ଶୀତୁଆ ସକାଳରେ ଝୁମିଲେ ରାଜଧାନୀବାସୀ

ଶୀତୁଆ ସକାଳରେ ଝୁମିଲେ ରାଜଧାନୀବାସୀ

ଭୁବନେଶ୍ବର,୪/୧ : ବର୍ଷର ପ୍ରଥମ ପଥ ଉତ୍ସବରେ ଝୁମିଲେ ରାଜଧାନୀବାସୀ । ଶୀତୁଆ ସକାଳରେ ନାଚ,ଗୀତରେ ହେଲେ ମସଗୁଲ୍ । ସକାଳ ୬ଟା ହେବା କ୍ଷଣି ଛୁଟି ଆସିଥିଲେ ଛୋଟ ଠୁ ବଡ଼ । ମାଷ୍ଟର୍‌ କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା  ନାଚଗୀତର ଜମିଥିଲା ଆସର । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବର ଆ​‌ୟୋଜନ କରାଯାଇଥିଲା ।  

ଶୀତୁଆ ସକାଳରେ ମସଗୁଲ୍ ହେଲେ ରାଜଧାନୀବାସୀ । ନାଚ,ଗୀତରେ ଝୁମି ଉଠିଲେ ଯୁବକ ଯୁବତୀ । ଛୋଟ ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପଥ ଉତ୍ସବର ମଜା ଉଠାଇଥିଲେ । ନୂଆ ପୁରୁଣା ଗୀତରେ ମତଓ୍ବାଲା ହେଲେ ଭୁବନେଶ୍ବରିଆ । ନେତା,ପ୍ରଶାସକ, କଳାକାର କିମ୍ବା ସାଧାରଣ ଜନତା ସମସ୍ତେ ଗୋଟିଏ ଜାଗାରେ ହେଲେ ଏକତ୍ରିତ। ଶୀତର ଚାଦରକୁ ଖାତିର ନ କରି ପଥ ଉତ୍ସବକୁ ନିଆରା କରିଥିଲେ । ବିଭିନ୍ନ ବେଶଭୂଷାରେ ବହୁ ଲୋକ ଆସି ନିଜ ନିଜର କଳା ଦେଖାଇଥିଲେ ।

କିଏ ଜୋକର ହୋଇ ତ, କିଏ ଭାଲୁ ଭଳି ସଜ ହୋଇ ଏବଂ ଆଉ କିଏ ଗଛ ଭଳି ସଜ ହୋଇ ଆସିଥିଲେ । ତାଙ୍କୁ ଦେଖି ଯୁବକଯୁବତୀମାନେ ସେଲ୍ଫି ନେବାକୁ ମଧ୍ୟ ଭୁଲି ନ ଥିଲେ । ସେମାନେ ବି ନିଜକୁ ଯୁବକଯୁବତୀମାନଙ୍କ ସହ ଠିକ୍ ସେମିତି ମିଶି ଯାଇଥିଲେ । 

କେହି କେହି ଯୋଗ କରି ବସିଥିଲେ । ଆଉ କିଏ ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଥିଲେ । ପଥ ଉତ୍ସବର ଏହି ସୁଯୋଗକୁ କେହି ଯେମିତି ହାତ ଛଡ଼ା କରିବାକୁ ଚାହୁଁନଥିଲେ । ସେହିଭଳି କୁନି କୁନି ପିଲାମାନଙ୍କର ସ୍କେଟିଂ ଦୃଶ୍ୟ ବେଶ ମନୋରମ ଥିଲା । ଯୁବତୀ ଓ ମହିଳାମାନେ ଝୋଟି ପକାଇବା ଚିତ୍ର ଦେଖି ସମସ୍ତଙ୍କ ପାଦ କିଛି ସମୟ ଅଟକି ଯାଉଥିଲା ।

ଯାହା ପଥ ଉତ୍ସବକୁ ଆହୁରି ରଙ୍ଗୀନ କରି ଗଢି ତୋଳିଥିଲା । ଆଉ କେହି କେହି ନିଜ ମୁହଁରେ ବିଭିନ୍ନ ରଙ୍ଗବେରଙ୍ଗର ଟାଟୁ କରି ପଥ ଉତ୍ସବରେ ବୁଲିବାର ନଜର ଆସିଥିଲା । କୁନି କୁନି ପିଲାମାନେ ରାସ୍ତା ଉପରେ ବସି ବିଭିନ୍ନ ଚିତ୍ର ମଧ୍ୟ ଆଙ୍କୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ପଥ ଉତ୍ସବକୁ ବେଶ ମନୋରମ କରିଥିଲା ।