ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିଲାନି ୧୦୮ଆମ୍ବୁଲାନ୍ସ, ଗାଁ ମୁଣ୍ଡରେ ରୋଗୀଙ୍କୁ ଛାଡ଼ି ଚାଲିଗଲା

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୪/୭ : ଗାଁ କୁ ଭଲ ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ରୋଗୀ l ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଜମେନକିରା ବ୍ଲକ ଅଞ୍ଚଳରେ l ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଖର୍ସନମାଲ ପଂଚାୟତ ଅଧୀନ କାଣିବନ୍ଧଳି ଗାଁରୁ ବାଘଲତ ଗାଁର ୩କିମି ରାସ୍ତା ଅତ୍ୟନ୍ତ ଖରାଫ ହୋଇପଡିଛି। ଗାଁକୁ ସଂଯୋଗ କରୁଥିବା ମାଟି ରାସ୍ତାରେ ବର୍ଷା ଦିନେ ଟ୍ରାକ୍ଟର ଚଳାଚଳ ତଥା ପାଣି ଜମିବାରୁ ଉଭୟ ପାର୍ଶ୍ଵରେ ଛୋଟ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି । ଏଭଳି ପରିସ୍ଥିତି ଯୋଗୁଁ ପଡୋଶୀ ଛତିଶଗଡ ରାଜ୍ୟ ରାୟଗଡ଼ ସହରରୁ ଫେରିଥିବା ଜଣେ ରୋଗୀଙ୍କୁ ୩କିମି ଖଟିଆରେ ବୁହା ହୋଇ ଘରକୁ ଯିବାକୁ ପଡ଼ିଛି। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମିଳିଥିବା ସୂଚନା ମତେ , ଜମନକିରା ବ୍ଲକ୍ ଖର୍ସନମାଲ ପଂଚାୟତ ଅଧୀନ ବାଘଲତ ଗାଁର ୟୁନାଶ ଭୂୟାଁ(୫୦) ମଳ କଣ୍ଟକ ରୋଗରେ ପୀଡ଼ିତ ଥିଲେ l ତେବେ ସେ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । ସୁଦୂର ରାୟଗଡ଼ରୁ ଚିକିତ୍ସା ସାରି ଘରକୁ ଫେରୁଥିଲେ । ହେଲେ ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଗାଁ କୁ ଯିବାକୁ ମନା କରିଦେଇଥିଲେ। ସମ୍ପୃକ୍ତ ଆମ୍ବୁଲାନ୍ସ କାଣିବନ୍ଧଳି ଗାଁମୁଣ୍ଡରେ ରୋଗୀଙ୍କୁ ଛାଡ଼ି ଚାଲି ଯାଇଥିଲା । ଏ ନେଇ ବାଘଲତ୍ ଗାଁର ରୋଗୀ ପରିବାର ଲୋକଙ୍କୁ ଖବର ଦିଆଯିବାରୁ ପରିବାର ଲୋକେ ପହଞ୍ଚି ଯୁନାସଙ୍କୁ ଏକ ଖଟରେ ଘରକୁ ବୋହିକି ନେଇଥିଲେ l ବର୍ତ୍ତମାନ ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି l