁ ରହସ୍ୟମୟ ବ୍ୟକ୍ତିତ୍ୱସାଜିଛି l 

ଅନ୍ୟପଟେ, କାହାଣୀର ଦୃଶ୍ୟପଟ୍ଟ କିଛି ଅଲଗା। ମାନି ମରିନାହିଁ ବରଂ ନିଜର ଅତୀତକୁ ପାଶୋରି ଏକ ଭିନ୍ନ ଦୁନିଆରେ ବଞ୍ଚୁଛି। ମାନସିକ ଅସୁସ୍ଥତା ସହ ସଂଗ୍ରାମ କରୁଥିବା ମାନିର ଜୀବନ ଏବେ ତା'ର ଛଅ ବର୍ଷର ପୁଅ ‘ଗୋଲୁ’କୁ କେନ୍ଦ୍ର କରି ଗତି କରୁଛି। ନିଜ ପୁଅକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଛି। ତେବେ କାହାଣୀରେ ‘ମାଧବ’ର ପ୍ରବେଶ ସବୁକିଛି ଓଲଟପାଲଟ କରିଦେଉଛି। ମାଧବ ନିଜର ପ୍ରତିଶୋଧ ନେବା ପାଇଁ ମାନି ଭିତରେ ଲୁଚି ରହିଥିବା କ୍ରୋଧ ଓ ଅସନ୍ତୋଷକୁ ଉସୁକାଉଛି। ଏହିଠାରୁ ଆରମ୍ଭ ହେଉଛି ଏକ ଭୟଙ୍କର ଷଡ଼ଯନ୍ତ୍ର, ଯାହା ମାନିକୁ ନିଜ ଭାଗ୍ୟ ସହ ଲଢ଼ିବାକୁ ବାଧ୍ୟ କରୁଛି।

ଏ ସବୁ ସଂଘର୍ଷ ଭିତରେ ଛୋଟ ପୁଅ ଗୋଲୁ କାହାଣୀରେ ଆଶାର କିରଣ ସାଜିଛି। ନାଟକ ପ୍ରିୟ ଗୋଲୁ ନିଜର ବିଭିନ୍ନ ବେଶଭୂଷା ଓ ଚପଳାମିରେ ସମସ୍ତଙ୍କ ଜୀବନରେ ହସ ଓ ଭରସା ଭରିଦେଉଛି। ଇମୋସନାଲ୍ ଥ୍ରୀଲରରେ ଭରପୂର ଏହି କାହାଣୀ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବା ବେଶ୍ ରୋମାଞ୍ଚକର ହେବ। ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକ ସମୂହକୁ ମିଳିଛି ଦର୍ଶକଙ୍କ ଭଲ ପାଇବା, ଜୀ ସର୍ଥାକର 'ତୁ ଖରା ମୁଁ ଛାଇ'ର ଏହି ସଫଳତା ଆମକୁ ଆହୁରି ଉତ୍ସାହିତ କରିଛି ଓ ଆଗକୁ ଆମେ କାହାଣୀକୁ ଆହୁରି ଅଧିକ ରୋଚକ କରିବୁ ବୋଲି ପ୍ରତିଶୃତି ଦେଇଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ ।