ବାରଣାସୀରେ ମରିସସ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ

ବାରଣାସୀରେ ମରିସସ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧ତାରିଖରେ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ସକାଳ ୧୧ଟା ୩୦ରେ, ମରିସସର ପ୍ରଧାନମନ୍ତ୍ରୀ ଡ଼କ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କୁ ସ୍ୱାଗତ କରିବେ। ଡ଼କ୍ଟର ରାମଗୁଲାମ ୯ ସେପ୍ଟେମ୍ବରରୁ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ଏହାପରେ, ପ୍ରଧାନମନ୍ତ୍ରୀ ଅପରାହ୍ନ ୪ଟା ୧୫ମିନିଟରେ ଡେରାଡୁନ ଯାତ୍ରା କରିବେ । ସେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକର ଆକାଶ ମାର୍ଗରେ ସର୍ଭେ କରିବେ । ସନ୍ଧ୍ୟା ପ୍ରାୟ ୫ଟାରେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୌଠକର ଅଧ୍ୟକ୍ଷତା କରିବେ ।

ଐତିହାସିକ ସହର ବାରାଣସୀରେ ହେବାକୁ ଥିବା ଏହି ବୈଠକ, ଭାରତ ଏବଂ ମରିସସଙ୍କୁ ବାନ୍ଧି ରଖିଥିବା ସ୍ଥାୟୀ ସଭ୍ୟତାଗତ ସମ୍ପର୍କ, ଆଧ୍ୟାତ୍ମିକ ସମ୍ବନ୍ଧ ଏବଂ ଲୋକ ସମ୍ପର୍କକୁ ରଖାଙ୍କିତ କରୁଛି। ଏହା ଉଭୟ ଦେଶର ମଧ୍ୟରେ ବିଶିଷ୍ଟ ଓ ଅନନ୍ୟ ସମ୍ପର୍କର ଏକ ପ୍ରତିକ । ଦ୍ୱିପାକ୍ଷିକ ଆଲୋଚନା ସମୟରେ, ଉଭୟ ନେତା ବିକାଶ ସହଭାଗୀତା ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇ ସହଯୋଗର ସମସ୍ତ ଦିଗ ଉପରେ ସମୀକ୍ଷା କରିବେ । ସେମାନେ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଭିତ୍ତଭୂମି ସହିତ ନବୀକରଣଯୋଗ୍ୟ ଶକ୍ତି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନୀଳ ଅର୍ଥନୀତି ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗ ବିସ୍ତାର ପାଇଁ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିବେ ।

ଏହି ଗସ୍ତ ମାର୍ଚ୍ଚ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମରିସସ ଗସ୍ତ ଦ୍ୱାରା ସୃଷ୍ଟି ହୋଇଥିବା ସକରାତ୍ମକ ମୁହୂର୍ତ୍ତ ଉପରେ ଆଧାରିତ । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ‘ଉନ୍ନତ ରଣନୈତିକ ସହଭାଗୀତା’ରେ ପରିଣତ କରିଥିଲେ । ଭାରତ ମହାସାଗର କ୍ଷେତ୍ରରେ ଏକ ମୂଲ୍ୟବାନ ଅଂଶୀଦାର ଏବଂ ନିକଟତମ ସାମୁଦ୍ରିକ ପଡୋଶୀ ଭାବରେ, ମରିସସ ଭାରତର ‘ମହାସାଗର’ (ଅଞ୍ଚଳରେ ସୁରକ୍ଷା ଏବଂ ଅଭିବୃଦ୍ଧି ପାଇଁ ପାରସ୍ପରିକ ଏବଂ ସାମଗ୍ରିକ ଉନ୍ନତି) ଦୃଷ୍ଟିକୋଣ ଏବଂ ‘ପଡୋଶୀ ପ୍ରଥମ’ ନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ ଗଭୀର ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ସମୃଦ୍ଧି ପାଇଁ ନୁହେଁ, ବରଂ ବିଶ୍ୱର ଦକ୍ଷିଣ ସାମୂହିକ ଆକାଂକ୍ଷା ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ ।

ବାରଣାସୀ ସମ୍ମିଳନୀ ପାରସ୍ପରିକ ସମୃଦ୍ଧି, ସ୍ଥାୟୀ ବିକାଶ ଏବଂ ଏକ ସୁରକ୍ଷିତ ତଥା ସମାବେଶୀ ଭବିଷ୍ୟତ ଦିଗରେ ଭାରତ ଏବଂ ମରିସସର ସହଭାଗୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ।