ଲଘୁଚାପ ବର୍ଷା ଜାରି: ଆସନ୍ତା ୨୪ଘଣ୍ଟା ଅତି ପ୍ରବଳ ବର୍ଷା

ଲଘୁଚାପ ବର୍ଷା ଜାରି: ଆସନ୍ତା ୨୪ଘଣ୍ଟା ଅତି ପ୍ରବଳ ବର୍ଷା

ଭୁବନେଶ୍ବର, ୩/୯ : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ୨୪ଘଣ୍ଟା ମଧ୍ୟରେ ଘନୀଭୂତ ହେବା ସହ ପରବର୍ତ୍ତୀ ୨୪ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାଜଧାନୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। କେନ୍ଦୁଝର ଜିଲାର ହାଟଡିହିରେ ସର୍ବାଧିକ ୨୨୫.୧ମି.ମି. ବର୍ଷା ରେକର୍ଡ଼ ହୋଇଛି। ଘସିପୁରାରେ ୧୩୦.୩ ଏବଂ ଆନନ୍ଦପୁରରେ ୧୦୩.୪ ମି.ମି. ବର୍ଷା ହୋଇଛି। ବାଲେଶ୍ବରରେ ୧୩୩.୮ମି.ମି., ଗୋବିନ୍ଦପୁରରେ ୧୨୩.୨, ରେମୁଣା ୯୧, ବାହାନଗା ୬୦ ଏବଂ ଭୋଗରାଇରେ ୫୯ ମି.ମି. ବର୍ଷା ହୋଇଛି। କଳାହାଣ୍ଡି ଜିଲାର ଥୁଆମୂଳ-ରାମପୁରରେ ୧୨୫ମି.ମି. ବର୍ଷା ହୋଇଛି। ଖୋର୍ଦ୍ଧା ଜିଲାର ଚିଲିକା ୯୦, ଭଦ୍ରକ ଜିଲାର ଆଖୁଆପଦା ୭୦.୪, ଗଞ୍ଜାମ ଜିଲାର ବ୍ରହ୍ମପୁର ୬୪.୮ ଏବଂ ବାରିପଦାରେ ୫୯ ମି.ମି. ବର୍ଷା ହୋଇଛି।

ବାଲେଶ୍ବର ସହରରେ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଥିଲା। ମଙ୍ଗଳବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭୁବନେଶ୍ବରରେ ବର୍ଷା ଲାଗି ରହିଥିଲା। ରାଜଧାନୀର ୪୫.୧ମି.ମି. ବର୍ଷା ହୋଇଥିବା ବେଳେ କୋରାପୁଟ ୪୧.୫, ଛାତ୍ରପୁର ୪୬.୬, ପାରଳାଖେମୁଣ୍ଡି ୩୯, ଫୁଲବାଣୀ ୨୮ ଏବଂ କଟକରେ ୧୧.୮ମି.ମି. ବର୍ଷା ହୋଇଛି।

 ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ ଏବଂ ଜଳକା ଫୁଲିବାରେ ଲାଗିଛି। ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ବେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।