ଓଡ଼ିଆ ଚଳଚ୍ଚିତ୍ର "ଚାରିକାନ୍ଧ", ପ୍ରଥମ ପରେ ଦ୍ବିତୀୟ ସପ୍ତାହରେ ଦର୍ଶକଙ୍କ ମନ ଜିଣୁଛି

ଓଡ଼ିଆ ଚଳଚ୍ଚିତ୍ର "ଚାରିକାନ୍ଧ", ପ୍ରଥମ ପରେ ଦ୍ବିତୀୟ ସପ୍ତାହରେ ଦର୍ଶକଙ୍କ ମନ ଜିଣୁଛି

ଭୁବନେଶ୍ବର,୧୦/୩ : ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଚାରିକାନ୍ଧ’ ବଡ଼ ପରଦାରେ ମୁକ୍ତିଲାଭ କରିଛି l ୩୭ମିନିଟର ‘ଚାରିକାନ୍ଧ’ କାହାଣୀ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି । ପ୍ରଥମ ସପ୍ତାହରେ ସଫଳତାର ସହ ଚାଲିବା ପରେ ଏବେ ଦ୍ବିତୀୟ ସପ୍ତାହରେ ପାଦ ଦେଇଛି ସିନେମା ‘ଚାରିକାନ୍ଧ’ । ପ୍ରଥମ ସପ୍ତାହରେ ଦର୍ଶକଙ୍କଠାରୁ ବେଶ୍ ପ୍ରଶଂସା ସାଉଁଟିଥିଲା । ଯାହା ପରେ ଏବେ ଦ୍ବିତୀୟ ସପ୍ତାହରେ ମଧ୍ୟ ଦର୍ଶକାଦୃତ ହୋଇପାରିଛି ଚଳଚ୍ଚିତ୍ର ‘ଚାରିକାନ୍ଧ’। ହଲରୁ ବାହାରିବା ସମୟରେ ଭାବ ବିହ୍ଵଳ ହେଉଛନ୍ତି ଦର୍ଶକ । 

ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ମଣିଷର ମୃତ୍ୟୁ ପରେ ମଶାଣିକୁ ନେବା ପାଇଁ ‘ଚାରିକାନ୍ଧ’ର ଅଭାବ ପଡ଼ିବ l ସେମିତି ଏକ ଛୋଟ ଗପକୁ ନେଇ ବଡ଼ ପରଦାରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇବା ପାଇଁ ପ୍ରଯୋଜକ ଅତୀଶ କୁମାର ରାଉତ ପ୍ରୟାସ କରିଛନ୍ତି l ଅନେକ ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଆଉ ଛାତିରେ କୋହ ଦେଖିବାକୁ ମିଳୁଛି l  

‘ଚାରିକାନ୍ଧ’ର ପ୍ରଯୋଜକ ଅତିଶ କୁମାର ରାଉତ ରହିଥିବାବେଳେ ଲେଖକ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଶ୍ୱନାଥ ରଥ। ଅଭିନୟରେ ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା, ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଡ଼ଙ୍ଗି ପ୍ରମୁଖ ରହିଛନ୍ତି । ୩୭ ମିନିଟର ଏହି ଫିଲ୍ମଟି ୪୬ରୁ ଅଧିକ ଜାତୀୟ ଓ ୨୨ରୁ ଅଧିକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ଅନେକ ବର୍ଗରେ ପୁରସ୍କୃତ ହୋଇଛି ।