ସୁଭଦ୍ରାକୁ ନେଇ ବାଉଳା ସରକାର : ଯୋଜନା ଗୋଟିଏ, ତ୍ରୁଟି ଅନେକ

ସୁଭଦ୍ରାକୁ ନେଇ ବାଉଳା ସରକାର : ଯୋଜନା ଗୋଟିଏ, ତ୍ରୁଟି ଅନେକ

ଭୁବନେଶ୍ବର,୧୦/୯ : ସୁଭଦ୍ରା ଯୋଜନା । ବିଜେପି ସରକାରର ଏଜେଣ୍ଡାରେ ଥିଲା ଏହି ଯୋଜନା । ବେଶ ଲୋକପ୍ରିୟ ସାଉଣ୍ଟିଥିଲା ନିର୍ବାଚନ ପ୍ରଚାର ସମୟରେ । ବିଶେଷ କରି ସରକାରକୁ ଆସିବା ପରେ ଲୋକେ ଏହାକୁ ନେଇ ଖୁସି ଥିଲେ । ମାତ୍ର ଯୋଜନାର ଆରମ୍ଭରୁ ଜନ ସାଧରଣଙ୍କ ମଧ୍ୟରେ ଉତ୍ସାହ ଧିରେ ଧିରେ କମିବାକୁ ଲାଗିଲା । ସରକାର ମଧ୍ୟ ଏହାକୁ ନେଇ ଦ୍ବନ୍ଦ ସୃଷ୍ଟି କଲେ । କିଏ ପାଇବେ କିଏ କଟିବେ ତାହା ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ କଲା । ଆଜି ବି ଏହି ଦ୍ବନ୍ଦ ଦୂର ହେଉନି । ଯେମିତି କି ଆଜି ଅର୍ଥାତ ସେପ୍ଟେମ୍ବର ୯ ତାରିଖ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି। ଯେତିକି ପୁରୁଣା ହେଉଛି ଯୋଜନା ସେତିକି ଦ୍ବନ୍ଦ ଭିତରକୁ ଯିବାରେ ଲାଗିଛି ଏହାର ଖସଡ଼ା । ଫଳରେ ଏହା ଏବେ ସରକାରଙ୍କ ସୁଫଳ ବଦଳରେ ବିଫଳ ଯୋଜନାରେ ପରିଣତ ହେବାକୁ ଲାଗିଛି ଯେମିତି ।

ଆଜି ଶ୍ରୀମତି ପରିଡ଼ା ଏହି ଯୋଜନା ଉପରେ ସମୀକ୍ଷା କଲା ପରେ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ ହେବ । ଅଧିକାରୀମାନେ ଆଗାମୀ ୧୫ ଦିନ ଭିତରେ ଫିଲ୍ଡ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ । ଏଥିପାଇଁ ଦୁଇ ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ । ବାଦ୍ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ।

ଶ୍ରୀମତୀ ପରିଡ଼ା କହିଛନ୍ତି ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ ପଡ଼ିଥିବାବେଳେ ୧୮୦୫ ଜଣ ଜୀବିତ ଅଛନ୍ତି। ସେମାନଙ୍କୁ ମଧ୍ୟ ସାମିଲ କରାଯିବ। ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ ପଡ଼ିଛନ୍ତି। ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେବାରୁ ବାଦ ପଡ଼ିଥିବାବେଳେ ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ ପଡିଛନ୍ତି। ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରାଯିବ। 

ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରାସନକାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏଭଳି ଅନେକ ତର୍ଜମା କରାଯିବ। ଆଜି ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଛି।

   ଶ୍ରୀମତି ପରିଡ଼ାଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ସାଧାରଣରେ ଏବେ ଚର୍ଚ୍ଚା ଜାରି ରହିଛି । ସରକାରଙ୍କ ଏହା କେଉଁ ଯୋଜନା । ସଫଳ ନା ବିଫଳ ତାହା ସମୟ କହିବ । ମାତ୍ର ବିଜେପି ଏହାଦ୍ବାରା ଯେତିକି ଲାଭବାନ ହେବା କଥା ତାହା ହେଉନଥିବା ବିଶେଷ ଆଲୋଚନା ହେବାରେ ଲାଗିଛି ।