ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପୁଣି ଥରେ ପ୍ରୟାସ

ସମ୍ବଲପୁର ପ୍ରତିନିଧି, (ଅଭ୍ୟର୍ଥନା ରଣା)୯/୧୧ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପୁଣି ଥରେ ପ୍ରୟାସ ଆରମ୍ଭ କରାଯାଇଛି l ଏ ନେଇ "ପିପୁଲ ଫୋରମ୍ ଫର ପର୍ମାନେଣ୍ଟ ବେଞ୍ଚ ଅଫ ହାଇକୋର୍ଟ ଇନ ୱେଷ୍ଟଟର୍ନ ଓଡିଶା" ନାମକ ଏକ ସଂଗଠନ ଗଠନ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆଗକୁ ଆବଶ୍ୟକ ହେଲେ ସୁପ୍ରିମ କୋର୍ଟରେ ଏକ ପିଟିସନ ଦିଆଯିବ ବୋଲି ସୁଚନା ଦିଆଯାଇଛି l
ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ସମ୍ବଲପୁର ଅଇଁଠାପାଲିସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସଂଗଠନ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯିବ ସେ ନେଇ ଗଣମାଧ୍ୟମକୁ ଅଧିକ ସୁଚନା ଦେଇଥିଲେ l ପୂର୍ବତନ ସାଂସଦ କହିଛନ୍ତି ଯେ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ରହିଛି l ଏଥିପାଇଁ ଲଗାତାର ଭାବେ ଅନେକ ସଂଗଠନ ସହ ଆଇନଜିବୀମାନେ ଆନ୍ଦୋଲନ କରିଆସୁଛନ୍ତି l ୧୧ବର୍ଷ ପୂର୍ବରୁ କେନ୍ଦ୍ର ଆଇନମନ୍ତ୍ରୀ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ଚିଠି କରିଥିଲେ l ହେଲେ ଆଜି ପର୍ଯ୍ୟନ୍ତ ସେନେଇ କୌଣସି ଉତ୍ତର ଦିଆଯାଇ ନାହିଁ ବୋଲି ପୂର୍ବତନ ସାଂସଦ କହିଛନ୍ତି l
ପୂର୍ବ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କୌଣସି ତପ୍ବରତା ପ୍ରକାଶ କରିନଥିଲେ l ଏବେ କିନ୍ତୁ ରାଜ୍ୟରେ ସରକାର ବଦଳିବା ସହ ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ଦଳର ସରକାର ଅଛି l ତେଣୁ ନୂତନ ସରକାର ତତ୍ପରତା ଦେଖାଇଲେ ପଶ୍ଚିମ ଓଡ଼ିଶାରେ ଶୀଘ୍ର ହାଇକୋର୍ଟ ବେଞ୍ଚ ହେବ ବୋଲି ସେ ଆଶା ବ୍ୟକ୍ତ କରୁଥିବା କହିଛନ୍ତି l